କୋଭିଡ ତୃତୀୟ ଲହର ପାଇଁ ସତର୍କ ହେଉଛନ୍ତି ରାଜ୍ୟ ସରକାର, ଜାଣନ୍ତୁ ସପ୍ତାହାନ୍ତ ସଟଡାଉନ ରହିବ ନା ହଟିବ ?

ବର୍ତ୍ତମାନ ସାରା ରାଜ୍ୟରେ ଚାଲିଛି ନାଇଟ କର୍ଫ୍ଯୁ । ରାତି 8ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ରହୁଛି କଟକଣା । ଏହି ଗାଇଡଲାଇନ ୧ ସେପ୍ଟେମ୍ବର ସକାଳ ୬ଟା ଯାଏ ଲାଗୁ ହେବ । ସେପ୍ଟେମ୍ବର ମାସରୁ ପ୍ରକାଶ ପାଇବ ନୂଆ ଗାଇଡଲାଇନ । ତେବେ ନୂଆ ଗାଇଡଲାଇନରେ ଏଥିରେ ପରିବର୍ତ୍ତନ ହେବ କି ? ଏନେଇ ସମସ୍ତଙ୍କ ମନରେ ଉଠୁଛି ପ୍ରଶ୍ନ । ଅଗଷ୍ଟ ୧ ତାରିଖରେ ରାଜ୍ୟରେ ଦୈନିକ ୧୪୩୭ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅଗଷ୍ଟ ୨୮ ରେ ଏହି ସଂଖ୍ୟା ୭୭୯ କୁ ହ୍ରାସ ପାଇଛି ।

ତେବେ ବର୍ତ୍ତମାନ ରାଜ୍ୟରେ ୪୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ଦୈନିକ ସଂକ୍ରମଣ । ପଜିଟିଭିଟିରେ ରାଜ୍ୟର ସବୁ ଜିଲ୍ଲା ବର୍ତ୍ତମାନ ଅଛନ୍ତି ଗ୍ରୀନ ଜୋନରେ । ସକ୍ରିୟ କେସ ମାମଲାରେ କେବଳ ଖୋର୍ଦ୍ଧା ଜିଲ୍ଲା ରେଡ ଜୋନରେ ରହିଛି । ଅଗଷ୍ଟ ୧ ରେ ରାଜ୍ୟରେ ୧୪୦୮୫ଟି ଆକ୍ଟିଭ କେସ ଥିଲା ଓ ଅଗଷ୍ଟ ୨୮ ରେ ଏହା ରହିଛି ୭୯୯୬ । ସଂକ୍ରମଣ ଓ କେସ ଲୋଡ ବର୍ତ୍ତମାନ ହ୍ରାସ ପାଉଛି ।

କଟକ, ଭୁବନେଶ୍ବର ଏବଂ ପୁରୀ ରେ ବର୍ତ୍ତମାନ ସପ୍ତାହନ୍ତ ସଟଡାଉନ ଚାଲିଛି । ଅଗଷ୍ଟ ୧ ତାରିଖରେ ଭୁବନେଶ୍ବରରେ ୩୧୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ୨୭ ରେ ଏହି ସଂଖ୍ୟା ରହିଛି ୨୧୩ । ସେହିପରି କଟକରେ ଦୈନିକ ସଂକ୍ରମଣ ୭୦ ଥିବା ବେଳେ ଅଗଷ୍ଟ ୨୭ ରେ ଏହା ରହିଛି ୫୭ । ଏଭଳି ସ୍ଥିତିରେ ଏହି ସହର ମାନଙ୍କରେ ସପ୍ତାହନ୍ତ ସଟଡାଉନ ରହିବ କି ହଟିବ ସେପ୍ଟେମ୍ବର ୧ ପୂର୍ବରୁ ନିଷ୍ପତ୍ତି ନେବେ ସରକାର । ବର୍ତ୍ତମାନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଦୈନିକ ହାରାହାରି ୬୦ ରହୁଛି । କିଛି ଶିଶୁଙ୍କ ମଧ୍ୟ ମୃତ୍ୟୁ ହେଲାଣି ।

ଆଗକୁ ତୃତୀୟ ଲହରର ଆଶଙ୍କା ସହ ଆରମ୍ଭ ହେବାକୁ ଯାଉଛି ପାର୍ବଣ ଋତୁ । କେରଳରେ ଓନାମ ପର୍ବ ଯୋଗୁଁ ଦେଶରେ ସଂକ୍ରମଣ ମାତ୍ରାଧିକ ବୃଦ୍ଧି ପାଇଛି । ଯାହା ଅନ୍ୟ ରାଜ୍ୟଗୁଡିକ ପାଇଁ ଏକ ପ୍ରକାର ଚେତାବନୀ ଅଟେ । ପାର୍ବଣରେ କୋଭିଡ ପରିଚାଳନା ପାଇଁ କଟକଣାକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କର ବୋଲି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ  ଚିଠି ଲେଖି ଅବଗତ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା।

ପାର୍ବଣ ଋତୁରେ ଅଧିକ ଗହଳି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତେଣୁ ରାଜ୍ୟ ସରକାର ସମସ୍ତ ତଥ୍ୟକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।