ଲଘୁଚାପ ରୂପ ନେଇ ସାରିଲାଣି ସମ୍ଭାବ୍ୟ ବାତ୍ୟା, କେତେ ରହିବ ତୀବ୍ରତା ଓ କେଉଁଠି କରିବ ଲ୍ୟାଣ୍ଡଫଲ ? ଦେଖନ୍ତୁ କଣ କହୁଛି IMD

ଓଡିଶାକୁ ବାତ୍ୟା ଆଶଙ୍କା ମାଡି ଆସୁଛି । ଯାହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର । ୧୮ଟି ଜିଲ୍ଲାକୁ ଏନେଇ ସତର୍କ ସୂଚନା ଦିଆଯାଇଛି । ବାତ୍ୟା ଆଗରୁ ସବୁ ପ୍ରକାର ବ୍ୟବସ୍ଥା କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇସାରିଛି । ଆଉ କିଛି ସମୟ ପରେ ଏହା ଧୀରେ ଧୀରେ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଉଛି । ଏହା ଯୋଗୁଁ ଭୀଷଣ ବର୍ଷା ଓ ପବନ ସହ ବଜ୍ରପାତର ଆଶଙ୍କା ମଧ୍ୟ ରହିଛି ।

ସେପଟେ ବାତ୍ୟା ସାଙ୍ଗକୁ ଏପଟେ ରାଜ୍ୟରେ କାୟା ମେଲିଛି ଭୟଙ୍କର କାଳ ବୈଶାଖୀ । ଯେଉଁଥି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉଭୟ କାଳ ବୈଶାଖୀ ଓ ବାତ୍ୟା ଠାରୁ ସତର୍କ ରହିବା ପାଇଁ ସ୍ଵତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି । ଲଘୁଚାପ ବାତ୍ୟା ରୂପ ନେଲେ ଯାଇ ସଠିକ ଆକଳନ କରିହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ପ୍ରାକ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଥିବା ବେଳେ ବାତ୍ୟା ମୁକାବିଲା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ୧୮ଟି ଜିଲ୍ଲାଙ୍କୁ ସ୍ଵତନ୍ତ୍ର ଚିଠି ଲେଖି ଆଲର୍ଟ କରାଯାଇଛି । ତେବେ ସେହି ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ ।

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସୁଦ୍ଧା ଭୟଙ୍କର ଲଘୁଚାପର ରୂପ ନେବ । ଏହାପରେ ଯାଇ ବାତ୍ୟାର ଗତିପଥ ଓ ଘନତାକୁ ନେଇ ସଠିକ ଆକଳନ କରିହେବ । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ଓ ଏହାର ତୀବ୍ରତା କେତେ ରହିବ ଏସବୁ ପ୍ରଶ୍ନର ଉତ୍ତର ଲଘୁଚାପ ସୃଷ୍ଟି ହେବା ପରେ ଯାଇ ସ୍ପଷ୍ଟ ଭାବେ ମିଳିପାରିବ । ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତ ତଥା ଗଭୀର ଅବପାତରେ ପରିଣତ ହୋଇପାରେ ।

ଏଭଳି ସ୍ଥିତିରେ ଆଣ୍ଡାମାନ ସାଗର, ଏହା ନିକଟସ୍ଥ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ମତ୍ସଜୀବୀଙ୍କୁ ଆସନ୍ତା ୫ଦିନ ଯାଏଁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟା ଯୋଗୁଁ ଲୋକେ ଅଯଥା ଭୟଭୀତ ନହୋଇ ଅଧିକ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ନ ରଖିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।

ଏହାଦ୍ବାରା ବଜାରରେ କୃତ୍ରିମ ଅଭାବ ଦେଖା ଦେଇପାରେ ଓ ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି ବୋଲି ସେ ଚେତାଇ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।