ଚାଣକ୍ୟଙ୍କ ଅନୁସାରେ ସଂସାରରେ ଏହି ୬ଟି ସହ ସମ୍ପର୍କ ରଖିଲେ ମଣିଷ ମନ ତୃପ୍ତ ହୋଇଥାଏ

ଜୀବନରେ ସମ୍ପର୍କର ବହୁତ ଗୁରୁତ୍ଵ ରହିଥାଏ । ସବୁ ବ୍ୟକ୍ତି ତାଙ୍କ ଜୀବନରେ କୌଣସି ନା କୌଣସି ଜିନିଷ ସହ ସମ୍ପର୍କ ସ୍ଥାପନ କରିଥାନ୍ତି । ହେଲେ ଆଜି ଆମେ ଆପଣମାନଙ୍କୁ ଚାଣକ୍ୟଙ୍କ ଅନୁସାରେ ଏହି ୬ଟି ଗୁଣ ବିଷୟରେ କହିବୁ, ଯାହା ସହ ମଣିଷ ସମ୍ପର୍କ ରଖିଲେ ମଣିଷର ଜୀବନ ସାର୍ଥକ ହୋଇଯାଇଥାଏ । ଏହି ସମ୍ପର୍କ ଦ୍ଵାରା ମଣିଷ ଏକ ସୁଖମୟ ଜୀବନ ଯାପନ କରିବା ସହ ସବୁ ସମସ୍ୟାକୁ ସମାଧାନ କରିପାରେ । ତେବେ ଆସନ୍ତୁ ଜାଣିବା ଏହି ସବୁ ଗୁଣ ବିଷୟରେ ।

୧. ସତ୍ୟ

କୁହାଯାଏ କି ସତ୍ୟର ମାର୍ଗ ସବୁଠୁ ଭଲ ମାର୍ଗ ହୋଇଥାଏ । ଚାଣକ୍ୟଙ୍କ ମତରେ ସତ୍ୟ କହୁଥିବା ବ୍ୟକ୍ତିମାନେ କେବେବି ଡରନ୍ତି ନାହିଁ । ସେମାନେ ସବୁ ପ୍ରକାରର ଅସୁବିଧାର ସାମ୍ନା କରିପାରନ୍ତି । ତେଣୁ ଜୀବନରେ ସବୁବେଳେ ସତ୍ୟ ବଚନ କହିବା ଉଚିତ ।

୨. ଜ୍ଞାନ

ଯେପରି ଆମେ କୌଣସି ସମସ୍ୟାରେ ଫସିଗଲେ ଆମ ପିତା ଆମକୁ ସହାୟତା କରିଥାନ୍ତି, ସେହିପରି ଜୀବନର ସମସ୍ୟାରୁ ମୁକୁଳିବା ପାଇଁ ଜ୍ଞାନର ବହୁତ ଭୂମିକା ରହିଥାଏ । ଜ୍ଞାନ ସାହାରାରେ ମଣିଷ ସବୁପ୍ରକାରର ସମସ୍ୟାର ସମାଧାନ କରିପାରିବ ।

୩. ଧର୍ମ

ଚାଣକ୍ୟଙ୍କ ମତରେ ଧର୍ମକୁ ନିଜ ସାଥି ପରି ବୁଝିବା ଦରକାର । ଯେମିତି ଆପଣଙ୍କ ଭାଇ ଆପଣଙ୍କୁ କୌଣସି ପରିସ୍ଥିତିରେ ରକ୍ଷା କରିଥାଏ, ସେହିପରି ଆପଣ ନିଜ ଧର୍ମର ପାଳନ କରିବା ଉଚିତ । ସବୁବେଳେ ଧର୍ମରେ ଚାଲୁଥିବା ଲୋକମାନଙ୍କୁ ଅନ୍ୟ ଲୋକମାନେ ସମ୍ମାନ କରିଥାନ୍ତି ।

୪. ଦୟା

ଦୟା ସବୁଠୁ ବଡ ଗୁଣ ଅଟେ ଓ ଏହାକୁ ସବୁବେଳେ ନିଜ ପାଖରେ ରଖିବା ଦରକାର । ଚାଣକ୍ୟଙ୍କ ମତରେ ଦୟା ମଣିଷର ଏମିତି ଏକ ଗୁଣ ଅଟେ ଯାହା ଶତୃକୁ ମଧ୍ୟ ମିତ୍ର କରିପାରେ । ତେଣୁ ସବୁବେଳେ ଅନ୍ୟ ଲୋକଙ୍କ ପ୍ରତି ଦୟା ମନୋଭାବ ରଖିବା ଉଚିତ ।

୫. ଶାନ୍ତି

ଚାଣକ୍ୟଙ୍କ ନୀତିରେ ଶାନ୍ତିକୁ ପତ୍ନୀର ସ୍ଥାନ ଦିଆଯାଇଛି । ଯେମିତି ପତ୍ନୀର ପ୍ରେମ ମିଳିଲେ ମଣିଷ ତୃପ୍ତ ହୋଇଯାଏ, ସେମିତି ଶାନ୍ତି ମିଳିଲେ ମଣିଷ ମନ ତୃପ୍ତ ହୋଇଯାଇଥାଏ । କ୍ରୋଧରେ ରହୁଥିବା ମଣିଷଙ୍କୁ କେବେ ସୁଖ ମିଳିନଥାଏ । ତେଣୁ ସବୁ ମଣିଷଙ୍କୁ ଶାନ୍ତିରେ ରହିବା ଉଚିତ ।

୬. କ୍ଷମା

ଚାଣକ୍ୟଙ୍କ ମତରେ କ୍ଷମାକୁ ନିଜ ପୁତ୍ର ପରି ମାନିବା ଦରକାର । ଯେମିତି ମଣିଷ ନିଜ ପୁତ୍ରକୁ କୌଣସି ଭୁଲ ପାଇଁ କ୍ଷମା କରିଥାଏ, ସେମିତି ମଣିଷ ସମସ୍ତଙ୍କ ପାଇଁ ମନରେ କ୍ଷମା ମମୋବୃତି ରଖିବା ଉଚିତ ।