ରଥ ଉପରେ କାହିଁକି ଭକ୍ତଙ୍କୁ ଅଶ୍ଳୀଳ ଭାଷା କୁହନ୍ତି ଡାହୁକମାନେ ? ବିନା ଡାହୁକ ବୋଲିରେ କଣ ରଥ ଗଡେ ନାହିଁ ? Dr Sharat Chandra Mohanty

ଶ୍ରୀମନ୍ଦିରରେ ବିଚିତ୍ରମୟ କାଳିଆ ଠାକୁରଙ୍କ ବିଚିତ୍ର ନୀତିକାନ୍ତି ପାଇଁ ଅନେକ ସେବକମାନେ ନିୟୋଜିତ ଥାଆନ୍ତି । ମହାପ୍ରଭୁଙ୍କ ଅନେକ ସେବକଙ୍କ ମଧ୍ୟରୁ ଏକ ବିଚିତ୍ର ସେବକଙ୍କୁ ଡାହୁକ ବୋଲି କୁହାଯାଏ । ରଥଯାତ୍ରା ବେଳେ ରଥ ଉପରେ ଏହି ଡାହୁକମାନେ ଶ୍ରଦ୍ଧାଳୁଙ୍କୁ ଡାହୁକ ବଚନିକା ଶୁଣାଇ ଥାଆନ୍ତି । ସେହି ସମୟରେ ଘଣ୍ଟଘଣ୍ଟା ଓ ବାଦ୍ୟ ଆଦି ବନ୍ଦ କରାଯାଏ ଏବଂ ସେମାନେ ଭକ୍ତଙ୍କୁ “ହୋ ଭଗତେ” କହି ସମ୍ବୋଧନ କରିଥାନ୍ତି । ପ୍ରାଚୀନ କାଳରେ ବର୍ତ୍ତମାନ ଭଳି ଏତେ ଜନଗହଳି ନଥିଲା ।

ତେଣୁ ରଥ ଟାଣିବା ପାଇଁ ବହୁତ କମ୍ ସଂଖ୍ୟକ ବ୍ୟକ୍ତ ଶ୍ରୀକ୍ଷେତ୍ରକୁ ଆସୁଥିଲେ । ଭକ୍ତଙ୍କ ଶ୍ରମଭାର ଜନିତ କ୍ଳାନ୍ତିକୁ ଲାଘବ କରିବା ପାଇଁ ଡାହୁକମାନେ ସେମାନଙ୍କୁ ଅନେକ ବଚନିକା ପ୍ରଦାନ କରୁଥିଲେ ଏବଂ ଅନେକ ପ୍ରକାର ଅଙ୍ଗଭଙ୍ଗୀ କରି ଦେଖାଉଥିଲେ । ସେସବୁ ଭକ୍ତଙ୍କ ମନରେ ଉଦ୍ଦୀପନା ଓ ପ୍ରଫୁଲ୍ଲତା ଭରି ଦେଉଥିଲା । ଫଳରେ ଶ୍ରଦ୍ଧାଳୁମାନେ ପୁନଶ୍ଚ ରଥ ଟାଣିବାରେ ସକ୍ଷମ ହେଉଥିଲେ । ଏବେ ଯେମିତି ରଥ ଗୋଟିଏ ଦିନରେ ଶ୍ରୀମନ୍ଦିରରୁ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଛି ସେତେବେଳେ ସେ ଅବକାଶ ନଥିଲା ।

ବାଟରେ ମାଳିନୀ ନାମକ ଏକ ନଦୀ ଥିଲା, ସେଠାରୁ ମହାପ୍ରଭୁ ରଥରୁ ଓହ୍ଲାଇ ନାବରେ ଯାଉଥିଲେ ଓ ଆରପାରିରେ ଅନ୍ୟ ଏକ ରଥରେ ଆରୋହଣ କରୁଥିଲେ । ଆଜିକା ଭଳି ବଡଦାଣ୍ଡ ଏତେ ପ୍ରସସ୍ଥ ଓ ମସୃଣ ନଥିଲା । ତେଣୁ ଭକ୍ତଙ୍କୁ ରଥ ଟାଣିବା ପାଇଁ ଅନେକ ବାଧାବିଘ୍ନ ଦେଇ ଅତିକ୍ରମ କରିବାକୁ ପଡୁଥିଲା । ତେଣୁ ଭକ୍ତଙ୍କ ବାଧା ବିନୋଦନ ପାଇଁ ଡାହୁକ ମାନଙ୍କୁ ନିଯୁକ୍ତି କରାଯାଇଥିଲା ।

ସେମାନେ ଅନେକ କୁକଥା କହି ଭକ୍ତଙ୍କ ମନୋରଞ୍ଜନ କରୁଥିଲେ ଓ ହାତରେ ଧରିଥିବା ବେତକୁ ବାମ ଡାହାଣ ସବୁଆଡେ ବୁଲାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ଏହି ସମୟରେ ସେମାନେ ମହାପ୍ରଭୁଙ୍କ ଅନେକ କଥା ଲୋକଙ୍କୁ କହୁଥିଲେ । ସମୟକ୍ରମେ ରଥଯାତ୍ରା ଉପରେ ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କର ପ୍ରଭାବ ପରିଲକ୍ଷିତ ହୋଇଥିଲା । ସେମାନଙ୍କ କଥା ଓଡିଆ ଭାଷାର ଅଶ୍ଳୀଳତା ସହ ସାମଞ୍ଜସ୍ଯ ଥିବା ଭଳି ମନେ ହେଉଥିଲା ।

ଯେଉଁଥି ପାଇଁ ପରବର୍ତ୍ତୀ କାଳରେ ଅଶ୍ଳୀଳ ଭାଷା ପ୍ରବେଶ କରିଥିଲା ଓ ସେଥିରେ ଭକ୍ତମାନେ ଆହ୍ଲାଦିତ ହେଉଥିଲେ । କିନ୍ତୁ ସେହି ଭାଷାଗୁଡିକ ଶ୍ରୁତିକଟୁ ବିବେଚିତ ହେଉଥିବାରୁ ପରେ ଏହାକୁ ବନ୍ଦ କରାଯାଇଥିଲା । ଜିଲ୍ଲାପାଳ ସୁରେଶ ମହାପାତ୍ରଙ୍କ ସମୟରେ ରଥ ଉପରୁ ଡାହୁକମାନେ ଅଶ୍ଳୀଳ ଭାଷା କହିବା ପ୍ରଥା ବନ୍ଦ କରି ଦିଆଯାଇଥିଲା ।

କିନ୍ତୁ ଅଦ୍ୟାବଧି ମହାପ୍ରଭୁଙ୍କ ଡାହୁକ ସେବା ଅକ୍ଷୁର୍ଣ୍ଣ ରହିଛି । ବିଭିନ୍ନ ଅଙ୍ଗଭଙ୍ଗୀ ଓ ଡାହୁକ ଗୀତ ବୋଲି ଭକ୍ତଙ୍କ ମନରେ ସେମାନେ ପ୍ରଫୁଲ୍ଲତା ଏବଂ ଉଦ୍ଦୀପନା ସୃଷ୍ଟି କରି ଆସୁଛନ୍ତି । ଆଉ ରସିକ ଠାକୁର କାଳିଆ ଠାକୁରଙ୍କ ଅନେକ ରସ, ଛନ୍ଦ ଓ ବ୍ୟଙ୍ଗୋକ୍ତି ରଥ ଉପରୁ ବୋଲାଯାଏ । ଯାହା ଶୁଣି ଘରଘର ଶବ୍ଦରେ ବଡଦାଣ୍ଡରେ କାଳିଆ ଠାକୁରଙ୍କ ରଥ ଗତି କରେ । ପୁରୀରେ ଚୁଗୁଲି କରୁଥିବା ଲୋକଙ୍କୁ ଘରଭଙ୍ଗା ଡାହୁକ ବୋଲି କୁହାଯାଏ ।

ଅର୍ଥାତ ଡାହୁକ ପ୍ରକୃତିର ବ୍ୟକ୍ତିମାନେ ଅନ୍ୟମାନଙ୍କ ଘର ଭାଙ୍ଗିବା ପାଇଁ ଖୋରାକ ଯୋଗାଇଥାନ୍ତି । ସେ ଯାହା ବି ହେଉ ସେମାନେ ମହାପ୍ରଭୁଙ୍କ ଅପୂର୍ବ ଭକ୍ତ ଓ ବିଭିନ୍ନ ବୋଲି ଏବଂ ବଚନିକା ଦ୍ଵାରା ଭକ୍ତଙ୍କ କ୍ଳାନ୍ତି କମ୍ କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।