ଦିନରେ ମାଟ୍ରିକ ପରୀକ୍ଷା ଆଉ ରାତିରେ ଜୋତା ପଲିସ୍, ବାପାମା’ କହୁଛନ୍ତି ଏମିତି ପୁଅ ଭାଗ୍ୟରେ ଥିଲେ ମିଳେ !

ରାତି ପାହିଲେ ମାଟ୍ରିକ ପରୀକ୍ଷା ଦେବେ । ପରୀକ୍ଷାରେ ଭଲ କରିବେ ବୋଲି ବହିଖାତା ଧରି ପଢିବାକୁ ଭାରି ମନ । ହେଲେ ପରିବାରର ଅଭାବ ଅନଟନ ଯୋଗୁଁ ହାତରେ ବହିଖାତା ବଦଳରେ ରହିଛି ଜୋତା ପଲିସ୍ ବ୍ରଶ । ଛୋଟିଆ ଦୋକାନ ଭିତରେ ମିଞ୍ଜିମିଞ୍ଜି ଆଲୁଅରେ ଜୋତା ପଲିସ୍ କରୁଛି ଆଉ ସମୟ ମିଳିଲେ ଟିକେ ପାଠ ପଢିଦେଉଛି । କରେଣ୍ଟ କଟିଗଲେ ଡିବିରି ବତୀଟିଏ ଜଳେଇ ଦେଉଛି । ସଂଘର୍ଷ କରି ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଏହି ଛାତ୍ରଙ୍କ ସ୍ଵପ୍ନ ରହିଛି ବଡ ହେଲେ ପୋଲିସ ଅଫିସର ହେବେ ।

ମାତ୍ର 16 ବର୍ଷ ବୟସରେ ଠିକରେ ଦୁନିଆ ଦେଖି ନଥିବା ପିଲାଟି କାନ୍ଧରେ ଲଦି ହୋଇଯାଇଛି ପୁରା ପରିବାରର ବୋଝ । ଦୀର୍ଘ ତିନି ବର୍ଷ ହେଲାଣି ଜୋତାଚପଲ ସିଲେଇ ଓ ପଲିସ୍ କରି ପରିବାର ଚଳେଇବା ସହ ପାଠ ପଢୁଛନ୍ତି ଏହି ଛାତ୍ର । ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବାପାଙ୍କ ଜୋତା ପଲିସ୍ ଦୋକାନକୁ କୁନି ବୟସରୁ ସମ୍ଭାଳୁଛନ୍ତି । ଗୋଟିଏ ପଟେ ବାପାମା’ ଓ ଭଉଣୀଙ୍କ ଯତ୍ନ ଆଉ ଗୋଟିଏ ପଟେ ନିଜ ଭବିଷ୍ୟତ ।

ସବୁ ସଂଘର୍ଷ ଭିତରେ ସ୍ଵପ୍ନ ନେଇ ଆଗକୁ ବଢି ଚାଲିଛନ୍ତି ପୁରୀ ଜିଲ୍ଲା ବଳଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ପୂର୍ଣ୍ଣଚନ୍ଦ୍ର ଦାସ । ସେ ଦୋକାନରେ ଥିବାବେଳେ କୁନି ଭଉଣୀ ଖାଇବା ନେଇ ଆସେ ଓ ଭାଇକୁ ନିଜ ହାତରେ ଖୁଆଇ ଦିଏ । ତାଙ୍କର ନିଜର ଜମିବାଡି କିଛି ନଥିବା ବେଳେ କୁନି ପିଲା ଉପରେ ପୁରା ପରିବାର ନିର୍ଭରଶୀଳ ରହିଛି ।

ଜେଜେବାପାଙ୍କ ଅମଳରୁ ସରକାରୀ ଜମି ଉପରେ ଗୋଟିଏ ବଖରା ଘର କରି ରହି ଆସୁଛନ୍ତି ପୁରା ପରିବାର । ଭୂମିହୀନ ହେଲେ ମଧ୍ୟ କୌଣସି ଜମି ମିଳିନି କି ପଟ୍ଟା ନାହିଁ ବୋଲି ସ୍କୁଲରୁ ବି କିଛି ସୁବିଧା ମିଳୁନି । ଘରଟିଏ ପାଇଁ ନେତା ମନ୍ତ୍ରୀ ଓ ସରକାରୀ ଅଫିସ ଦୌଡି ଦୌଡି ବାପା ଭାସ୍କର ଦାସ ବି ନିରାଶ ହୋଇଗଲେଣି । ହେଲେ ବାପାମା’ ପୁଅର ଏଭଳି ପରିଶ୍ରମ ଦେଖି ବହୁତ ଖୁସି ଅଛନ୍ତି ଓ ଏଭଳି ପୁଅ ପାଇଁ ଗର୍ବିତ ବୋଲି କୁହନ୍ତି ।

ସତରେ ଆଜିର ଦୁନିଆରେ ଏଭଳି ପୁଅ ଭାଗ୍ୟରେ ଥିଲେ ମିଳେ । ସରକାରୀ ସହାୟତା କିଛି ମିଳିଲେ ଏହି ପରିବାରକୁ ଘରେ ଖଣ୍ଡେ ମିଳିବା ସହ ଦୁଇ ପିଲାଙ୍କ ଭବିଷ୍ୟତ ଉଜ୍ବଳ ହୋଇପାରନ୍ତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।