ଗଳାରେ ଦରଜ ହେଉଛି କି ? ଏହା ଟନସିଲାଇଟିଜ (Tonsillitis) ର କାରଣ ହୋଇପାରେ, ଦେଖନ୍ତୁ ଏ ନେଇ Dr. N Himansu Choudhury ଙ୍କ ଖାସ୍ ଟିପ୍ସ

ଆମ ଜିଭର ଭିତର ଭାଗରେ ଦୁଇ ପାର୍ଶ୍ଵରେ ତାଳୁ ତେଲ ତଥା ଘଣ୍ଟିକାର ଦୁଇ ପାରଶ୍ଵର ଟନସିଲ୍ ରହିଥାଏ । ଆମ ଗଳାରେ ଥିବା ଏହି ଟନସିଲ୍ ଗ୍ରନ୍ଥିର ପ୍ରଦାହକୁ ଟନସିଲାଇଟିଜ ବୋଲି କୁଆହାଯାଏ । ଭୂତାଣୁ ଓ ଜୀବାଣୁ ସଂକ୍ରମଣ ହେତୁ ଟନସିଲାଇଟିଜ ରୋଗ ହୋଇଥାଏ । ତେବେ ଟନସିଲାଇଟିଜ କଣ ? କେତେବେଳେ ସର୍ଜରୀର ଆବଶ୍ୟକତା ପଡେ ? ଏହାର ନିରାକରଣ ଓ ଚିକିତ୍ସା ବିଷୟରେ ଚାଲନ୍ତୁ ଜାଣିବା କର୍ଣ୍ଣ, ନାଶା ଓ ଗଳା (ENT) ବିଶେଷଜ୍ଞ ଡାକ୍ତର ଏନ. ହିମାଂଶୁ ଚୌଧୁରୀଙ୍କ ଠାରୁ ।

ଟନସିଲ୍ ର କାମ ହେଉଛି ପିଲାମାନେ ଛୋଟ ଥିବାବେଳେ ଏହା ତାଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । କିନ୍ତୁ ପିଲାଙ୍କ ବୟସ ବଢିବା ସହ ଟନସିଲ୍ କାମ କରିବା ଧୀରେ ଧୀରେ ବନ୍ଦ ହୋଇଯାଏ । ଟନସିଲାଇଟିଜ ସାଧାରଣତଃ ଦୁଇ ପ୍ରକାରର ଯଥା:- ଏକ୍ଯୁଟ ଟନସିଲାଇଟିଜ ଓ କ୍ରୋନିକ ଟନସିଲାଇଟିଜ । ଯଦି ଏକ ସପ୍ତାହ ପର୍ଯ୍ୟନ୍ତ ଟନସିଲ୍ ର ସଂକ୍ରମଣ ଲାଗି ରୁହେ ତାକୁ ଏକ୍ଯୁଟ ଟନସିଲାଇଟିଜ ଓ ଯଦି ଦୀର୍ଘ ଦିନ ଧରି ଏହି ସମସ୍ଯା ଲାଗି ରୁହେ ତେବେ ତାକୁ କ୍ରୋନିକ ଟନସିଲାଇଟିଜ ବୋଲି କୁହାଯାଏ ।

ଏକ୍ଯୁଟ ଟନସିଲାଇଟିଜ ବହୁତ ଯନ୍ତ୍ରଣାଦାୟକ ହୋଇଥାଏ ଓ ଏହା ସାଧାରଣତଃ ପିଲାମାନଙ୍କୁ ଅଧିକ ହୋଇଥାଏ । ଏକ୍ଯୁଟ ଟନସିଲାଇଟିଜ ଧୀରେ ଧୀରେ କ୍ରୋନିକ ଟନସିଲାଇଟିଜରେ ପରିଣତ ହୋଇଥାଏ । ଟନସିଲାଇଟିଜର ଲକ୍ଷଣ ହେଉଛି ଗଳାରେ ଯନ୍ତ୍ରଣା ହେବା, ଖାଇବା ବେଳେ କଷ୍ଟ ହେବା, ଗଳା ଫୁଲିବା, କାନ ବ୍ୟଥା ହେବା ଓ ବେଳେ ଜ୍ଵର ମଧ୍ୟ ଆସିଥାଏ ।

ପିଲାଙ୍କ କ୍ଷେତ୍ରରେ ନିଃଶ୍ଵାସ ନେବାରେ ମଧ୍ୟ ଅସୁବିଧା ହୋଇଥାଏ ଓ ପିଲା ପାଟି ଖୋଲିକରି ଶୋଇଥାଏ । କଷ୍ଟ ହେବା ହେତୁ ପିଲା ଖାଇବାକୁ ମଧ୍ୟ ମନା କରିଥାଏ । କିନ୍ତୁ ଏହା ବାରମ୍ବାର ହେବା ଦ୍ଵାରା ପିଲାକୁ କ୍ରୋନିକ ଟନସିଲାଇଟିଜ ହୋଇଥାଏ । ଏହି ଟନସିଲାଇଟିଜରେ ପିଲା ଘୁଙ୍ଗୁଡି ମାରେ, ପିଲା ବଢିପାରେ ନାହିଁ ଓ ସବୁବେଳେ ହାଲିଆ ଲାଗେ । ଟନସିଲ୍ ବଢିବାକୁ ନେଇ ତାକୁ ମଧ୍ୟ ଗ୍ରେଡ ୧ରୁ ୪ ଯାଏଁ ଚାରୋଟି ଷ୍ଟେଜରେ ବିଭକ୍ତ କରାଯାଇଛି ।

ତେବେ କିଛି ଭାଇରସ ଏବଂ ଜୀବାଣୁ ଟନସିଲାଇଟିଜର ମୁଖ୍ୟ କାରଣ । ଅପରିଷ୍କାର ରହିବା, ବାହାରର ଖାଦ୍ଯ ଖାଇବା ଓ ପାଣି ପିଇବା ଦ୍ଵାରା ଟନସିଲାଇଟିଜ ହୋଇଥାଏ ଓ ଏହା ପିଲାର ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଟନସିଲାଇଟିଜର ସାଇଜ ଯେତେ ବଢିଥାଏ ସେତେ କଷ୍ଟ ହୋଇଥାଏ ।

ଟନସିଲ୍ ବଢିବା ଦ୍ଵାରା ଗଳାରେ ଅନେକ ପ୍ରକାରର ସମସ୍ଯା ଦେଖା ଦେଇଥାଏ ଓ ଜଏଣ୍ଟ ପେନ୍ ଭଳି ସମସ୍ଯା ମଧ୍ୟ ହୋଇଥାଏ । ଟନସିଲାଇଟିଜ ଶରୀରର ଅନ୍ୟ ଅଙ୍ଗ ଉପରେ ପ୍ରଭାବ ପକାଇବାର ମଧ୍ୟ ଦେଖିବାକୁ ମିଳେ । ଯଦି ଆପଣଙ୍କୁ ଟନସିଲାଇଟିଜ ହୋଇଛି ତେବେ ଏହାକୁ ହେଳା ନକରି ଶୀଘ୍ର ପରାମର୍ଶ କରନ୍ତୁ ଓ ଏହାର ଚିକିତ୍ସା କରାନ୍ତୁ ।

ପ୍ରାଥମିକ ପର୍ଯ୍ୟାୟରେ ମେଡିସନ ଦ୍ଵାରା ଓ ସୁସ୍ଥ ଜୀବନଶୈଳୀ ଅତିବାହିତ କରିବା ଦ୍ଵାରା ଏହାର ସଫଳ ଚିକିତ୍ସା ହୋଇପାରେ । କିନ୍ତୁ ଏଥିରେ ଜଟିଳତା ଦେଖା ଦେଲେ ଡାକ୍ତର ସର୍ଜରୀ କରିବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।