ପିଲା ରାଗୁଥିଲେ ବା ଅଧିକ ଜିଦି କରୁଥିଲେ କଣ କରିବେ ? ଦେଖନ୍ତୁ ମନସ୍ତତ୍ଵବିତ୍ ସମ୍ବିତ ନନ୍ଦଙ୍କ ଖାସ୍ ଟିପ୍ସ

ପୂର୍ବରୁ ପିଲା ଜିଦି କରୁଥିଲେ ବା ରାଗୁଥିଲେ ସେମାନଙ୍କର ଅଭିଭାବକ ସେମାନଙ୍କୁ ତାଗିଦ କରୁଥିଲେ କିମ୍ବା ବାଡାଉଥିଲେ । ଫଳରେ ପିଲା ମନରେ ଏପରି ନ କରିବା ପାଇଁ ଭୟ ରହୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ପିଲାମାନେ ଯାହା ମାଗିଲେ ବାପାମା’ ସେମାନଙ୍କୁ ଧରାଇ ଦେଉଛନ୍ତି । ଫଳରେ ପିଲା ଧୀରେ ଧୀରେ ଅଧିକ ଜିଦିଆ ହୋଇଯାଉଛି । ଏଭଳି ପରିସ୍ଥିତିରେ ପିଲାଙ୍କୁ କେମିତି ବୁଝାଇବେ ବା କାବୁରେ କରିବେ ଆସନ୍ତୁ ଜାଣିବା ମନସ୍ତତ୍ଵବିତ୍ ସମ୍ବିତ ନନ୍ଦଙ୍କ ଠାରୁ ।

ଆମ ବାପାମା ଏବଂ ଜେଜେମା ଜେଜେବାପା ସବୁବେଳେ ଆମକୁ କହିଥାନ୍ତି ସେମାନେ ତାଙ୍କ ବାପାମା’ଙ୍କ ଠାରୁ କେମିତି ମାଡ ଖାଉଥିଲେ । କିନ୍ତୁ ବର୍ତ୍ତମାନ ସବୁଆଡେ ପିଲାଙ୍କୁ ମାଡ ନ ମାରିବା ପାଇଁ କୁହାଯାଉଛି । ସ୍କୁଲ ମାନଙ୍କରେ ମଧ୍ୟ ମାଡ ବନ୍ଦ କରି ଦିଆଯାଇଛି । ସବୁ ପିଢିରେ ପିଲାଙ୍କୁ ଅଲଗା ଅଲଗା ପ୍ରକାରର ଶାସନ କରାଯାଏ । ଏବେକାର ପିଲାଙ୍କୁ ମାଡ ନ ମାରିବା ପାଇଁ କୁହାଯାଉଛି ।

କିନ୍ତୁ ବାପାମା ମାନେ ବୁଝିବା ଦରକାର କି ପିଲାଙ୍କୁ ମାଡ ନ ମାରିବାର ଅର୍ଥ ଏହା ନୁହେଁ କି ଆପଣ ତାକୁ ଶାସନ କରିବେ ନାହିଁ । ପିଲାକୁ ମାଡ ନମାରି ମଧ୍ୟ ଆପଣ ତାକୁ ଶାସନ କରିପାରିବେ । ଉଦାହରଣ ସ୍ୱରୂପ ଆଜି ପିଲା ରୋଲ ଖାଇବା ପାଇଁ ଜିଦି କରୁଛି । ଯଦି ରୋଲ ନ ଦିଅନ୍ତି ତେବେ ସେ କିଛି ଖାଇବନି ବୋଲି କହୁଛି ।

ଏମିତି ପରିସ୍ଥିତିରେ ବାପାମା’ମାନେ ପିଲାକୁ ସାଙ୍ଗେ ସାଙ୍ଗେ ରୋଲ ଆଣି ଦେଉଛନ୍ତି । କିନ୍ତୁ ଏପରି କରିବା ସଂପୂର୍ଣ୍ଣ ଭୁଲ ଅଟେ । ପିଲା ଯଦି ଆଉ କିଛି ଖାଉନି ତେବେ ଗୋଟିଏ ରାତି ପାଇଁ ତାକୁ ସେମିତି ଛାଡି ଦିଅନ୍ତୁ । ଭୋକ ହେଲେ ସେ ଆପେ ଯାହା ଅଛି ଖାଇବ । କିନ୍ତୁ ଏଭଳି ଜିଦି ନ କରିବା ପାଇଁ ସେ ଶିକ୍ଷା ପାଇବ । କାରଣ ସେ ହୃଦୟଙ୍ଗମ କରିବ କି ତା’ର ଜିଦି ରଖାଯିବ ନାହିଁ ।

କିନ୍ତୁ ଆପଣ ଆଜି ଯଦି ପିଲାର ଜିଦି ରଖି ତାକୁ ରୋଲ ଦେଇ ଦେଉଛନ୍ତି ତେବେ ପିଲା କାଲି ପୁଣି ଆଉ ଗୋଟିଏ ଜିନିଷ ଡିମାଣ୍ଡ କରିବ । ଆପଣ ଯେତେ ତା’ ଜିଦି ପୂରଣ କରିବେ ସେ ସେତେ ଜିଦି କରିଚାଲିବ । ତେଣୁ ବାପାମା ହିସାବରେ ପିଲାଙ୍କୁ ସବୁବେଳେ ସେହି ଜିନିଷ ଦିଅନ୍ତୁ ଯାହା ତାଙ୍କର ଆବଶ୍ୟକ ଓ ସବୁ ଜିଦି ମଧ୍ୟ ପୂରଣ କରିବା ଜରୁରୀ ନୁହେଁ ।

ପିଲାକୁ ଅଯଥାରେ ଦାମୀ ଉପହାର ଦେବା କିମ୍ବା ସେ ଯାହା କହିବ ତାହା ଆଣିଦେବା ଦ୍ଵାରା ପିଲାର ଜିଦି ବଢିଥାଏ । ଜିଦି ପୂରଣ ନହେଲେ ସେ ରାଗିଥାଏ । ପିଲାକୁ ଆରମ୍ଭରୁ ଭଲ ବ୍ୟବହାର କରିବା ଶିଖାନ୍ତୁ ଓ ଯେଉଁ ବିଷୟ ତାକୁ ନାହିଁ କରିବେ ମାନେ ନାହିଁ କେବେବି ତାକୁ ଦେବେନାହିଁ । ପିଲାକୁ ଭଲ ଶିକ୍ଷା ଦେଇ ଉଚିତ ବ୍ୟବହାର କରିବା ଶିଖେଇ ତାକୁ ଭଲ ଦିଗରେ ଆଗେଇ ପାରିବେ ।

ଏଥିପାଇଁ ଆପଣଙ୍କୁ ପିଲାଙ୍କୁ ସବୁବେଳେ ଦଣ୍ଡ ଦେବାକୁ ପଡିବ ନାହିଁ ଏବଂ ପିଲାକୁ ଆପଣ ଶୃଙ୍ଖଳିତ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।