2000 ଟଙ୍କାରେ ସମାଧାନ ହୋଇଯିବ କି ବାସନ୍ଦ ବିଧବା ମହିଳାଙ୍କ ଦୁଃଖ ? ମେଣ୍ଢା ଓ ହାଣ୍ଡିଆ ନଦେଇ ପାରି ଗାଁରୁ ବାସନ୍ଦ ମହିଳା… ଦେଖନ୍ତୁ video

ପୁରା ଶୁଦ୍ଧିକ୍ରିୟା ପାଇଁ ଟଙ୍କା ନଥିବାରୁ ଗାଁରୁ ବାସନ୍ଦ ହୋଇଛନ୍ତି ବିଧବା ମହିଳା । ହାଡଭଙ୍ଗା ଶୀତରେ ଏକ ପଲା ତଳେ ଜୀବନ କାଟିବାକୁ ପଡୁଛି । ଏନେଇ ଖବର ପ୍ରସାରିତ ହେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଥିଲା । ବୁଧବାର ଦିନ ସକାଳୁ ଆନନ୍ଦପୁର ଉପଜିଲ୍ଲାପାଳ ଓ ଏସଡ଼ିପିଓ ଯାଇ ପହଞ୍ଚିଥିଲେ ଦରଖଳା ଗାଁରେ । ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ମଧ୍ୟ ସେଠାରେ ପହଞ୍ଚି ମହିଳାଙ୍କ ଭଲ ମନ୍ଦ ବୁଝିଥିଲେ ।

ପୁଅକୁ ହରାଇବା ପରେ ଗାଁ ଲୋକଙ୍କୁ ମେଣ୍ଢା ଓ ହାଣ୍ଡିଆ ଦେଇ ନପାରି ବାସନ୍ଦ ହୋଇଥିବା ମହିଳାଙ୍କୁ ଜଣେ ଅଧିକାରୀ ମାତ୍ର 2000 ଟଙ୍କା ଦେଇଥିଲେ । ଆଉ ସେହି ଟଙ୍କାରେ ଗୋଟିଏ ମେଣ୍ଢା ଛୁଆ ଆଣି ନିଜେ ରହୁଥିବା ପଲା ପାଖେ ବାନ୍ଧିଛନ୍ତି ମହିଳା । ବାସନ୍ଦ ହଟିବା ଆଶାରେ ଘରକୁ ଫେରିବା ପାଇଁ ଚାହିଁ ବସିଛନ୍ତି ବିଧବା ମହିଳା ଯାନ ହେମ୍ବ୍ରମ । ଯାନଙ୍କ ଦୁଃଖ ବିଷୟ ଶୁଣି ପ୍ରଶାସନିକ ଅଧିକାରୀ ତାଙ୍କ ପାଖକୁ ଯିବା ନିହାତି ଭାବେ ପ୍ରଶଂସାର ବିଷୟ ।

କିନ୍ତୁ ମାତ୍ର 2000 ଟଙ୍କାର ସହାୟତା କଣ ତାଙ୍କ ଦୁଃଖ ଦୂର କରିଦେବ ? ଯାନ 5 ବର୍ଷ ତଳେ ସ୍ଵାମୀଙ୍କୁ ହରାଇଥିବା ବେଳେ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ସୁଦ୍ଧା ପାଉ ନାହାନ୍ତି । ଆଉ ନିକଟରେ ନିଜ ପୁଅକୁ ହରାଇବା ପରେ ଗାଁ ଲୋକଙ୍କୁ ଶୁଦ୍ଧିକ୍ରିୟା ବାବଦକୁ ମେଣ୍ଢା ଓ ହାଣ୍ଡିଆ ଦେଇ ପାରି ନାହାନ୍ତି । ଫଳରେ ତାଙ୍କୁ ଗାଁରୁ ବାସନ୍ଦ କରି ଦିଆଯାଇଛି । ସବୁକିଛି ହରାଇ ଦୁଃଖରେ ପଲା ତଳେ ଜୀବନ କାଟୁଥିବା ଯାନଙ୍କ ଦୁଃଖ କଣ ଦୁଇ ହଜାର ଟଙ୍କାରେ ଦୂର ହେଇଯିବ ?

ତେବେ ସେହି ଗାଁରେ ଏଭଳି ପ୍ରଥା ଯୁଗ ଯୁଗରୁ ଚାଲି ଆସିଛି । ତେଣୁ ଏନେଇ ଗାଁ ଲୋକଙ୍କୁ ବୁଝାଇବା ସେତେ ସହଜ ହେବନି । ତଥାପି ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଇ ଏଭଳି ପ୍ରଥା ଯୋଗୁଁ କେହି ଯେପରି ହଇରାଣ ନ ହୁଅନ୍ତି ସେନେଇ ବୁଝାମଣା କରିବୁ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଉକ୍ତ ଗ୍ରାମରେ ଧୀରେ ଧୀରେ ପ୍ରୋଗ୍ରାମ କରି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରାଯିବ ଯେପରି ଏଭଳି ପ୍ରଥା ସମାଜରୁ ଦୂରେଇ ଯିବ ।

ତେବେ ପ୍ରଶାସନ ଏହା ପୂର୍ବରୁ ଯାନଙ୍କ ପାଇଁ ଆବାସ, ବିଧବା ଭତ୍ତା ସାଙ୍ଗକୁ ଦୁଇ ଛୋଟ ପୁଅଙ୍କ ପାଇଁ ଆବାସିକ ବିଦ୍ୟାଳୟରେ ପଢିବା ବ୍ୟବସ୍ଥା କରିଲେ ତାଙ୍କ ସମସ୍ଯାର ସମାଧାନ ହୋଇପାରନ୍ତା। ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।