ଆସୁଛି ବାତ୍ୟା ‘ଅସାନୀ’, ପୁରୀ ଏବଂ ପାରାଦୀପକୁ ଏକ ନମ୍ବର ବିପଦ ସଙ୍କେତ ଦେଲା ପାଣିପାଗ ବିଭାଗ

ସମ୍ଭାବ୍ୟ ବାତ୍ୟା ନେଇ ଓଡିଶା ପ୍ରତି ବିପଦ ଥିବା ପୂର୍ବରୁ ସୂଚନା ମିଳିଥିବା ବେଳେ ସମ୍ଭାବ୍ୟ ବାତ୍ୟା ଏବେ ଆଉ ଓଡିଶା ଛୁଇଁବ ନାହିଁ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । କିନ୍ତୁ ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଏବଂ ପବନ ହୋଇପାରେ ଏବଂ କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ ବୋଲି ସୂଚନା ଦେଇଛନ୍ତି । କିନ୍ତୁ ବନ୍ୟା ସମ୍ଭାବନା ଦେଖାଯିବ ନାହିଁ । ତେବେ ବାତ୍ୟାର ପ୍ରଭାବକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ପ୍ରସ୍ତୁତ ଅଛନ୍ତି ।

ଜିଲ୍ଲାପାଳ ମାନଙ୍କୁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୧୮ଟି ଜିଲ୍ଲାରେ ପ୍ରାୟ ୮୬୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଆବଶ୍ୟକ ପଡିଲେ ସାଢେ ୭ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବାତ୍ୟାକୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ଜିଲ୍ଲା ସ୍ତରରେ ଅଫିସର ଓ ସ୍ଵତନ୍ତ୍ର ରିଲିଫ କମିଶନଙ୍କ କାର୍ଜ୍ୟାଳୟ ମଧ୍ୟରେ ସମନ୍ଵୟ କରିବାକୁ କୁହାଯାଇଛି ।

ଜିଲ୍ଲାପାଳ ମାନେ ନିୟମିତ ବ୍ଯବଧାନରେ ଚାଷୀମାନଙ୍କୁ ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସୂଚନା ଦେବେ । ଏଥିସହ ଆଜି ଠାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଓଡିଶାର ସମସ୍ତ ବନ୍ଦର ଗୁଡିକ ପାଇଁ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟାଟି ଓଡିଶା ଉପକୂଳ ଦେଇ ସମାନ୍ତରାଳ ଭାବେ ଯିବ ।

କିନ୍ତୁ କେତେ ଦୂରରେ ଯିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏହା ସ୍ପଷ୍ଟ ହେବା ପରେ ଓଡିଶା ଉପରେ ବାତ୍ୟାର ପ୍ରଭାବ କେତେ ରହିବ ବା ରହିବ କି ନାହିଁ ତାହା ସ୍ପଷ୍ଟ ଭାବେ ଜଣାପଡିବ । କିନ୍ତୁ ବାତ୍ୟା ପାଇଁ ଯାହା ବି ପୂର୍ବ ପଦକ୍ଷେପ ନେବା ଉଚିତ ସେନେଇ ରାଜ୍ୟ ସରକାରଙ୍କ ତରଫରୁ ସଂପୂର୍ଣ୍ଣ ଯୋଜନା ଓ ପ୍ରସ୍ତୁତି ସରିଛି । ଦକ୍ଷିଣ ଆଣ୍ଡାମନ ସାଗର ଓ ଏହା ନିକଟବର୍ତ୍ତୀ ବଙ୍ଗୋପାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇ ଅବପାତରେ ପରିଣତ ହୋଇଥିଲା ଏବଂ ଏହାପରେ ଏହା ବାତ୍ୟାର ରୂପ ନେଉଛି ।

ତେବେ ପୂର୍ବରୁ ବିଭିନ୍ନ ପାଣିପାଗ ସଂସ୍ଥା ଓଡିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପରେ ବାତ୍ୟା ଆଶଙ୍କା କରୁଥିବା ବେଳେ ବର୍ତ୍ତମାନ କୌଣସି ବାତ୍ୟା ବିପଦ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।