ଇନ୍ସପେକ୍ଟର ସ୍ଵାମୀ ଅଧରାତିରେ ସ୍ତ୍ରୀକୁ ବସ୍ତାରେ ପୁରେଇ ନେଇଗଲା ଜଙ୍ଗଲ, 50 ଦିନ ପରେ ହେଲା କିଛି ଏମିତି…

୫୦ ଦିନ ଧରି ଗାୟବ ଥିଲେ ଇନ୍ସପେକ୍ଟରଙ୍କ ସ୍ତ୍ରୀ । ଖୋଳତାଡ କରିବାରୁ ସାମନାକୁ ଆସିଥିଲା ଖାକି ତଳେ ଲୁଚି ରହିଥିବା ଇନ୍ସପେକ୍ଟର ସ୍ଵାମୀର ଅସଲି ଚେହେରା । ନିଜ ସ୍ବାମୀଙ୍କ ଖୁନି ଖେଳର ଶିକାର ହୋଇଛନ୍ତି ଗୁଜୁରାଟର ୩୭ ବର୍ଷୀୟ ସୁଇଟି । ତାଙ୍କ ସ୍ଵାମୀ ଅଜୟ ଦେଶାଇ ସ୍ପେଶିଆଲ ଅପରେସନ ଅଫ ଗୃପ କର୍ଜନ ପୋଲିସ ଥାନାର ଇନ୍ସପେକ୍ଟର ଅଟନ୍ତି ।

ପ୍ରଥମରୁ ବିବାହ କରି ସାରିଥିବା ସୁଇଟି ୨୦୧୫ରେ ଆମେରିକାରେ ଥିବା ସ୍ବାମୀଙ୍କୁ ଛାଡପତ୍ର ଦେବା ପରେ ନିଜ ଘର ଗୁଜୁରାଟ ଫେରି ଆସିଥିଲେ । ଗୁଜୁରାଟ ଆସିବା ପରେ ସୁଇଟିଙ୍କ ବନ୍ଧୁତା ଇନ୍ସପେକ୍ଟର ଅଜୟ ଦେଶାଇଙ୍କ ସହ ହୋଇଥିଲା । ସୁଇଟି ଜଣେ ଉଚ୍ଚ ଶିକ୍ଷିତା ଓ ସବୁବେଳେ ହସ ହସ ମୁହଁ ଥିବା ଝିଅ ଥିଲେ ।

ପୋଲିସ ଚାକିରି କରିଥିବା ଅଜୟଙ୍କୁ ସେ ହୃଦୟ ଦେଇ ବସିଥିଲେ ଓ ୨୦୧୬ରେ ଏମାନେ ଦୁହେଁ ପ୍ରେମ ବିବାହ କରିଥିଲେ । ବିବାହର କିଛି ସମୟ ପରେ ତାଙ୍କର ଏକ ସନ୍ତାନ ମଧ୍ୟ ହୋଇଥିଲା ଓ ସମସ୍ତେ ଖୁବ ଖୁସି ଥିଲେ । କିନ୍ତୁ ଠିକ ସେତିକି ବେଳେ ଅଜୟ, ସୁଇଟିଙ୍କୁ ଛାଡପତ୍ର ଦେଇ ଅନ୍ୟ ଜଣେ ଝିଅଙ୍କୁ ବିବାହ କରିନେଲେ । ନିଜ ସ୍ଵାମୀକୁ ଅନ୍ୟ କାହା ପାଖରେ ଦେଖିବା ସୁଇଟିଙ୍କ ପାଇଁ ଅସହନୀୟ ହୋଇ ପଡିଥିଲା । ସେଥିପାଇଁ ସେ ଅଜୟଙ୍କୁ ତାଙ୍କ ଦେଇତ୍ୟା ପତ୍ନୀଙ୍କୁ ଛାଡପତ୍ର ଦେବାକୁ ବାରମ୍ବାର ଚାପ ପକାଉଥିଲେ ।

ଅଜୟ ଯେତେ ମନା କଲେ ମଧ୍ୟ ସୁଇଟି ମାନିବାକୁ ପ୍ରସ୍ତୁତ ନ ଥିଲେ । ସୁଇଟିଙ୍କ ଏହି ବ୍ୟବହାରରେ ଅତିଷ୍ଠ ହୋଇ ଅଜୟ, ସୁଇଟିଙ୍କୁ ସବୁଦିନ ପାଇଁ ତାଙ୍କ ରସତରୁ ହଟାଇବା ପାଇଁ ଯୋଜନା କରିଥିଲେ । ଏହା ପରେ ଯୋଜନା ଅନୁସାରେ ଘଟଣା ଦିନ ରାତିରେ ନିର୍ଦ୍ଦୟ ଭାବେ ତଣ୍ଟି ଚିପି ସୁଇଟିଙ୍କୁ ହତ୍ୟା କରିଥିଲେ ସ୍ଵାମୀ ଅଜୟ । ସେ ଜଣେ ପୋଲିସ ହୋଇଥିବାରୁ ଭଲ ଭାବେ ଜାଣିଥିଲେ କି ତଦନ୍ତ କରି ପୋଲିସ ତାଙ୍କ ପାଖେ ନିଶ୍ଚୟ ପହଞ୍ଚିବ ।

ସେଥିପାଇଁ ହତ୍ୟା କରିବା ପରେ ସୁଇଟିଙ୍କୁ ଘର ଠାରୁ ୫୦ କିମି ଦୂର ଅଟାଳି ଗ୍ରାମକୁ ନେଇ ସେଠାରେ ବନ୍ଦ ପଡିଥିବା ଏକ ହୋଟେଲରେ ତାଙ୍କ ମୃତ ଶରୀରକୁ ସଂପୂର୍ଣ୍ଣ ଭାବେ ଜାଳି ଦେଇଥିଲେ । ଘଟଣାର କିଛି ଦିନ ପରେ ସୁଇଟିଙ୍କ ଭାଇ ତାଙ୍କ ନିଖୋଜ ଥିବା ନେଇ ଏକ ମାମଲା ରୁଜୁ କରିଥିଲେ । ଅଜୟଙ୍କୁ ପଚରା ଯିବାରୁ ସେ କହିଥିଲେ କି, ଜୁନ ୫ ତାରିଖ ରାତିରେ ସୁଇଟି ଘର ଛାଡି ଚାଲି ଯାଇଥିଲେ । ଘରର ସିସିଟିଭି ଫୁଟେଜ ଚେକ କରାଯିବାରୁ ଅଜୟଙ୍କ ଉପରେ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା ।

ଏହାପରେ ପୋଲିସ ଏହି କେସକୁ ଗମ୍ଭୀର ଭାବେ ନେଇ ତଦନ୍ତ କାର୍ଯ୍ୟ ଜାରି ରଖିଥିଲା । ତାଙ୍କ ଫୋନ ଲୋକେସନ ଯାଞ୍ଚ କରାଯିବାରୁ ଅଟାଳି ଗ୍ରାମର ଆଖପାଖରେ ଦେଖାଇ ଥିଲା, ଯେଉଁଠି କିଛି ଦିନ ପୂର୍ବେ ଏକ ପୋଡି ଯାଇଥିବା ଶବର କିଛି ଅଂଶ ମିଳିଥିଲା । ଅଜୟଙ୍କ ଘରର ବାଥରୁମରୁ ମଧ୍ୟ ରକ୍ତ ଦାଗ ମିଳିଥିଲା । ତାଙ୍କ ପୋଲିଗ୍ରାମ ଟେଷ୍ଟ କରା ଯାଇଥିଲା, କିନ୍ତୁ ନାରକୋ ଟେଷ୍ଟ ପାଇଁ ସେ ରାଜି ହେଉ ନ ଥିଲେ । କିନ୍ତୁ ପୋଲିସର ବାରମ୍ବାର ପଚରା ଉଚରାରେ ଅତିଷ୍ଠ ହୋଇ ସବୁ ସତ ମାନି ଯାଇଥିଲେ ଇନ୍ସପେକ୍ଟର ଅଜୟ ଦେଶାଇ ।