କଣ ରହିଛି ଏହି ମହା ଶିବରାତ୍ରିର ମହତ୍ଵ ? ଏହିଦିନ କାହିଁକି ଉଭୟ ମାନବ ଓ ଦେବତା ଦୀପ ପ୍ରଜ୍ଵଳନ କରନ୍ତି ? ଜାଣନ୍ତୁ ପ୍ରକୃତ ପୌରାଣିକ ରହସ୍ୟ

ଆଜି ହେଉଛି ପବିତ୍ର ମହା ଶିବରାତ୍ରି । ପ୍ରତି ବର୍ଷ ଫାଲଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିକୁ ସାରା ଭାରତବର୍ଷରେ ମହା ଶିବରାତ୍ରି ଭାବେ ଅତ୍ୟନ୍ତ ଜାକଜକମରେ ପାଳନ କରାଯାଏ । ଏହା ହେଉଛି ଆମ ଦେଶ ଭାରତର ଏକ ପ୍ରମୁଖ ପର୍ବ । ମାନ୍ୟତା ଅନୁସାରେ ଏହିଦିନ ନିରାକାର ମହାଦେବ ସଦାଶିବ ଭାବେ ଆବିର୍ଭାବ ହୋଇଥିବେ । ତେଣୁ ଏହି ଦିନର ବିଶେଷ ମହତ୍ଵ ରହିଛି । ତେବେ ଏହି ମହା ଶିବରାତ୍ରି କାହିଁକି ପାଳନ କରାଯାଏ ଆସନ୍ତୁ ଜାଣିବା ।

ମହା ଶିବରାତ୍ରିକୁ ନେଇ ହିନ୍ଦୁ ଧର୍ମଶାସ୍ତ୍ରରେ ଅନେକ ଗୁଡିଏ କାରଣ ରହିଛି । କିମ୍ବଦନ୍ତୀ ଅନୁସାରେ ଏହିଦିନ ମହାଦେବ ଆଲୋକ ଅର୍ଥାତ ଜ୍ୟୋତିର୍ଲିଙ୍ଗ ଭାବେ ପ୍ରକଟ ହୋଇଥିଲେ । ଏହିଦିନ ଭଗବାନ ବିଷ୍ଣୁ ଓ ବ୍ରହ୍ମା ପ୍ରଥମ ଥର ପାଇଁ ଶିବଲିଙ୍ଗକୁ ପୂଜା କରିଥିଲେ । ଏଥିପାଇଁ ମହା ଶିବରାତ୍ରିରେ ବିଶେଷ ପୂଜାର୍ଚ୍ଚନାର ଆୟୋଜନ କରାଯାଏ । ଆହୁରି ମଧ୍ୟ କୁହାଯାଏ କି ପ୍ରଭୁ ବ୍ରହ୍ମା ମହାଦେବଙ୍କ ରୁଦ୍ର ଭେଶର ପ୍ରକଟ ମଧ୍ୟ କରିଥିଲେ, ତେଣୁ ଏହିଦିନକୁ ମହା ଶିବରାତ୍ରି ବୋଲି ମାନାଯାଏ ।

ସେହିପରି ଅନ୍ୟ କେତେକ ପୌରାଣିକ ଗ୍ରନ୍ଥ ଅନୁସାରେ ଏହିଦିନରେ ମହାଦେବ ଶିବ ମାତା ପାର୍ବତୀଙ୍କୁ ବିବାହ କରିଥିଲେ । ତେଣୁ ନେପାଳରେ ମହା ଶିବରାତ୍ରିର ତିନିଦିନ ପୂର୍ବରୁ ଶିବ ମନ୍ଦିରକୁ ମଣ୍ଡପ ଭଳି ସଜା ଯାଏ ଓ ଖୁବ ଧୁମଧାମରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଏ ।

ବିଶ୍ବାସ ରହିଛି କି, କୁଆଁରୀ କନ୍ୟା ମାନେ ମହା ଶିବରାତ୍ରି ବ୍ରତ ପାଳନ କରିବା ଦ୍ଵାରା ସେମାନଙ୍କ ବିବାହ ଯୋଗ ଶୀଘ୍ର ଖୋଲି ଯାଇଥାଏ । ସେହିପରି ଆହୁରି ମଧ୍ୟ କୁହାଯାଏ କି, ସମୁଦ୍ର ମନ୍ଥନ ସମୟରେ ସେଥିରୁ ଉଭୟ ବିଷ ଏବଂ ଅମୃତ ଉତ୍ପନ୍ନ ହୋଇଥିଲା । ହେଲେ ସେଥିରୁ ବାହାରିଥିବା ବିଷ ଏତେ ଉତ୍କଟ ଥିଲା ଯେ ତାହା ସାରା ପୃଥିବୀକୁ ଧ୍ଵଂସ ମୁଖକୁ ଟାଣି ନେଉଥିଲା ।

ଯେଉଁଥି ପାଇଁ ସଂସାରରେ ହାହାକାର ମଚି ଯାଇଥିଲା । ତେଣୁ ଦେବତାମାନେ ମିଶି ମହାଦେବଙ୍କ ନିକଟରେ ସଂସାରର ରକ୍ଷା ଉଦ୍ଦେଶ୍ୟରେ ବିନତି କରିଥିଲେ । ମାନବ ଓ ଦେବତାଙ୍କ ରକ୍ଷା କରିବା ପାଇଁ ମହାଦେବ ସେହି ସମୁଦ୍ର ମନ୍ଥନରୁ ବାହାରିଥିବା ସମସ୍ତ ବିଷ ପାନ କରି ନେଇଥିଲେ ।

ଯେଉଁଥି ପାଇଁ ତାଙ୍କ କଣ୍ଠ ନୀଳ ପଡି ଯାଇଥିଲା ଓ ସେଥିପାଇଁ ତାଙ୍କୁ ନୀଳକଣ୍ଠ ନାମରେ ମଧ୍ୟ ସମ୍ବୋଧନ କରାଯାଏ । ତେବେ ମହାଦେବଙ୍କୁ ସେହି ବିଷର ପ୍ରଭାବରୁ ରକ୍ଷା କରିବା ପାଇଁ ଏହିଦିନ ସାରା ବିଶ୍ଵର ଦେବତା ଓ ମାନବ ମାନେ ତାଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ।

ସେବେ ଠାରୁ ଏହି ମହା ଶିବରାତ୍ରି ପାଳନ ହୋଇ ଆସୁହି ବୋଲି ବିଶ୍ବାସ କରାଯାଏ । ଏହିଦିନ ସଂସାରର ରକ୍ଷାକର୍ତ୍ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଏହି ମହା ଶିବରାତ୍ରି ପର୍ବ ଖୁବ ଜାକଜକମରେ ପାଳନ କରାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।