ପ୍ରତ୍ୟାହାର ହେଲା ‘ଷ୍ଟିୟରିଂ ଛାଡ ଆନ୍ଦୋଳନ”, ଗଡିଲାଣି ଘରୋଇ ବସ୍, ଦେଖନ୍ତୁ କେଉଁଠି କଣ ରହିଛି ସ୍ଥିତି…

ରାଜ୍ୟରେ ଦୁଇ ଦିନ ଧରି ରାଜ୍ୟ ଡ୍ରାଇଭର ସଂଘ ଦ୍ଵାରା ଜାରି ରହିଥିବା ଷ୍ଟିୟରିଂ ଛାଡ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ଆଜି ଠାରୁ ବସ୍ ଚଳାଚଳ ଧୀରେ ଧୀରେ ସ୍ଵାଭାବିକ ହେଉଥିବା କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । 10 ଦଫା ଦାବିରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଗତ ଦୁଇ ଦିନ ଧରି ବସ୍ ଚଳାଚଳ ବନ୍ଦ ରହିଥିଲା ।

ତେବେ ଆନ୍ଦୋଳନ ପ୍ରତ୍ୟାହାର କରି ପୁଣି ଥରେ ବସ୍ ଚଳାଚଳ ସ୍ଵାଭାବିକ କରିବା ପାଇଁ ସବୁ ଡ୍ରାଇଭର ସଂଘ ସହ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ । ତଥାପି ଅନେକ ସ୍ଥାନରେ ଏନେଇ ଅସୁବିଧା ଦେଖା ଦେଇଛି । ହେଲେ ଦିନ 10 ଟାରୁ 11ଟା ପର୍ଯ୍ୟନ୍ତ ବସ୍ ଗୁଡିକୁ ରାଜପଥରେ ଛିଡା କରିବା ପାଇଁ ହୋଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଆଯାଇଛି ।

ଆଗାମୀ ଦିନରେ ସରକାର ଯଥା ଶୀଘ୍ର ଡ୍ରାଇଭର ସଂଘ ସହ ଆଲୋଚନା କରିବା ସହ ସେମାନଙ୍କ ଦାବି ସମାଧାନ କରନ୍ତୁ ବୋଲି ସେ କହିଛନ୍ତି । ଏହାସହ ବସ୍ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବା ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି । ଗତକାଲି ମାନ୍ୟବର ଚିଫ୍ ସେକ୍ରେଟାରୀଙ୍କ ସହ ବସ୍ ସଂଘର ମାଲିକମାନେ ଆଲୋଚନା କରିଥିଲେ । ଆସନ୍ତା ତିନି ମାସ ମଧ୍ୟରେ ଡ୍ରାଇଭର ମାନଙ୍କ ଦାବି ପୂରଣ ହେବ ବୋଲି ଚିଫ୍ ସେକ୍ରେଟାରୀ ଲିଖିତ ଆକାରରେ ଦେଇଥିବା ଦେବେନ୍ଦ୍ର ସ୍ପଷ୍ଟ କରିଛନ୍ତି ।

ଯାହାପରେ କେତେକ ସ୍ଥାନରେ ବସ୍ ଚଳାଚଳ ସ୍ଵାଭାବିକ ହେବାରେ ଲାଗିଲାଣି । ଆଉ କିଛି ସ୍ଥାନରେ ଧୀରେ ଧୀରେ ବସ୍ ଚଳାଚଳ ଆରମ୍ଭ ହେଉଛି । ସରକାର ଡ୍ରାଇଭର ସଂଘର ଦାବି ପୂରଣ କରିବାକୁ କଥା ଦେବା ପରେ ସେମାନଙ୍କର ଆଉ ଆନ୍ଦୋଳନ କରିବାର ନାହିଁ ବୋଲି କହିଛନ୍ତି ଦେବେନ୍ଦ୍ର । କେଉଁ ସ୍ଥାନରେ କେତେ ଗାଡି ଚାଲିବା ଆରମ୍ଭ ହେଲାଣି ତା’ର ସୂଚନା ମଧ୍ୟ ଦେବାକୁ ସେ ସବୁ ସଂଘର ମାଲିକଙ୍କୁ ଅନୁରୋଧ କରିଛନ୍ତି ।

ଏବେ କଟକ, ଭୁବନେଶ୍ବର, ବାଲେଶ୍ଵର, ସମ୍ବଲପୁର, ବ୍ରହ୍ମପୁର, ବଲାଙ୍ଗୀର ଓ ବାରିପଦାରେ ସ୍ଥାନରେ ଗାଡି ଚାଲିବା ଆରମ୍ଭ ହୋଇଗଲାଣି ବୋଲି ଦେବେନ୍ଦ୍ର ସୂଚନା ଦେଇଛନ୍ତି । ଆଗକୁ ସରକାର ସେମାନଙ୍କ ଦାବି ପୂରଣ କଲେ ବସ୍ ମାଲିକ ଓ କର୍ମଚାରୀଙ୍କ ସମେତ ସାଧାରଣ ଜନତା ମଧ୍ୟ ଉପକୃତ ହେବେ ବୋଲି ଦେବେନ୍ଦ୍ର କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।