ଶ୍ରଦ୍ଧା ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଲା ବଡ ତଥ୍ୟ, ସାମ୍ନାକୁ ଆସିଲା ହତ୍ୟାକାଣ୍ଡ ଦିନର ସିସିଟିଭି ଫୁଟେଜ, ଦେଖନ୍ତୁ video

ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡରେ ହେଲା ନୂଆ ଖୁଲାସା । ପୋଲିସ ହାତରେ ଲାଗିଲା ହତ୍ୟାକାଣ୍ଡ ଦିନର ସିସିଟିଭି ଫୁଟେଜ୍ । ଅଫତାବ ଅଧରାତିରେ ବ୍ୟାଗ ଧରି ଘରୁ ବାହାରକୁ ବାହାରିଥିବା ଏହି ଭିଜୁଆଲରେ ଦେଖିବାକୁ ମିଳିଛି । ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏବେ ପୋଲିସ ହାତରେ ଲାଗିଛି ଆଉ ଏକ ବଡ ସୁରାକ ।

ଗତ ମେ’ ମାସ 18 ତାରିଖ ଦିନ ଲିଭ-ଇନ ପାର୍ଟନର ଶ୍ରଦ୍ଧାଙ୍କ ଗଳା ଚିପି ହତ୍ୟା କରିଥିଲା ଅଫତାବ । ପୋଲିସ ଦାବି କରିଛି ଯେ ସେହି ଦିନର ଏକ ଭିଡିଓ ପାଇଛି ବୋଲି । ଏହି ଭିଡିଓଟି ହତ୍ୟା ପରର ବୋଲି କହିଛି ପୋଲିସ । 18 ତାରିଖ ରାତିରେ ହତ୍ୟା କରିବା ପରେ 19 ତାରିଖ ଭୋର ତିନିଟାରୁ ଚାରିଟା ସମୟରେ ଅଫତାବ ଘରୁ ଏକା ବାହାରିଥିଲା । ଶ୍ରଦ୍ଧାର ଶବକୁ ଖଣ୍ଡ ଖଣ୍ଡ କରିବା ପରେ ତାକୁ ଫିଙ୍ଗିବା ପାଇଁ ଅଫତାବ ନିକଟସ୍ଥ ଏକ ଜଙ୍ଗଲକୁ ଯାଇଥିଲା ବୋଲି ମଧ୍ୟ ପୋଲିସ କହିଛି ।

ସିସିଟିଭି ଫୁଟେଜ ହାତକୁ ଆସିବା ପରେ ଛାନଭିନ୍ ଜୋରଦାର କରିଛି ପୋଲିସ । ଦିଲ୍ଲୀ ମେହରୋଲି ଜଙ୍ଗଲରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛି ପୋଲିସ । ସେହିପରି ଗାଜିଆବାଦ ଓ ଗୁରୁଗ୍ରାମରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ପୋଲିସ ପ୍ରମାଣ ଖୋଜୁଛି । ଗତ ଶନିବାର ଅଫତାବର ନାର୍କୋ ଟେଷ୍ଟ କରାଯିବା ସହ ଶ୍ରଦ୍ଧାଙ୍କ ଦୁଇ ସାଙ୍ଗ ରାହୁଲ ଏବଂ ଗଡୱିନଙ୍କୁ ମୁମ୍ବାଇରେ ଜେରା କରିଛି ପୋଲିସ ।

ଏଥିପାଇଁ ଦିଲ୍ଲୀ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ମୁମ୍ବାଇରେ ପହଞ୍ଚିଛି । ଶ୍ରଦ୍ଧାଙ୍କ ପୋଷାକ, ମୋବାଇଲ ଓ ହତ୍ୟାରେ ବ୍ୟବହୃତ ହତିଆର ପୋଲିସ ଖୋଜୁଛି । ଏଥିପାଇଁ ହିମାଳୟର ପାର୍ବତୀ ଭ୍ୟାଲିର ତୋଷ ଗାଁକୁ ମଧ୍ୟ ଯାଇଛି । ଅଫତାବ କିଭଳି ଶ୍ରଦ୍ଧାଙ୍କୁ ମାଡ ମାରିବା ସହ ମାନସିକ ନିର୍ଯ୍ୟାତନା ଦେଉଥିଲା ସେନେଇ ଶ୍ରଦ୍ଧାଙ୍କ ସାଙ୍ଗସାଥି ପୋଲିସକୁ ବୟାନ ଦେବା ସହ ହ୍ଵାଟ୍ସଆପ୍ ଚାଟ୍ ମଧ୍ୟ ଦେଖାଇଛନ୍ତି । ମାଡଗୋଳ ପରେ ସ୍ଥିତି ଏମିତି ହେଉଥିଲା ଯେ ଶ୍ରଦ୍ଧା ଅଫିସରୁ ଛୁଟି ନେଉଥିଲେ ।

ଶ୍ରଦ୍ଧାଙ୍କ ବେକ ଓ ପିଠିରେ ବ୍ୟଥା ଯୋଗୁଁ ସେ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଡାକ୍ତର ମଧ୍ୟ ବୟାନ ଦେଇଛନ୍ତି । ଘର ମାଲିକ କହିଛନ୍ତି ଯେ, ଘରଭଡା ନେବା ସମୟରେ ଶ୍ରଦ୍ଧା ଓ ଅଫତାବ ନିଜକୁ ସ୍ଵାମୀ ସ୍ତ୍ରୀ କହି ଏଗ୍ରିମେଣ୍ଟ କରିଥିଲେ । ପୋଲିସ ଭଡାଘରକୁ ସିଲ୍ କରିବା ସହ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋର କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।