ପଶ୍ଚିମ ବଙ୍ଗରେ ଭୟଙ୍କର ତାଣ୍ଡବ ରଚିଲା ବାତ୍ୟା ୟାସ୍, ଦେଖନ୍ତୁ ଭିଡିଓ

ମୂଷଳ ଧାରାରେ ବର୍ଷା, ପ୍ରବଳ ବେଗରେ ପବନ ଓ ସାଙ୍ଘାତିକ ସମୁଦ୍ର ଜୁଆର ସହ ବେଶ୍ କିଛି ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଗାଁ ଗଣ୍ଡାରେ ତାଣ୍ଡବ ରଚିଥିଲା ବାତ୍ୟା ୟାସ୍ ।

କେଉଁଠି ଘର ଭାଙ୍ଗିଛି ତ କେଉଁଠି ରାସ୍ତା ଭାଙ୍ଗି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, କେଉଁଠି ମାଟିରେ ଲୋଟି ପଡିଛି ବିଶାଳକାୟ ବୃକ୍ଷ ଓ ବିଜୁଳି ଖୁଣ୍ଟ ଏବଂ ତା ସହ ସମୁଦ୍ରର ଲୁଣ ପାଣି ମାଡି ଆସିଛି । ଓଡ଼ିଶାର ଉପକୂଳ ଅଞ୍ଚଳ ତଥା ବାଲେଶ୍ବର, ଭଦ୍ରକ, ପାରାଦୀପ ଓ ଜଗତସିଂହପୁର ଆଦି ଜିଲ୍ଲାର ଗାଁ ଗଣ୍ଡାରେ ତାଣ୍ଡବ ରଚାଇବା ସହ ବାତ୍ୟା ୟାସ୍ ପଶ୍ଚିମବଙ୍ଗକୁ କୁ ମଧ୍ୟ ବାଦ୍ ଦେଇ ନାହିଁ ।

ସହ ସହ ହେକ୍ଟର ଚାଷ ଜମି ଓ ଚିଙ୍ଗୁଡି ଘେରି କ୍ଷତିଗ୍ରସ୍ତ ହେବା ସହ ଅନେକ ଜନ ଜୀବନ ମଧ୍ୟ ଏହି ବାତ୍ୟା ଦ୍ଵାରା କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ପବନରେ ଗଛ ଗୁଡ଼ିକ ଭାଙ୍ଗି ରାସ୍ତା ଅବରୋଧ ହେବା ସହ ଅନେକ ସ୍ଥାନରେ ଗଛ ଭାଙ୍ଗି ଘର ଗୁଡ଼ିକ ମଧ୍ୟ ଭାଙ୍ଗି ଦେଇଛି । ସେହିପରି ବିଜୁଳି ଖୁଣ୍ଟ ମଧ୍ୟ ଉପୁଡ଼ି ଯାଇ ବିଦ୍ୟୁତ୍ ସରବରାହ ଗୁରୁତର ଭାବେ ପ୍ରଭାବିତ ହୋଇଛି । ବାତ୍ୟା ୟାସ୍ ର ପ୍ରଭାବରେ ପଶ୍ଚିମବଙ୍ଗର ପୂର୍ବ ମେଦିନପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ଦୀଘା ଏବଂ ନନ୍ଦିଗ୍ରାମ ଅତ୍ୟଧିକ ପ୍ରଭାବିତ ହୋଇଛି ।

ଏହା ସହ କଲିକତାର ୧୩ଟି ତଳିଆ ଅଞ୍ଚଳରେ ମୂଷଳ ଧାରାରେ ବର୍ଷା ଯୋଗୁଁ କୃତିମ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଛି । ତେବେ ଉପକୂଳବର୍ତ୍ତୀ ଜିଲ୍ଲାର ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ମେଦିନପୁର ଓ ଦୀଘା ଅଞ୍ଚଳର ଅନେକ ସ୍ଥାନରେ ସମୁଦ୍ର କୂଳ ଲଙ୍ଘି ବହୁ ଗାଁ ଗୁଡ଼ିକ ଜଳ ମଗ୍ନ ହୋଇଛି । ଫଳରେ ରାଜ୍ୟରେ ତିନି ଲକ୍ଷରୁ ଅଧିକ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ୟାସ୍ ର ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ମାଡି ଆସିଥିଲା ଓ ଫଳରେ ଦୀଘାର ଅନେକ ଅଞ୍ଚଳ ଜଳ ମଗ୍ନ ହୋଇଥିଲା ।

ଏହା ସହ ପାଣିରେ ଭାସି ଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି । ସେହିପରି ଅନ୍ୟ ଦୁଇ ଜଣ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗରେ ବାତ୍ୟା ଏବଂ ବର୍ଷା ଯୋଗୁଁ ୧୩୪ଟି ବନ୍ଧ କ୍ଷତିଗ୍ରସ୍ତ ହୋଇଛି । ତେବେ ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଏବଂ ସେନାଙ୍କୁ ନିୟୋଜିତ କରା ଯାଇଛି । ସମୁଦ୍ର କୂଳିଆ ଅଞ୍ଚଳରେ ଏନଡିଆରଏଫ୍ ଓ ସେନା ଯବାନ ଏବଂ କୋଷ୍ଟ ଗାର୍ଡ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।