ପୁଣି ବଢିଲାଣି କରୋନା ଭୟ ! ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’ ଚିହ୍ନଟ ହେବା ପରେ ବଢିଲା ସଙ୍କଟ, କଣ ଭାରତରେ ପୁଣି ହେବ ଲକଡାଉନ ?

ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପି ଚାଲିଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ଏହା ଦକ୍ଷିଣ ଆଫ୍ରିକୀୟ ଦେଶ ଗୁଡିକରେ ଅଧିକ ଦେଖିବାକୁ ମିଳୁଛି । ପ୍ରଥମେ ଦକ୍ଷିଣ ଆଫ୍ରିକା, ବୋତସ୍ଵନା, ହକଂ ଓ ଇସ୍ରାଇଲରେ ଚିହ୍ନଟ ହୋଇଥିଲା, ଆଉ ଏବେ ୟୁରୋପରେ ବେଲଜିୟମ ସହ ୟୁକେ, ଜର୍ମାନୀ, ଇଟାଲୀରେ ମଧ୍ୟ ନୂଆ ଭ୍ୟାରିଆଣ୍ଟ ଠାବ ହୋଇଛି । ତେବେ ଆମେରିକାରେ ଏପର୍ଯ୍ୟନ୍ତ ଏହି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇନାହିଁ ।

ଯଦି ଆମେରିକାରେ ଓମିକ୍ରନ ଚିହ୍ନଟ ହୁଏ ତେବେ ଏହା ବିଲକୁଲ ମଧ୍ୟ ଆଶ୍ଚର୍ଯ୍ୟର କଥା ନୁହେଁ ବୋଲି କହିଛନ୍ତି ଆମେରିକା ମହାମାରୀ ବିଶେଷଜ୍ଞ ଆନ୍ଥୋନୀ ଫାଓସି । ଆଉ ଏଥିପାଇଁ ବିଭିନ୍ନ ଦେଶ ବଢାଇଛି କଟକଣା , ବିଦେଶୀଙ୍କ ପାଇଁ ସୀମା ସିଲ୍ କରିବାକୁ ନିଷ୍ପତ୍ତି ନେଇଛି ଇସ୍ରାଏଲ । କରୋନାର ଏହି ନୂଆ ଭ୍ୟାରିଆଣ୍ଟ ସଂକ୍ରମଣ ରୋକିବା ପାଇଁ ଆତଙ୍କବାଦୀ ଅଭିଯାନରେ ବ୍ୟବହୃତ ଫୋନ ଟ୍ରାକିଂ ଟେକ୍ନୋଲୋଜି ବ୍ୟବହାର ଆରମ୍ଭ କରିଛି ଇସ୍ରାଏଲ ।

ୟୁକେ, ଆମେରିକା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ୟୁରୋପୀୟ ଦେଶ, ଇରାନ, ସାଉଦି ଆରବ, ଜାପାନ, ନ୍ୟୁଜିଲାଣ୍ଡ, ଥାଇଲାଣ୍ଡ ଆଦି ଦେଶ ଦକ୍ଷିଣ ଆଫ୍ରିକୀୟ ଦେଶ ଉପରେ ବିମାନ ଉଡାଣ କଟକଣା ଲଗାଇଛନ୍ତି । ଦୋକାନ ଓ ସର୍ବ ସାଧାରଣରେ ଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ କରିଛି ୟୁକେ । ସେହିପରି ବିଦେଶରୁ ଫେରିଲେ ଟେଷ୍ଟି॰ ନିୟମ ମଧ୍ୟ କଡା ହୋଇଛି ଓ ବୁଷ୍ଟର ଡୋଜକୁ ଗୁରୁତ୍ଵ ଦେଇଛି । ଭାରତ ମଧ୍ୟ ନୂଆ ଷ୍ଟ୍ରେନକୁ ନେଇ ସତର୍କ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି ।

ବିଦେଶ ଯାତ୍ରୀ ତଥା ବିପଦପୂର୍ଣ୍ଣ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ସର୍ଭିଲାନ୍ସକୁ ଗୁରୁତ୍ଵ ଦିଆଯାଇଛି । ଟେଷ୍ଟି॰ କମିଥିବା ରାଜ୍ୟ ଗୁଡିକରେ ଟେଷ୍ଟି॰ ବୃଦ୍ଧି କରି, ହଟସ୍ପଟ ଗୁଡିକରେ କଡା ନଜର ରଖିବା ସହ ଜିନୋମ ସିକ୍ଯୁନ୍ସି॰ ପାଇଁ ନମୁନା ପଠାଇବାରେ ବିଳମ୍ବ ନ କରିବାକୁ ପରାମର୍ଶ ଦେଇଛନ୍ତି । ତାଲିମପ୍ରାପ୍ତ ମାନବ ସମ୍ବଳ, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖି ଭିତ୍ତିଭୂମି ସୁଦୃଢ ରଖିବାକୁ ସମସ୍ତଙ୍କୁ କୁହାଯାଇଛି । ବିଭିନ୍ନ ରାଜ୍ୟ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିବା ଆରମ୍ଭ କରିଛନ୍ତି ।

ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ଦେଶରୁ ବିମାନ ଉଡାଣ ବାତିଲ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । କରୋନା ଟୀକା ଯୋଗାଉଥିବା ସୁରକ୍ଷା କବଚକୁ ଭେଦ କରିପାରିବ କି ଓମିକ୍ରନ ? ଏନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ତେଣୁ ବିଭିନ୍ନ ଦେଶରେ ଥିବା କୋଭିଡ କଟକଣା ବୃଦ୍ଧି ହେବା ସହ ସମୟ ସୀମା ଆହୁରି ବଢିପାରେ । ଓମିକ୍ରନର ପ୍ରକୃତ ଚରିତ୍ର ଜାଣିବାକୁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି ।

ସେପଟେ ଆଷ୍ଟ୍ରାଜେନେକା, ମଡେର୍ନା, ଫାଇଜର, ନୋଭାଭାକ୍ସ ନିଜ ଟୀକାରେ ପରିବର୍ତ୍ତନ ଆଣିବା ପାଇଁ ସଜବାଜ ହେଲେଣି । ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ବରେ ୫୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କଟକଣା ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଛି । ତେବେ ସଂକ୍ରମଣ କମିଥିବାରୁ ଅର୍ଥନୀତି ଧୀରେ ଧୀରେ ଉପରକୁ ଉଠିବ ଆରମ୍ଭ କରିଥିଲା । କିନ୍ତୁ ଏହି ଓମିକ୍ରନ ଆଉ ଥରେ ଅର୍ଥନୀତିକୁ ପ୍ରଭାବିତ କରିବା ଆଶଙ୍କା ବଢିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।