ନୀଳାଦ୍ରିନାଥ ମହାପ୍ରଭୁ ଜଗନ୍ନାଥ ଅନେକ ପ୍ରକାରର ଭୋଜନାରେ ଆପାୟିତ ହୋଇଥାନ୍ତି । ମହାପ୍ରଭୁଙ୍କ ରୋଷଶାଳା ହେଉଛି ବିଶ୍ଵର ସର୍ବବୃହତ ରୋଷଶାଳା, ଯାହାକି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିବାର ସୌଭାଗ୍ୟ ଦେଇଥାଏ । ମହାପ୍ରସାଦ ସାତ୍ଵିକ ଭାବେ ମା’ ମହାଲକ୍ଷ୍ମୀ ଓ ମା’ ବିମଳାଙ୍କ ଦ୍ଵାରା ପ୍ରସ୍ତୁତ କରାଯାଏ । ତେଣୁ ମହାପ୍ରସାଦରେ ବ୍ୟବହୃତ ହେଉଥିବା ପନିପରିବା ଓ ମସଲା ସବୁ ସଂପୂର୍ଣ୍ଣ ଭାବେ ସାତ୍ଵିକ ହୋଇଥାଏ । ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଖେ ଯେଉଁ ପନିପରିବା ସବୁ ଭୋଗ ଲାଗେ ସେସବୁ ଭାରତବର୍ଷରେ ଉତ୍ପନ୍ନ ହୋଇଥିବା ପରିବା ।
ଗୀତାରେ ତିନିଗୋଟି ଖାଦ୍ଯ ବିଷୟରେ ଉଲ୍ଲେଖ ରହିଛି ଯଥା, ସତ୍ତ୍ଵ, ରଜ ଏବଂ ତାମ । ବିଲାତି ବାଇଗଣ (ଟମାଟର), ବିଲାତି ଆଳୁ (ଆଳୁ), ବନ୍ଧାକୋବି, କୋବି, ବିନ୍ସ, କ୍ୟାପସିକମ, ଶିମ୍ବ ଭଳି ଅନେକ ପରିବା ଯାହା ସବୁ ବାହାର ଦେଶରୁ ଭାରତକୁ ଆସିଛି ସେସବୁ ଶ୍ରୀମନ୍ଦିର ପରିସରରେ ପ୍ରବେଶ ନିଷେଧ ଅଟେ । କାରଣ ଏହିସବୁ ଖାଦ୍ଯ ରାଜସିକ ଦ୍ରବ୍ଯ । ପିଆଜ ରସୁଣ ମଧ୍ୟ ରାଜସିକ ଦ୍ରବ୍ୟ ଅନ୍ତର୍ଭୁକ୍ତ । ରାଜସିକ ଦ୍ରବ୍ୟ ଶରୀରରେ ଉତ୍ତେଜନା ସୃଷ୍ଟି କରିବା ସହ କାମନା ବାସନା ଭଳି କୁଭାବନା ମନ ମଧ୍ୟକୁ ଆଣିଥାନ୍ତି ।
ସେହିପରି ତାମସିକ ଖାଦ୍ଯ ଗୁଡିକ ଶୋକ ସନ୍ତାପକୁ ବୃଦ୍ଧି କରିଥାନ୍ତି । ତେଣୁ ସାତ୍ଵିକ ପନିପରିବା ଏବଂ ବିଶେଷ କରି ଭାରତବର୍ଷରେ ଉତ୍ପତ୍ତି ହୋଇଥିବା ପନିପରିବା ମହାପ୍ରଭୁଙ୍କ ମହାପ୍ରସାଦରେ ଲାଗିଥାଏ । ଏହି ଖାଦ୍ଯ ପାକ କରିବା ଏବଂ ସେବନ କରିବା ଦ୍ଵାରା କୌଣସି ପ୍ରକାର ବିକୃତି ସୃଷ୍ଟି ହୋଇ ନଥାଏ ।
ସେଥିପାଇଁ ଗଦା ପର୍ବତ ଶୋଭିତ ହସ୍ତରେ ଦକ୍ଷିଣ ଦ୍ଵାର ନିକଟରେ ରୋଷଶାଳାର ପ୍ରମୁଖ ଦ୍ଵାର ଦେଶରେ ହନୁମାନ ଦଣ୍ଡାୟମାନ ଅଛନ୍ତି । ତାଙ୍କୁ ରୋଷ ମହାବୀର ବୋଲି ମଧ୍ୟ କୁହାଯାଏ । ସେ ରୋଷଶାଳା ମଧ୍ୟକୁ ବିଜାତୀୟ ବସ୍ତୁର ପ୍ରବେଶକୁ ପ୍ରତିରୋଧ କରିଥାନ୍ତି । ସାତ୍ଵିକ ଯୁକ୍ତ ଖାଦ୍ଯ ଯେପରିକି କନ୍ଦମୂଳ, ସାରୁ, ପୋଟଳ, ଜହ୍ନି ଓ କାଙ୍କଡ ଆଦି ପରିବା ଭୋଗ ଲାଗେ । ଯଦ୍ୟପି କଣ୍ଟାଯୁକ୍ତ ଖାଦ୍ଯ ମହାପ୍ରଭୁଙ୍କ ପାଖେ ଭୋଗ ଲାଗେନାହିଁ ତଥାପି କାଙ୍କଡ ଖାଇବାକୁ ଭଲ ପାଉଥିବାରୁ ତାଙ୍କ ପାଖେ କାଙ୍କଡ ଭୋଗ ହୁଏ ।
ସେହିଭଳି ଡ୍ରାଏଫୃଟ୍ସ ମଧ୍ୟରେ କେବଳ ପିସ୍ତାବାଦାମ ମହାପ୍ରଭୁଙ୍କ ଭାବେ ଭୋଗ ଲାଗେ । କାଜୁରେ ସ୍ପର୍ଶଜନିତ ତ୍ରୁଟି ଅର୍ଥାତ ଏହା ଆମଦାନୀ ସମୟରେ ସ୍ପର୍ଶ ହୋଇ ଅଶୌଚ ହୋଇଥିବାରୁ ତାହା ମଧ୍ୟ ମହାପ୍ରଭୁଙ୍କୁ ଭୋଗ ଲାଗେନାହିଁ । ମହାପ୍ରଭୁ କଞ୍ଚାଲଙ୍କା ଖାଆନ୍ତି ନାହିଁ । ତାଙ୍କ ବ୍ୟଞ୍ଜନରେ ଗୋଲମରିଚ ପଡିଥାଏ । କାରଖାନାରେ ପ୍ରସ୍ତୁତ ହେଉଥିବା କୌଣସି ତେଲରେ ମହାପ୍ରଭୁଙ୍କ ବ୍ୟଞ୍ଜନ ପ୍ରସ୍ତୁ ହୁଏନାହିଁ । ବରଂ ପ୍ରତ୍ଯେକ ଭୋଜନ ଗାଈଘିଅରେ ପ୍ରସ୍ତୁତ କରାଯାଏ ।
ଗୋଟା ସୋରିଷ କିନ୍ତୁ ମହାପ୍ରଭୁଙ୍କ ବ୍ୟଞ୍ଜନରେ ବ୍ୟବହାର ହୁଏ । ସ୍ଵାଦ ପାଇଁ ଅନେକ ବସ୍ତୁ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ ମଧ୍ୟ ମହାପ୍ରଭୁଙ୍କ ବ୍ୟଞ୍ଜନରେ ସେସବୁ ଲାଗି ନଥାଏ । ଯେମିତିକି ଲେମ୍ବୁ ଓ ଲଙ୍କା ଆଦି । କିନ୍ତୁ ଆମେ ଲେମ୍ବୁ ଓ ଲଙ୍କା ଚିପୁଡି ମହାପ୍ରସାଦ ସହ ଖାଇପାରିବା । ଯେଉଁ ସବୁ ଖାଦ୍ଯ ଖାଇଲେ ଆୟୁ, ସତ୍ତ୍ଵ, ଆରୋଗ୍ଯ, ବଳ ଓ ବୀର୍ଯ୍ୟ ଆଦିର ବୃଦ୍ଧି ଘଟିଥାଏ ସେହିସବୁ ବ୍ୟଞ୍ଜନ ମହାପ୍ରଭୁଙ୍କ ରୋଷଶାଳାରେ ପ୍ରସ୍ତୁତ ହୋଇଥାଏ ।
ମହାଲକ୍ଷ୍ମୀ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ଓ ନିଜେ ଦକ୍ଷିଣାକାଳୀ ପନିପରିବାକୁ ଅମଣିଆ କରିଥାନ୍ତି । ଖାଦ୍ୟ ଠିକ ଭାବେ ପାକ ହୋଇଛି କି ନାହିଁ ମା’ ବିମଳା ମଧ୍ୟ ତଦାରଖ କରନ୍ତି ଏବଂ ଶଙ୍କର ଭଗବାନ ଯିଏକି ଅଗ୍ନିଶ୍ଵର ମହାଦେବ ରୋଷ ବାଟରେ ରହିଛନ୍ତି । ଦରସିଜା ବ୍ୟଞ୍ଜନକୁ ଦୃଷ୍ଟି ମାତ୍ରକେ ସେ ପାକ କରିଦିଅନ୍ତି । ତେଣୁ ଭୋଜନ ରସିକ କାଳିଆ ଠାକୁରଙ୍କ ବ୍ୟଞ୍ଜନରେ ପବିତ୍ରତମ ଖାଦ୍ଯ ପରସା ଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।