ଗରୁଡ ପୁରାଣ ଅନୁସାରେ ଜାଣନ୍ତୁ ମା’ର ଗର୍ଭରେ ପିଲାର ୯ ମାସର କଷ୍ଟଭରା ଯାତ୍ରା

ସାଧାରଣତଃ ଅଧିକାଂଶ ଲୋକ ଗରୁଡ ପୁରାଣ ବିଷୟରେ ଜାଣି ନାହାନ୍ତି । ଆପଣମାନେ ମରଣର ପର ଅବସ୍ଥା ଗରୁଡ ପୁରାଣରୁ ଜାଣିଥିବେ । ହେଲେ ଆଜି ଆମେ ଆପଣଙ୍କୁ ଗରୁଡ ପୁରାଣରେ ଜନ୍ମ ସହ ଜଡିତ କିଛି ରହସ୍ୟ ଜନକ କଥା କହିବୁ ଯାହାକୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଗୋଟେ ଆତ୍ମା ବା ପ୍ରାଣୀର ଜନ୍ମ କେମିତି ହୋଇଥାଏ ଓ ସେ ଯେତେବେଳେ ଗର୍ଭରେ ଥାଏ ତା’ ସହ କଣ କଣ ସବୁ ହୋଇଥାଏ ଏହି ସବୁ ବିଷୟରେ ଆସନ୍ତୁ ଜାଣିବା ।

ଗରୁଡ ପୁରାଣ ହିସାବରେ ମଣିଷ ତା’ର କୁକର୍ମ ପାଇଁ ନର୍କରେ ଦଣ୍ଡ ପାଇଥାଏ । ନର୍କରେ ଦଣ୍ଡ ପାଇବା ପରେ ମଣିଷ ପୁନର୍ବାର ଜନ୍ମ ନେଇଥାଏ । ଗରୁଡ ପୁରାଣ ହିସାବରେ ପ୍ରାଣୀ ଗର୍ଭରେ ଥିବା ସମୟରେ ମଧ୍ୟ କଷ୍ଟ ଭୋଗ କରିଥାଏ । ମା’ ର ଗର୍ଭରୁ ଆସିବା ପରେ ଯେମିତି ହିଁ ମୃତ୍ୟୁଲୋକର ବାୟୁ ସ୍ପର୍ଶ କରିଥାଏ ଜୀବ ପୂର୍ବଜନ୍ମ ଓ ମୃତ୍ୟୁ ପରେ ତା’ ଆତ୍ମା ସହିତ ଯମଲୋକରେ ଯାହା ବି କରାଯାଇଥିଲା ସବୁ କିଛି ଭୁଲିଯାଇ ପୁଣି ମାୟାର ବନ୍ଧନରେ ବାନ୍ଧି ହୋଇଯାଇଥାଏ ।

ଯେତେବେଳେ ପ୍ରାଣୀ ଗର୍ଭରେ ଥାଏ ସେତେବେଳେ ସେ ବ୍ରହ୍ମଲୀନ ଅବସ୍ଥାରେ ବା ଧ୍ୟାନର ଅବସ୍ଥାରେ ରହିଥାଏ । ମା’ର ଗର୍ଭରେ ଥିବା ସମୟରେ ଆତ୍ମା ପରମପିତା ପରମେଶ୍ଵରଙ୍କ ବ୍ରହ୍ମଜ୍ୟୋତି ର ଧ୍ୟାନ କରିଥାଏ । ଏଥିପାଇଁ ପିଲାର ଜନ୍ମ ପରେ ପିଲାକୁ ଜୋରରେ ଚାପୁଡା ମରାଯାଇଥାଏ ଯାହା ଦ୍ଵାରା ତା’ର ସେହି ଧ୍ୟାନ ଭଙ୍ଗ କରାଯାଇପାରିବ । ଏହା ପରେ ପିଲା’ର ଧ୍ୟାନ ଭାଙ୍ଗିଯାଇଥାଏ ଓ ସେ ଯେମିତି ହିଁ ଆଖି ଖୋଲିଥାଏ ତା’ର ଆତ୍ମା ଏହି ସଂସାରକୁ ଦେଖିଥାଏ ଓ ପୁଣିଥରେ ସେ ଭଲ ଓ ଖରାପ କାମ କରିବାରେ ଲାଗିପଡେ ।

ଗର୍ଭରେ ଥିବା ସମୟରେ ଆତ୍ମାକୁ କେଉଁ କଷ୍ଟ ଭୋଗିବାକୁ ପଡିଥାଏ

ପ୍ରଥମେ ପ୍ରାଣୀ ଗର୍ଭରେ ଥିବା ସମୟରେ ଏକ ଅଣ୍ଡାକାର ଅବସ୍ଥାରେ ରହିଥାଏ । ଏହା ପରେ ତାର ମସ୍ତିସ୍କ ସୃଷ୍ଟି ହୋଇଥାଏ । ପ୍ରାଣୀର ୧ ମାସରେ ମସ୍ତକ, ୨ ମାସରେ ଭୁଜା ଆଦି ଅଙ୍ଗର ରଚନା ହୋଇଥାଏ ଓ ତୃତୀୟ ମାସରେ ହାଡ, ଲୀଙ୍ଗ, ଚର୍ମ ଆଦି ହୋଇଥାଏ । ଚତୁର୍ଥ ମାସରେ ମାଂସ, ତ୍ଵଚା, ମାଂସ, ମେଦ, ଅସ୍ତି ଆଦିର ଉତ୍ପତ୍ତି ହୋଇଥାଏ ।

ଏହା ସବୁ ପରେ ପଞ୍ଚମ ମାସରେ ପ୍ରାଣୀକୁ ଭୋକ ଓ ଶୋଷ ଲାଗିଥାଏ । ଏହି ଅବସ୍ଥାରେ ପ୍ରାଣୀ ଗର୍ଭରେ ମଳ, ମୁତ୍ର, କୁର୍ମି ଓ ଅନ୍ୟ ପ୍ରକାରର ସୂକ୍ଷ୍ମଜୀବଙ୍କ ସହ ଶୋଇଥାଏ । ପୁଣି ଆସନ୍ତା ପ୍ରାଣିକୁ ଅନେକ ପ୍ରକାରର କଷ୍ଟ ର ସାମ୍ନା କରିବାକୁ ପଡିଥାଏ । ପ୍ରାଣୀ ଏହି ଅବସ୍ଥାରେ ବହୁତ ଥର ବେହୋସ ମଧ୍ୟ ହୋଇଥାଏ ।

ଯେତେବେଳେ ମା କିଛି ଖଟା, ରାଗ ଓ ଲୁଣୀ ଜିନିଷ ଖାଇଥାଏ, ସେତେବେଳେ ଜୀବର କୋମଳ ଅଙ୍ଗକୁ ବହୁତ କଷ୍ଟ ହୋଇଥାଏ ଓ ସେଥିପାଇଁ ସେ ଦୟାର ବିନତି କରିଥାଏ । ଏହି ସମୟରେ ଜୀବ ର ମୁଣ୍ଡ ଗୋଡ ଉପରକୁ ଓ ମୁଣ୍ଡ ତଳକୁ ରହିଥାଏ ଓ ସେ ହଲଚଲ ହୋଇ ପାରିନଥାଏ । ଯେମିତି ପଞ୍ଜୁରୀରେ ଥିବା ପକ୍ଷୀ ଯେପରି କଷ୍ଟ ପାଇଥାଏ ଠିକ ସେହିପରି ଗର୍ଭରେ ଥିବା ସମୟରେ ଜୀବ କଷ୍ଟ ପାଇଥାଏ ।

ଏହି ସମୟରେ ଜୀବ ଭଗବାନଙ୍କୁ ମନେ ପକାଇ ପୂର୍ବଜନ୍ମର କର୍ମ ପାଇଁ ଭଗବାନଙ୍କୁ କ୍ଷମା ମାଗିଥାଏ । ଜୀବକୁ ଗର୍ଭରେ ୭ ମାସରେ ଜ୍ଞାନପ୍ରାପ୍ତି କରି ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିଥାଏ ଓ ତାଙ୍କ ଚରଣରେ ଶରଣ ପାଇବା ପାଇଁ ବିନତି କରିଥାଏ ।