ସାଧାରଣତଃ ମଣିଷ ସଫଳତା ହାସଲ କରିବା ପାଇଁ କୌଣସି ବି ସୀମା ପାର କରିନିଏ । ହେଲେ ସେହି ଲୋକ ସଫଳତା ପାଇଁ ଯୋଗ୍ୟ ହୋଇ ନଥାଏ । ଏହା ସହ ଜଡିତ ଏକ କଥା ଅଛି । ଜଣେ ଗୁରୁଙ୍କର ବହୁତ ଶିଷ୍ୟ ଥିଲେ । ସମସ୍ତଙ୍କ ମଧ୍ୟରୁ ଜଣେ ଶିଷ୍ୟ ବହୁତ ବର୍ଷ ପୂର୍ବରୁ ଗୁରୁଙ୍କ ପାଖରେ ରହୁଥିଲା । ଆଶ୍ରମକୁ ସବୁବେଳେ କିଛି ନୂଆ ଶିଷ୍ୟ ଆସୁଥିଲେ । ଏମାନଙ୍କୁ ଗୁରୁ ଭଲ ମଣିଷ ହେବାର ଶିକ୍ଷା ଦେଉ ଥିଲେ ।
ଦିନେ ସେହି ପୁରୁଣା ଶିଷ୍ୟଟି ଭବିଲା କି ସେ ଏତେ ଦିନ ହେଲାଣି ଗୁରୁଙ୍କ ସହ ରହିଲାଣି, ଗୁରୁ ଯାହା ସବୁ ଶିଷ୍ୟଙ୍କୁ ପଢାଉଛନ୍ତି, ତାକୁ ମଧ୍ୟ ସେ ସବୁ ଜଣା ଅଛି ଓ ସେ ବି ଶିଷ୍ୟଙ୍କୁ ପାଠ ପଢାଇ ପାରିବ । ଏହା ଭାବି ଶିଷ୍ୟଟି ନିଜର ଏକ ଆଶ୍ରମ ଆରମ୍ଭ କରିଲା ଓ ଏହି ଆଶ୍ରମରେ ବହୁତ ଶିଷ୍ୟ ଆସିବାକୁ ଲାଗିଲେ । ହେଲେ ଶିଷ୍ୟର ଜ୍ଞାନ ଧୀରେ ଧୀରେ କମ ହେବାକୁ ଲାଗିଲା ।
ତେଣୁ ସେ ସେହି ଆଶ୍ରମକୁ ଛାଡି ତାର ଗୁରୁଙ୍କ ପାଖକୁ ଯାଇ କହିଲା, ‘ମୁଁ ଏତେ ଦିନ ହେଲାଣି ଆପଣଙ୍କ ପାଖରେ ରହିଛି, ହେଲେ ଯେବେ ଲୋକଙ୍କୁ ଜ୍ଞାନ ଦେବାର ଆବଶ୍ୟକତା ପଡିଲା ସେତେବେଳେ ମୋ ଜ୍ଞାନ କମ ପଡିଗଲା’ ଓ ଏହା ମଧ୍ୟ କହିଲା କି ‘କଣ ମୁ ସବୁ ଦିନ ଏମିତି ଶିଷ୍ୟ ହୋଇ ରହିବି, କଣ କେବେବି ଗୁରୁ ହୋଇପାରିବିନି ? ମୁଁ ମୋ ଜୀବନରେ ଗୁରୁଙ୍କ ସ୍ଥାନ ପାଇବା ପାଇଁ ଚାହୁଁଛି । ଏହା କେମିତି ହାସଲ ହେବ’ ।
ନିଜ ଶିଷ୍ୟର କଥା ଶୁଣି ଗୁରୁ ଟିକେ ହସି କହିଲେ, ‘କେବେଳ କିଛି ବର୍ଷ ତମେ ମୋ ସହ ରହିବା ଦ୍ଵାରା ଗୁରୁର ସ୍ଥାନ ନେଇପାରିବନି । ଏହି ସ୍ଥାନ ହାସଲ କରିବାକୁ ହେଲେ ବହୁତ ବର୍ଷ ଧରି ସାଧନା କରିବାକୁ ପଡିଥାଏ । ଯେବେ ତୁମର ଯୋଗ୍ୟତା ଆସିଯିବ ସେତେବେଳେ ତୁମେ ଗୁରୁ ହେବା ପାଇଁ ଯୋଗ୍ୟ ହୋଇଯିବ ।’
ଏହାକୁ ଶୁଣି ଶିଷ୍ୟ ଏକ ପ୍ରଶ୍ନ ପଚାରିଲା କି ଆଉ କେତେ ବର୍ଷ ପର୍ଯ୍ୟନ୍ତ ମତେ ଅପେକ୍ଷା କରିବାକୁ ପଡିବ । ତା ପରେ ଗୁରୁ କହିଲେ ଗୋଟେ ଛୋଟ ଗଛକୁ ବଡ ହେବା ପାଇଁ କିଛି ସମୟ ଲାଗିଥାଏ, ଯେତେବେଳେ ସେହି ଗଛର ଯୋଗ୍ୟତା ହୋଇଯାଏ ସେହି ଗଛଟି ସମସ୍ତଙ୍କୁ ଛାୟା ପ୍ରଦାନ କରେ । ଠିକ ସେମିତି ଯେତେବେଳେ ତୁମର ଯୋଗ୍ୟତା ହୋଇଯିବ ସେତେବେଳେ ସଫଳତା ତୁମ ପାଖକୁ ଆସିବ ।
ସବୁ ଜିନିଷର ଗୋଟେ ସମୟ ଥାଏ ଓ ଯେତେବେଳେ ସେହି ସମୟ ଆସିଥାଏ ତାହା ଆପେ ଆପେ ଜଣା ପଡିଥାଏ । ଏଥିପାଇଁ ସଫଳତା ପାଇବାକୁ ହେଲେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ । ଧୈର୍ଯ୍ୟ ଧରନ୍ତୁ ସଫଳତା ଆପେ ଆପେ ଆସିଯିବ ।