ଲିଭରକୁ ସୁସ୍ଥ ରଖିବା ପାଇଁ କଣ ଖାଇବେ ଓ କଣ ଖାଇବେନି ? ଜାଣନ୍ତୁ ହେପାଟୋଲୋଜିଷ୍ଟ Dr. Ashok Choudhury ଙ୍କ ଖାସ ଟିପ୍ସ

ଲିଭର ଆମ ଶରୀରର ଏକ ମୁଖ୍ୟ ଅଙ୍ଗ, ଯାହାକି ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଶରୀରକୁ ସୁସ୍ଥ ରଖେ । ଲିଭର ସୁସ୍ଥ ରହିଲେ ଆମେ ଲିଭର ସୋରୋସିସ ଏବଂ ଫ୍ୟାଟି ଲିଭର ଭଳି ଜଟିଳ ସମସ୍ଯାରୁ ରକ୍ଷା ପାଇପାରିବା । ତେବେ ଲିଭରକୁ କେମିତି ସୁସ୍ଥ ରଖିବେ ଏବଂ ଲିଭର ଜନିତ ସମସ୍ୟାକୁ କେମିତି ଏଡାଇବେ ? ଏନେଇ ଆସନ୍ତୁ ଜାଣିବା ବିଶିଷ୍ଟ ହେପାଟୋଲୋଜିଷ୍ଟ ଡାକ୍ତର ଅଶୋକ ଚୌଧୁରୀଙ୍କ ଠାରୁ ଖାସ ଟିପ୍ସ ।

ଆମ ଲିଭର ନିଜକୁ ନିଜେ ଠିକ କରିପାରେ । କିନ୍ତୁ ଲିଭର ଉପରେ ଅତ୍ୟଧିକ ଚାପ ପଡିବା ଫଳରେ ତାହା ଖରାପ ହେବାକୁ ଲାଗେ । ଯେତେବେଳେ ଲିଭର ସଂପୂର୍ଣ୍ଣ କାମ କରିବା ବନ୍ଦ କରିଦିଏ ସେତେବେଳେ ଲିଭର ପ୍ରତ୍ୟାରୋପଣର ଆବଶ୍ୟକ ପଡେ । ଯାହାକି ମାତ୍ର 7 ରୁ 9% ଲୋକଙ୍କ ମଧ୍ୟରେ ଦେଖାଯାଏ । ସେଥିପାଇଁ କୁହାଯାଏ ଯେ, ଆରୋଗ୍ଯ ଠାରୁ ପ୍ରତିରୋଧ ଭଲ । ଲିଭରକୁ ସୁସ୍ଥ ରଖିବାକୁ ହେଲେ ଜନ୍ମ ପରେ ହିଁ ଛୁଆଙ୍କୁ ହେପାଟାଇଟିସ-B ଭ୍ୟାକ୍ସିନ ଦେବା ଉଚିତ ।

ଏହାସହ ଗର୍ଭବତୀ ମହିଳା ହେପାଟାଇଟିସ ପରୀକ୍ଷା କରିନେବା ଉଚିତ । ଏହାଦ୍ବାରା ହେପାଟାଇଟିସ ରୋଗକୁ ଅନେକ ମାତ୍ରାରେ ରୋକା ଯାଇପାରିବ । ଏହାସହ ମଦ୍ୟପାନ ବିଲକୁଲ କରିବା ଉଚିତ ନୁହେଁ । ଯଦି କରୁଛନ୍ତି ତେବେ ସୀମା ମଧ୍ୟରେ ମଦ୍ୟପାନ କରିବା ଉଚିତ ଯେପରିକି ଲିଭର ଉପରେ ଏହାର ଖରାପ ପ୍ରଭବ ନପଡେ ।

ଆଜିକାଲି ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟାଭ୍ୟାସ ଯୋଗୁଁ ହିଁ ଏହିଭଳି ସମସ୍ଯା ଦେଖିବାକୁ ମିଳେ । ମୋଟାପଣ, ଜଙ୍କଫୁଡ୍ ସେବନ ଏବଂ ମଧୁମେହ ଆଦି ରୋଗ ଯୋଗୁଁ ଲିଭର ସମସ୍ଯା ଦେଖାଦେବାର ସମ୍ଭାବନା ଅଧିକ ରହିଥାଏ । ଉଚିତ ବ୍ଯବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦ୍ଵାରା ସମସ୍ଯା ବଢିବା ପୂର୍ବରୁ ତା’ର ଚିକିତ୍ସା କରିହେବ । ତେବେ ଆଜିକାଲି ଲିଭରରେ ଦେଖା ଦେଉଥିବା ଅନ୍ଯତମ ମୁଖ୍ୟ ସମସ୍ଯା ହେଉଛି ଫ୍ୟାଟି ଲିଭର ଅର୍ଥାତ ଲିଭରରେ ଚର୍ବି ଜମା ହୋଇ ଅଧିକ ମୋଟା ହୋଇଯିବା ।

ତେଣୁ କମ୍ ଫ୍ୟାଟ ଏବଂ କମ୍ କାର୍ବୋହାଇଡ୍ରେଟ ଜାତୀୟ ଖାଦ୍ଯ ଖାଇବା ଉଚିତ । ଫ୍ୟାଟ ଏବଂ କାର୍ବୋହାଇଡ୍ରେଟଯୁକ୍ତ ଖାଦ୍ଯ ଖାଇବା ଯଥାସମ୍ଭବ ବାରଣ କରିବା ଦ୍ଵାରା ଲିଭର ସମସ୍ଯାରୁ ବଞ୍ଚିତ ରହିହେବ । ରୁଟି, ଭାତ, ମିଠାଜାତୀୟ ଖାଦ୍ଯରେ ଅଧିକ କାର୍ବୋହାଇଡ୍ରେଟ ରହିଥାଏ । ତେଣୁ ଏହି ଖାଦ୍ୟର ପରିମାଣକୁ କମ୍ କରିବାର ଆବଶ୍ୟକ ରହିଛି ।

ସେହିପରି ଫ୍ୟାଟି ଫୁଡସ୍ ବା ଜଙ୍କ ଫୁଡସ୍ ଆଦି ମଧ୍ୟ ଖାଇବା ଉଚିତ ନୁହେଁ । ପ୍ରୋଟିନ ଆମ ଶରୀରରେ ପାଇଁ ଭଲ ହେବାସହ ଏଥିରେ ଥିବା କ୍ୟାଲୋରି ଦ୍ଵାରା ଆମ ଶରୀରରେ ଅଧିକ ଫ୍ୟାଟ ଜମା ହୁଏନାହିଁ । ତେଣୁ କ୍ଷୀରଜାତୀୟ ଖାଦ୍ଯ, ଅଣ୍ଡା, ଛୋଟ ମାଛ, ଛୋଟ ଚିକେନ ଆଦି ଖାଦ୍ଯ ଖାଇପାରିବେ ।

ଏହାସହ ଡ୍ରାଏ ଫ୍ରୁଟ୍ସ ହିସାବରେ ଆଲମଣ୍ଡ ଏବଂ ୱାଲନଟ୍ସ ଆମ ଲିଭର ପାଇଁ ଭଲ ହୋଇଥାଏ । ସେହିପରି ଅଧିକ ମିଠା ନଥିବା ଫଳମୂଳ ମଧ୍ୟ ଖାଇପାରିବେ । ଯେପରିକି କାକୁଡି, ତରଭୁଜ, ଅମୃତଭଣ୍ଡା ନୋ ସେଓ ଆଦି ଶରୀର ତଥା ଲିଭର ପାଇଁ ବହୁତ ଭଲ ହୋଇଥାଏ । ସବୁଠୁ ଖାସ କଥା ହେଉଛି ସକାଳୁ ଶୀଘ୍ର ଖାଇବା ଏବଂ ରାତ୍ରିଭୋଜନ ମଧ୍ୟ ଶୀଘ୍ର କରିବା ।

ଖାଇବା ସହ ଏହାକୁ ସନ୍ତୁଳନ କରିବା ପାଇଁ ବ୍ୟାୟାମ ମଧ୍ୟ କରିବାକୁ ପଡିବ ଓ ଦିନକୁ ଯଥେଷ୍ଟ ପରିମାଣରେ ପାଣି ପିଇବାକୁ ହେବ । ଯଦି ଅତ୍ୟଧିକ ଗ୍ଯାସ ହେଉଛି କିମ୍ବା ଉପର ପେଟରେ ଯନ୍ତ୍ରଣା ହେଉଛି ତେବେ ଯଥାଶୀଘ୍ର ଡାକ୍ତରଙ୍କୁ ଦେଖାଇ ଚିକିତ୍ସା ଆରମ୍ଭ କରିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।