ଚିହ୍ନଟ ହେଲା କରୋନାର ନୂଆ ଭ୍ୟାରିଆଣ୍ଟ XBB. 1.5, ଆଗାମୀ 45 ଦିନ ପାଇଁ ସତର୍କ ସୂଚନା ଜାରି କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ନୂଆବର୍ଷ 2023 ଆରମ୍ଭରୁ ଦେଶରେ ପୁଣି ଥରେ କରୋନା ଭୟ ତେଜିବାରେ ଲାଗିଛି । ଚୀନ, ଆମେରିକା, ବ୍ରାଜିଲ, କୋରିଆ ଏବଂ ଜାପାନ ଭଳି ଦେଶ ମାନଙ୍କରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଭାରତ ପାଇଁ ସତର୍କ ସୂଚନା ଜାରି କରାଯାଇଛି । କାରଣ ଦେଶରେ କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇ ସାରିଲାଣି । ପୂର୍ବ ଭ୍ୟାରିଆଣ୍ଟ ଗୁଡିକ ଠାରୁ ଏହି ନୂଆ ଭ୍ୟାରିଆଣ୍ଟ ଅଧିକ ଦ୍ରୁତ ଗତିରେ ସଂକ୍ରମଣ କରୁଥିବା ତଥ୍ୟ ରହିଛି ।

ଦେଶରେ କରୋନାର ନୂଆ ପ୍ରଜାତି XBB.1.5 ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସତର୍କ ହେଉଛି । ବର୍ତ୍ତମାନ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ 40 ରୁ 50 ଦିନ ପର୍ଯ୍ୟନ୍ତ ଅତ୍ୟନ୍ତ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲୋକଙ୍କୁ ଅପିଲ୍ କରିଛି । କୋଭିଡ ନିୟମ ପାଳନରେ ଅବହେଳା କଲେ ସ୍ଥିତି ଖରାପ ହେବାକୁ ବେଶୀ ସମୟ ଲାଗିବନି ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ।

ବର୍ତ୍ତମାନ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା 88 କୁ ବୃଦ୍ଧି ପାଇଛି । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ପରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ମାମଲାରେ ଚତୁର୍ଥରେ ରହିଛି ଓଡିଶା । ବର୍ତ୍ତମାନ ରାଜ୍ୟରେ ପ୍ରତ୍ଯେକ ଦିନ ପ୍ରାୟ 6 ହଜାର ନମୁନା ପରୀକ୍ଷା କରାଯାଉଛି । ଅନ୍ୟପଟେ ହକି ବିଶ୍ଵକପକୁ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଉଛି ବୋଲି ସୂଚନା ଦେଇଛି ।

ଜିଲ୍ଲା ପ୍ରଶାସନ ସହାୟତାରେ ସମସ୍ତ ଜିଲ୍ଲା ମାନଙ୍କରେ ପ୍ରସ୍ତୁତି ଜାରି ରହିଛି । ଭୁବନେଶ୍ବର, କଟକ, ରାଉଲକେଲା, ଝାରସୁଗୁଡା କରୋନା ଟେଷ୍ଟିଙ୍ଗ ଓ ସର୍ଭେଲାନ୍ସ ପାଇଁ ବ୍ୟାପକ ପଦକ୍ଷେପ ମାନ ମଧ୍ୟ ନିଆଯାଉଛି । ଆଗାମୀ 45 ଦିନ ସତର୍କ ନ ରହିଲେ ପରିସ୍ଥିତି ସଙ୍ଗୀନ ହୋଇପାରେ । ସେଥିପାଇଁ ପ୍ରତ୍ୟକେ ବ୍ୟକ୍ତି କୋଭିଡ ଗାଇଡଲାଇନର ପାଳନ କରିବା ଉଚିତ । ମାସ୍କ ବ୍ୟବହାର ଓ ହାତ ଧୁଆ ପ୍ରତି ଧ୍ୟାନ ଦେବା ସହ ସାମାଜିକ ଦୂରତା ରକ୍ଷା କରିବା ଉଚିତ ।

ନଚେତ କରୋନା ପରିସ୍ଥିତି ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ପୂର୍ବ ଲହର ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।