କାର୍ତ୍ତିକ ପୂର୍ଣ୍ଣିମାରେ ଲାଗୁଛି ଚନ୍ଦ୍ରଗ୍ରହଣ ! କେଉଁ ସମୟରେ ଭସାଇବେ ଡଙ୍ଗା ? 2022 ଡଙ୍ଗାଭସା ସମୟ, ପୂଜା ବିଧି ଓ ପାକତ୍ୟାଗ

କୃତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଚାନ୍ଦ୍ର ମାସ ଗଣନା ଅନୁସାରେ କୁମାର ପୂର୍ଣ୍ଣିମାର ପରଦିନ ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଥାଏ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ । ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସଟି ଧର୍ମ ମାସ ତଥା ପୂଣ୍ୟ ଅର୍ଜନ କରିବାର ଶ୍ରେଷ୍ଠ ମାସ ହୋଇଥ୍ଯିବାରୁ ଏହି ମାସକୁ ଅତ୍ୟନ୍ତ ନିଷ୍ଠା ସହକାରେ ପାଳନ କରାଯାଏ । ଏହି ମାସ ସାରା ଆମିଷ ଭକ୍ଷଣ ଏବଂ ପିଆଜ ରସୁଣ ଭକ୍ଷଣ ମଧ୍ୟ ବାରଣ କରାଯାଏ ।

କାର୍ତ୍ତିକ ବ୍ରତ ପାଳନ କରିବା ଦ୍ଵାରା ପାପ ଧୌତ ହେବାସହ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ଶାସ୍ତ୍ର ଅନୁସାରେ ଯେଉଁମାନେ ଏହି ମାସ ସାରା କାର୍ତ୍ତିକ ବ୍ରତ ପାଳନ କରି ନଥାନ୍ତି ସେମାନେ ଅଅଁଳା ନବମୀ ଦିନ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ଆରମ୍ଭ କରିପାରିବେ । ମହିଳାମାନେ ଏହି ମାସରେ ଅତି ନିଷ୍ଠାର ସହ ଏହି କାର୍ତ୍ତିକ ମାସରେ ହବିଷ ପାଳନ କରିଥାନ୍ତି । ନଭେମ୍ବର 2 ତାରିଖ ବୁଧବାର ଦିନ ଏଥର ଅଅଁଳା ନବମୀ ପାଳନ କରାଯାଇଛି ।

କାର୍ତ୍ତିକ ମାସର ଶୁକ୍ଲ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପାଞ୍ଚ ଦିନ ଅତ୍ୟନ୍ତ ପବିତ୍ର ହୋଇଥାଏ । ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚୁକ, ପକ ପଞ୍ଚୁକ ଓ ମହା ପଞ୍ଚୁକ ଇତ୍ୟାଦି କୁହାଯାଏ । ନଭେମ୍ବର 4 ତାରିଖ ଶୁକ୍ରବାର ଠାରୁ ଏଥର ପଞ୍ଚୁକ ପାଳନ ଆରମ୍ଭ ହୋଇଛି । ଯେଉଁମାନେ ମାସସାରା ବ୍ରତ ରଖି ନଥାନ୍ତି ଏହି ପାଞ୍ଚଦିନକୁ ନିଷ୍ଠାର ସହ ପାଳନ କରିବା ଦ୍ଵାରା ମଧ୍ୟ ପୁରା ମାସର ପୂଣ୍ୟ ଫଳ ପ୍ରାତି ହୋଇଥାଏ ।

ଚଳିତ ବର୍ଷ ନଭେମ୍ବର 8 ତାରିଖ ଦିନ ପାଳିତ ହେବାକୁ ଯାଉଛି କାର୍ତ୍ତିକ ପୂର୍ଣ୍ଣିମା । ଏହିଦିନ ଧାର୍ମିକ ମାନ୍ୟତା ଅନୁସାରେ ଡଙ୍ଗାଭସା ପାଳନ କରାଯାଇଥାଏ । ଏହି କାର୍ତ୍ତିକ ମାସର ଅମାବାସ୍ୟାରେ ସୂର୍ଯ୍ୟପରାଗ ହୋଇଥିବା ବେଳେ ଠିକ 15 ଦିନ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି । ହିନ୍ଦୁଧର୍ମ ଓ ଜ୍ଯୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣର ମଧ୍ୟ ବିଶେଷ ମହତ୍ଵ ରହିଛି ।

ହିନ୍ଦୁ କ୍ଯାଲେଣ୍ଡର ଅନୁଯାୟୀ ପୁରୀ ଓ ଭୁବନେଶ୍ବର ପାଇଁ ନଭେମ୍ବର 8 ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଛି । ସେଦିନ ଅପରାହ୍ନ 2ଟା 38 ମିନିଟ 14 ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ଓ ସର୍ବମୋକ୍ଷ ହେବ ସନ୍ଧ୍ୟା 6ଟା 18 ମିନିଟ 57 ସେକେଣ୍ଡରେ । ତେଣୁ 9 ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ 5ଟା 29ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ ।

ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବା ହେତୁ ସକାଳ 5ଟା 29ମିନିଟ ପୂର୍ବରୁ ଡଙ୍ଗା ଭସା ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଛି । ପଞ୍ଜିକା ଅନୁସାରେ ଦିନ 2ଟା 36 ମିନିଟରେ ଗ୍ରହଣ ସ୍ପର୍ଶ କରିବ ଓ ସନ୍ଧ୍ୟା 6ଟା 16ମିନିଟରେ ସର୍ବମୋକ୍ଷ ହେବ । ଓଡିଶାରେ 1 ଘଣ୍ଟା 13 ମିନିଟ ପାଇଁ ଗ୍ରହଣ ଦୃଶ୍ୟମାନ ହେବ । ତେଣୁ ଏହି ଗ୍ରହଣର ସୁତକ ନିୟମ ପାଳନ କରାଯିବ । ଗ୍ରହଣ ମେଷ ରାଶିରେ ଲାଗିବାକୁ ଯାଉଥିବା ବେଳେ ଗ୍ରହଣ ବେଳେ ଚନ୍ଦ୍ରମା ଓ ରାହୁ ମଧ୍ୟ ମେଷ ରାଶିରେ ରହିବେ ଏବଂ ସୂର୍ଯ୍ୟ ତୁଳା ରାଶିରେ ରହିବେ ।

ଏହାସହ ବୀଜା ନକ୍ଷତ୍ରରେ ଏହି ଗ୍ରହଣ ଲାଗିବ । ତେଣୁ ଏହିସବୁ ରାଶି ଏବଂ ନକ୍ଷତ୍ର ଥିବା ଲୋକମାନେ ବିଲକୁଲ ଚନ୍ଦ୍ର ଦର୍ଶନ କରିବା ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।