Covid-19 Alert: ଭାରତରେ ପୁଣି ବଢିଲା କରୋନା ଭୟ, 5 ଦେଶରେ ସଂକ୍ରମଣ ବୃଦ୍ଧି ପାଇବା ପରେ ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ !

ଗତ ଦୁଇ ବର୍ଷ ଧରି କାୟା ବିସ୍ତାର କରିଥିବା କୋଭିଡ ମହାମାରୀ ବାରମ୍ବାର ଲୋକଙ୍କୁ ଡରେଇବାରେ ଲାଗିଛି । ଗତ କିଛି ମାସ ଧରି ଦେଶରେ ସ୍ଥିତି ସାମାନ୍ଯ ସ୍ଵାଭାବିକ ଥିବାବେଳେ ବର୍ତ୍ତମାନ ପୁଣି ଥରେ ଦେଶକୁ ଘାରିଲାଣି କରୋନା ଚିନ୍ତା । କାରଣ ଗତ କିଛିଦିନ ଧରି ଚୀନରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଚୀନ ସମେତ ଅନ୍ୟ 5ଟି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଖବର ସାମ୍ନାକୁ ଆସିଛି ।

ଚୀନ, ଜାପାନ, ଆମେରିକା, କୋରିଆ ଏବଂ ବ୍ରାଜିଲ ଆଦି ଦେଶ ମାନଙ୍କରେ କିଛି ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସବୁ ଦେଶ ମାନଙ୍କରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବା ପରେ ଭାରତ ସରକାର ସତର୍କ ହୋଇ ଯାଇଛନ୍ତି । ତେଣୁ ବର୍ତ୍ତମାନ ମିଳୁଥିବା କରୋନା ନମୁନାର ଜିନୋମ ସିକ୍ଯୁଏନ୍ସିଙ୍ଗ କରିବା ପାଇଁ ପଠେଇବାକୁ ଦେଶର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର ।

କାରଣ ଏହାଦ୍ବାରା ସମୟ ଥାଉ ଥାଉ କରୋନାର ନୂଆ ଭ୍ୟାରିଆଣ୍ଟ ବିଷୟରେ ଜଣାପଡିବ ଓ କରୋନା ଅଧିକ ବ୍ୟାପିବା ପୂର୍ବରୁ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ । ସେଥିପାଇଁ  ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । କରୋନାର ନୂଆ ଭ୍ୟାରିଆଣ୍ଟ ବିଷୟରେ ଜାଣିବା ପାଇଁ ଏହାର ଜିନୋମ ସିକ୍ଯୁଏନ୍ସିଙ୍ଗ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ଏଥିପାଇଁ ସମସ୍ତ ରାଜ୍ୟକୁ ନମୁନା ପଠାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ପଠାଇଥିବା ଚିଠିରେ କୁହାଯାଇଛି । ଏହାସହ ଚିଠିରେ ଦେଶର ସମସ୍ତ ରାଜ୍ୟମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି । ତେବେ ଏନେଇ କୋଭିଡ ଟୀକାକରଣ ଅଭିଯାନର ମୁଖିଆ କହିଛନ୍ତି କି, ପଡୋଶୀ ଦେଶ ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ବି ଭାରତକୁ ଏନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

କାରଣ ଚୀନରେ ଏ ଯାଏଁ ଅନେକ ଲୋକଙ୍କର ଟୀକାକରଣ ହୋଇ ନଥିବା ବେଳେ ଆମ ଦେଶରେ ଟୀକାକରଣ ସଫଳ ଭାବେ ହୋଇସାରିଛି । ହେଲେ ବିଶ୍ବରେ ଦେଖା ଦେଇଥିବା ନୂଆ ଭ୍ୟାରିଆଣ୍ଟ ଭାରତରେ ମଧ୍ୟ ମିଳିସାରିଛି । ତେଣୁ ସାବଧାନ ରହିବା ଜରୁରୀ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।