ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆକୁ ICC ର ଅବହେଳା, ଖେଳାଳିଙ୍କୁ ଖରାପ ଖାଦ୍ଯ ସାଙ୍ଗକୁ ଏହିସବୁ ସୁବିଧା ନମିଳିବା ନେଇ ସଙ୍ଗୀନ ଅଭିଯୋଗ ଆଣିଲା BCCI

ଟି-୨୦ ବିଶ୍ଵକପ୍ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିବା ଟିମ୍ ଇଣ୍ଡିଆକୁ ଅଣଦେଖା ଖବର ଏବେ ସାମ୍ନାକୁ ଆସିଛି । ସିଡନୀରେ ଭାରତୀୟ କ୍ରିକେଟରଙ୍କୁ ଥଣ୍ଡା ସ୍ୟାଣ୍ଡୱିଚ ଖାଇବାକୁ ଦିଆ ଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଲା ବିସିସିଆଇ । ଏହାସହ କ୍ରିକେଟରଙ୍କୁ କୌଣସି ଆନୁସଙ୍ଗିକ ସୁବିଧା ମଧ୍ୟ ଦିଆ ଯାଇନାହିଁ ବୋଲି ଅଭିଯୋଗ ହୋଇଛି । ଟିମ୍ ଇଣ୍ଡିଆ ରହୁଥିବା ହୋଟେଲ ଠାରୁ ପ୍ରାୟ ୪୨କିମି ଦୂରରେ ଅଭ୍ଯାସ ପାଇଁ ଗ୍ରାଉଣ୍ଡ ଦିଆ ଯାଇଥିଲା ।

ମ୍ଯାଚ ପୂର୍ବରୁ ଏତେ ଦୂରକୁ ଯାଇ ଅଭ୍ଯାସ କରିବା ସମ୍ଭବ ନୁହେଁ ବୋଲି ଟିମ୍ ଇଣ୍ଡିଆ ପକ୍ଷରୁ ମନାକରି ଦିଆଯାଇଥିଲା । ଟି-୨୦ ବିଶ୍ଵକପର ପ୍ରଥମ ମ୍ଯାଚରେ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ପରାସ୍ତ କରି ବିଶ୍ଵକପ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଆସନ୍ତା କାଲି ଟିମ୍ ଇଣ୍ଡିଆ ନେଦରଲାଣ୍ଡ ବିପକ୍ଷରେ ମ୍ଯାଚ ଖେଳିବାକୁ ଯାଉଥିବା ବେଳେ ତାଙ୍କୁ ଅବହେଳା କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛି ବିସିସିଆଇ ।

ଏତେ ବଡ ଟୁର୍ଣ୍ଣାମେଣ୍ଟରେ ବ୍ୟାପକ ଆୟୋଜନ ସତ୍ତ୍ୱେ ଏଭଳି ଅବ୍ୟବସ୍ଥାକୁ ସାଧାରଣରେ ଅତ୍ୟନ୍ତ ନିନ୍ଦା କରାଯାଇଛି । ଏହି ବିଶ୍ଵକପର ଆୟୋଜକ ହେଉଛି ଆଇସିସି ଅର୍ଥାତ ଏଥିରେ ଅଷ୍ଟ୍ରେଲିଆନ କ୍ରିକେଟ ବୋର୍ଡର ବିଶେଷ ଭୂମିକା ନାହିଁ । ଆଇସିସି କୁ ଭାରତ ମ୍ଯାଚରେ ହିଁ ସବୁଠୁ ଅଧିକ ଅର୍ଥ ଲାଭ ହୋଇଥାଏ । କିନ୍ତୁ ଭାରତକୁ ଏଭଳି ଅବହେଳା କରିବା, ଥଣ୍ଡା ଖାଦ୍ଯ ଖାଇବାକୁ ଦେବା ଓ କେବଳ ସ୍ୟାଣ୍ଡୱିଚ ଖାଇବାକୁ ଦେବା ନିଶ୍ଚିତ ଭାବେ ଅସମ୍ମାନର ବିଷୟ ।

ଏପରିକି ଭାରତୀୟ ଦଳକୁ ଅଭ୍ଯାସ ପାଇଁ ଭଲ କ୍ରିକେଟ ଗ୍ରାଉଣ୍ଡ ଯୋଗାଇ ନଦେବାକୁ ମଧ୍ୟ ନିନ୍ଦା କରାଯାଉଛି । ଖେଳାଳିମାନେ ଏଭଳି ଅଭିଯୋଗ ଆଣିବା ପରେ ବିସିସିଆଇ ଏହାକୁ ଗୁରୁତର ସହ ନେଇଛି । ତେଣୁ ଆଇସିସି ର ମୁଖିଆ ମାନଙ୍କୁ ଏଭଳି ଅବ୍ୟବସ୍ଥା ନେଇ ଉତ୍ତର ଦେବାକୁ ପଡିବ ବୋଲି ଚର୍ଚ୍ଚା ହେଉଛି । ତେବେ ଆଇସିସି ସହ ଭାରତୀୟ କ୍ରିକେଟ ପରିଚାଳନା କମିଟିର ମଧ୍ୟ କିଛି ଭୁଲ ରହିଥିବା କୁହାଯାଉଛି ।

କାରଣ ମ୍ଯାଚ ପୂର୍ବରୁ ଭାରତୀୟ ଦଳ କେଉଁଠି ରହିବେ, କେଉଁଠି ଅଭ୍ଯାସ କରିବେ, କଣ ଖାଇବେ ଏଭଳି ସବୁ ରୁଟିନ ପୂର୍ବରୁ ପ୍ରସ୍ତୁତ କରାଯାଏ । ଆଉ ଏତେ ବଡ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ ବିଦେଶୀ ମାଟିରେ ଖେଳିବାକୁ ଯିବା ପୂର୍ବରୁ ବିସିସିଆଇ ଏସବୁ ଭଲ ଭାବେ ଯାଞ୍ଚ କରିବାର ଆବଶ୍ୟକ ଥିଲା । ତେବେ ଦେଖାଯାଉ ଆଗକୁ ଉଭୟ ବିସିସିଆଇ ଏବଂ ଆଇସିସି ଏନେଇ କଣ ପଦକ୍ଷେପ ନେଉଛନ୍ତି ।