ଯଦି କେହି ଆପଣଙ୍କୁ ଦୁଃଖ ଦିଏ, କଷ୍ଟ ଦିଏ ସେତେବେଳେ ଆପଣ କଣ କରିବେ ? ଏକ ସୁନ୍ଦର କାହାଣୀ… (Motivational Story)

ଦୁନିଆରେ କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ସବୁବେଳେ ଅନ୍ୟକୁ କଷ୍ଟ ଦିଅନ୍ତି ଓ ସେମିତି କରିବାକୁ ସେମାନେ ଖୁବ ଭଲ ପାଆନ୍ତି । ତେବେ ଏଠାରେ ପ୍ରଶ୍ନ ହେଉଛି ଯଦି ଆମ ସହ କେହି ଏମିତି କରୁଛି ତେବେ ଆମେ କଣ କରିବା ? ଏହାର ଉତ୍ତର ଆମେ ଆପଣଙ୍କୁ ଏକ ସୁନ୍ଦର କାହାଣୀ ମାଧ୍ୟମରେ ବୁଝାଇବୁ । କୌଣସି ଏକ ଅଞ୍ଚଳରେ ଜଣେ ସାଧୁ ରହୁଥିଲେ । ତାଙ୍କର ସହରରେ ଏବଂ ଏକ ଗାଁରେ ଦୁଇଟି ଆଶ୍ରମ ଥିଲା । ସାଧୁଜଣକ କିଛିଦିନ ସହରରେ ଓ କିଛିଦିନ ଗ୍ରାମରେ ଥିବା ଆଶ୍ରମରେ ରୁହନ୍ତି ।

ସହରରେ ଥିବା ଆଶ୍ରମକୁ ଧନୀ ଲୋକମାନେ ଆସନ୍ତି ଓ ସେଠାରେ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ଖାଦ୍ୟ ତିଆରି ହୁଏ । ସମସ୍ତେ ଖାଇବା ପରେ ଯାହା ବଳିପଡେ ତାହା ବାହାରେ ଫୋପାଡି ଦିଅନ୍ତି । ଆଶ୍ରମ ବାହାରେ ଥିବା ଗୋଟିଏ କୁକୁର ସେହି ଫୋପଡା ଯାଉଥିବା ଖାଦ୍ୟକୁ ଖାଏ ଓ ବେଶ ହୃଷ୍ଟପୃଷ୍ଟ ହୋଇଥାଏ । ସେହିପରି ଗାଁରେ ଥିବା ଆଶ୍ରମକୁ ଅଧିକାଂଶ ଆର୍ଥିକ ଭାବେ ଦୁର୍ବଳ ଥିବା ଲୋକମାନେ ଆସନ୍ତି ।

ସେଠାରେ ସକ୍ଷମ ଅନୁସାରେ ଯାହାବି ରୋଷେଇ ହୁଏ କିମ୍ବା ଯାହା ସେମାନେ ସାଥିରେ ଆଣିଥାନ୍ତି ତାହା ଖାଆନ୍ତି ଇ ବଳକା ଜିନିଷ ବାହାରେ ଫିଙ୍ଗି ଦିଅନ୍ତି । ସେଠାରେ ମଧ୍ୟ ଗୋଟିଏ କୁକୁର ଥିଲା, ସେ ଯାହାକିଛି ସାଧାରଣ ଖାଦ୍ୟ ମିଳେ ତାକୁ ଖାଇ ନିଜ ଜୀବନ ବଞ୍ଚାଏ । ସେ କୁକୁରଟି କିନ୍ତୁ ଖୁବ ଦୁର୍ବଳ ଥିଲା ।

ଥରେ ସାଧୁଜଣକ ସହରରେ ଥିବା ଆଶ୍ରମରେ ଧ୍ୟାନ ଓ ଭଜନ କୀର୍ତ୍ତନ ସରିବା ପରେ ଶାନ୍ତିରେ ବସିଥିବା ବେଳେ କୁକୁରଟି ତାଙ୍କ ସାମ୍ନାରେ ବୁଲୁଥିବାର ଦେଖିଲେ । ତାକୁ ଦେଖି ଭାବିଲେ କି ମୋ କୁକୁରଟି କେତେ ସୁନ୍ଦର ହୃଷ୍ଟପୃଷ୍ଟ ଅଛି । ସେତେବେଳେ ତାଙ୍କର ମନେପଡିଲା କି ଗାଁରେ ବି ତ ଗୋଟିଏ କୁକୁର ଅଛି, କିନ୍ତୁ ଏ କୁକୁର ଅପେକ୍ଷା ସେ ଦୁର୍ବଳ । ଏଠି ଯେତିକି ଖାଦ୍ଯ ବଳୁଛି ଦୁଇଟି ଯାକ କୁକୁର ଖାଇବା ପରେ ବି ବଞ୍ଚିବ ।

ତେଣୁ ସେ ଭାବିଲେ ଆଉ ଥରେ ଗାଁରୁ ସହର ଆସିବା ବେଳେ ସାଥିରେ ଗାଁର କୁକୁରଟିକୁ ଏଠାକୁ ନେଇଆସିବେ । ସେତେବେଳେ କୌଣସି ଯାନବାହାନ ନଥିଲା, ତେଣୁ ଚାଲିକରି ସହର ଆସିବାକୁ ସାଧୁଙ୍କୁ ୫ଦିନ ଲାଗେ । ସେ ଯେତେବେଳେ ଗାଁରୁ କୁକୁରଟିକୁ ଧରି ସହର ଆସିଲେ ସେ ପ୍ରଥମ ଦିନରେ ୧୨କିମି ଚାଲିଲେ ।

ରାତି ହୋଇଯିବାରୁ ଗୋଟିଏ ଗାଁ ଦେଖି ସେଠାରେ ବିଶ୍ରାମ ନେବାକୁ ଭାବିଲେ । ଏକଥା ଭାବି ଗାଁ ଭିତରକୁ ପ୍ରବେଶ କଲାବେଳେ ଗାଁରେ ଥିବା ଅନ୍ୟ କୁକୁରମାନେ ଏହି ଦୁର୍ବଳ କୁକୁରକୁ ଦେଖି ବହୁତ ଜୋରରେ ଭୋକିବାକୁ ଲାଗିଲେ । ଏହା ଦେଖି ସାଧୁ ସେଠାରୁ ଚାଲିଗଲେ ଓ କିଛି ବାଟ ଚାଲିବା ପରେ ଭୋର ବେଳକୁ ଆଉ ଏକ ଅଞ୍ଚଳରେ ପହଞ୍ଚିଲେ । କିନ୍ତୁ ସେଠାରେ ମଧ୍ୟ ସେହି ସମାନ ଅବସ୍ଥା ହେଲା । ଏମିତି ସାଧୁ କେଉଁ ଗାଁ ଭିତରକୁ ମଧ୍ୟ ବିଶ୍ରାମ ନେବାକୁ ପହଞ୍ଚି ପାରିଲେ ନାହିଁ ।

ତେଣୁ ସେ ଗଛମୂଳେ ଅଳ୍ପ ସମୟ ବିଶ୍ରାମ କରି ସାଥିରେ ଆଣିଥିବା ଜିନିଷ ଖାଇ ଚାଲି ଚାଲି ମାତ୍ର ଦୁଇଦିନରେ ଆଶ୍ରମରେ ପହଞ୍ଚିଗଲେ । ସେଠାରେ ସେ କୁକୁରକୁ ଆଶ୍ରମ ପାଖେ ଛାଡିଦେଲେ ଓ ସେ ଆନନ୍ଦରେ ଖାଇଲା ।

ସନ୍ଧ୍ୟାବେଳେ ଯେତେବେଳେ ବିଭିନ୍ନ ସ୍ଥାନକୁ ଶିଷ୍ୟମାନେ ସାଧୁଙ୍କ ପାଖରୁ ଶିକ୍ଷା ଶୁଣିବକାକୁ ଆସିଲେ ସେତେବେଳେ ସାଧୁ ତାଙ୍କୁ ବାଟରେ ଆସିଥିବା ବେଳେ ଯେଉଁ ଅମୂଲ୍ୟ ଶିକ୍ଷା ପାଇଥିଲେ ସେହି ବିଷୟରେ କହିଲେ । ସାଧୁ କହିଲେ କେତେବେଳେ ବି ତାଙ୍କୁ କୁକୁରମାନେ ହଇରାଣ କରୁଥିଲେ ସେ ଯଦି ସେମାନଙ୍କୁ ପ୍ରହାର କରି ତଡି ଦେଇ ଗାଁରେ ଯାଇ ବିଶ୍ରାମ ନେଇଥାନ୍ତେ ତେବେ ୫ଦିନରେ ଆଶ୍ରମରେ ପହଞ୍ଚିଥାନ୍ତେ । କିନ୍ତୁ ସେମାନଙ୍କୁ ଏଡାଇ ଆଗକୁ ବଢିଥିଲେ ବୋଲି ସେ ୨ଦିନରେ ପହଞ୍ଚିଗଲେ ।

ସେଥିପାଇଁ ଆମକୁ କେହି କଷ୍ଟ ଦେଲେ ଆମେ ବି ପ୍ରତିବଦଳରେ ତାଙ୍କୁ କଷ୍ଟ ଦେବା ତେବେ ଆଗକୁ ବଢିପାରିବା ନାହିଁ ଓ ସେଥିରେ ଆମର ସମୟ ଓ ଶକ୍ତି ନଷ୍ଟ ହେବ । କିନ୍ତୁ ସେପରି ନକରି ନିଜ କାର୍ଯ୍ୟରେ ମନ ଦେବା ଦ୍ଵାରା ଆମେ ଜୀବନରେ ପ୍ରକୃତରେ ଆଗେଇ ପାରିବା ।