ନନ୍ଦନକାନନରେ ମଣିଷ ପ୍ରେମରେ ସିଂହ ଛୁଆ ! ମଣିଷ ଓ ସିଂହ ଛୁଆ ମଧ୍ୟରେ ଏହି ଅନାବିଳ ପ୍ରେମ ସମ୍ପର୍କ ଦେଖିଲେ ଆପଣ ବି ଭାବୁକ ହୋଇଯିବେ, ଦେଖନ୍ତୁ Exclusive Video

ଜନ୍ମ ଦେବା ପରେ ଦୂରେଇ ଦେଲା ମାଆ । କିନ୍ତୁ ସିଂହ ଛୁଆକୁ ଆପଣେଇ ନେଲେ ପ୍ରଶାନ୍ତ । ୬ ମାସ ତଳେ ନନ୍ଦନକାନନରେ ସମ୍ରାଟ ଓ ବିଜଲିଙ୍କ ଔରସରୁ ଜନ୍ମ ନେଇଥିଲା ବର୍ଷା । କିନ୍ତୁ ଜନ୍ମ ପରଠାରୁ ବର୍ଷାକୁ କ୍ଷୀର ଖୁଆଇଲା ନାହିଁ ମାଆ ବିଜଲି । ମା ଦୂରେଇ ଦେବା ପରେ ବର୍ଷାର ଲାଳନପାଳନ କରୁଛନ୍ତି ନନ୍ଦନକାନନର ପଶୁପାଳକ ପ୍ରଶାନ୍ତ ଗଉଡ । ୬ ମାସର ବର୍ଷା ଖୁଆଡରେ ରହିବାର ପ୍ରଶିକ୍ଷଣ ପାଇ ସାରିଛି । ଆଉ କେଇ ଦିନ ପରେ ସେ ବଡ ଖୁଆଡକୁ ଚାଲିଯିବ । କିନ୍ତୁ ପ୍ରଶାନ୍ତ ଓ ବର୍ଷାଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କ ଉଦାହରଣ ହୋଇ ରହିବ ।

ପ୍ରଶାନ୍ତଙ୍କ ମୁହଁରୁ ବର୍ଷା ଡାକ ଶୁଣିବା ମାତ୍ରେ ତାଙ୍କ ପାଖକୁ ଦଉଡି ଆସେ ସିଂହ ଛୁଆ ବର୍ଷା । ଆଉ ପାଖରେ ପାଇଲେ ଗେହ୍ଲା ହୁଏ । ୬ ମାସର ସିଂହ ଛୁଆ ବର୍ଷା କେତେବେଳେ ପ୍ରଶାନ୍ତଙ୍କ ସହ ଖେଳୁଛି ତ କେତେବେଳେ ଅଳି କରୁଛି । ଖେଳୁ ଖେଳୁ ନାକେଦମ ବି କରି ଦେଉଛି । ଆଉ ଥକି ପଡିଲେ ପ୍ରଶାନ୍ତଙ୍କ କୋଳରେ ପଶି ଯାଉଛି । ଯେମିତି ବାପା ପାଖକୁ ଥକିପଡି ଛୋଟ ଶିଶୁ ଧାଇଁ ଆସେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନନ୍ଦନକାନନରେ ।

ପଶୁପାଳକ ପ୍ରଶାନ୍ତ ଗଉଡଙ୍କ କୋଳରେ ଏମିତି ବଡ ହେଉଛି ଏହି ସିଂହ ଶାବକ । ବର୍ଷାକୁ ଜନ୍ମ ଦେବା ପରଠାରୁ ହିଁ ତାକୁ ମା ବିଜଲି କ୍ଷୀର ଖୁଆଇଲା ନାହିଁ । ମା ସିନା ଦୂରେଇ ଦେଲା ହେଲେ ବର୍ଷାକୁ ଆପଣେଇଥିଲେ ପ୍ରଶାନ୍ତ । ବାସ୍ ସେବେଠାରୁ ସୁଖ ଦୁଃଖର ସାଥି ପାଲଟି ଯାଇଛନ୍ତି ପ୍ରଶାନ୍ତ । କୋଳରେ ବସାଇ ତାକୁ କ୍ଷୀର ପିଆଇଛନ୍ତି । ଏପରିକି ରାତି ଅନିଦ୍ରା ରହି ବର୍ଷାର ଭଲ ମନ୍ଦ ମଧ୍ୟ ବୁଝିଛନ୍ତି ।

ଛୋଟ ଥିବା ବେଳେ ବର୍ଷା ଦୁଇ ଘଣ୍ଟାକୁ ଦୁଇ ଘଣ୍ଟା କ୍ଷୀର ଖାଉଥିଲା । ଆଉ ତା’ର ସେବା ଯତ୍ନ କରିବା ପାଇଁ ପ୍ରଶାନ୍ତ ନିଜ ଘର ମଧ୍ୟ ଭୁଲି ଯାଇଥିଲେ । ୨୪ ଘଣ୍ଟା ବର୍ଷା ପାଖରେ ରହୁଥିଲେ । ବର୍ଷାକୁ ଆଉ କିଛି ଦିନ ମଧ୍ୟରେ ବଡ ଖୁଆଡ ମଧ୍ୟକୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ଖୁଆଡରେ ରହିବା ପ୍ରଶିକ୍ଷଣ ମଧ୍ୟ ତାକୁ ଦିଆ ସରିଛି ।

ସିଂହ ଛୁଆ ବର୍ଷା ଓ ପ୍ରଶାନ୍ତଙ୍କ ଅନାବିଳ ସମ୍ପର୍କ ଜଣାଇ ଦେଉଛି କି, ପଶୁର ହିଂସ୍ର ସ୍ଵଭାବ ବି ଭଲପାଇବା ଆଗରେ ବଦଳିଯାଏ । ସିଂହ ବି ମଣିଷ ପ୍ରେମରେ ପଡିଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।