ଚିକେନ, ମଟନ୍, ଚିଙ୍ଗୁଡିଠୁ ଆରମ୍ଭ କରି ଚକୋଲେଟ ପର୍ଯ୍ୟନ୍ତ… ଏଠାରେ ମିଳୁଛି ଭଳିକି ଭଳି ସିଙ୍ଗଡା ! ଦେଖନ୍ତୁ କେଉଁଠି ମିଳୁଛି ଓ କ’ଣ ସବୁ ଭେରାଇଟି ରହିଛି ?

ଶୀତୁଆ ସନ୍ଧ୍ୟା ସାଙ୍ଗକୁ କାଲୁଆ ପାଗ, ଆଉ ଦେହରେ ହାଲୁକା ପବନ ବାଜିଗଲେ ଥରି ଉଠେ ଦେହ । ଆଉ ପାଟି ଖୋଜେ ଗରମା ଗରମ ଖାଦ୍ଯ । ଅଳସୁଆ ଅପରାହ୍ନରେ ସମସ୍ତଙ୍କର ଇଚ୍ଛା ହୁଏ କିଛି ଭଲ ଖାଇବାକୁ । ସିଙ୍ଗଡା, ପକୋଡାର ଖୟାଲ ସମସ୍ତଙ୍କ ମନରେ ଆସେ । ଠିକ ସେତିକି ବେଳେ ରାଜଧାନୀ ରାସ୍ତାରେ ଲାଗେ ଠେଲା ଗାଡି ଟିଏ । ତେଲ କଡେଇ ଗରମ ହେବା ସାଙ୍ଗକୁ ଆରମ୍ଭ ହୁଏ ପ୍ରସ୍ତୁତି । ଗରମ ଗରମ ତେଲରେ ଛଣା ହୁଏ ସୁଆଦିଆ ସିଙ୍ଗଡା ।

ଆଉ ତା’ପରେ ମିଠା ଏବଂ ରାଗ ମିଶା ଚଟଣିଦେଇ ଦୋକାନୀ ଚଟାପଟ ବଢେଇ ଦିଅନ୍ତି ଲୋକଙ୍କ ହାତକୁ । ତେବେ ସିଙ୍ଗଡାର ଭେରାଇଟି ବି ଅଛି । ସାଧା ସିଙ୍ଗଡା, ଚିକେନ ସିଙ୍ଗଡା, ଚିଙ୍ଗୁଡି ସିଙ୍ଗଡା ଆଦି ଯିଏ ଯାହା ଖୋଜେ ତା’ ମନ ମୁତାବକ ସବୁ ଏଠାରେ ମିଳେ । ଆଉ ଖାଇବା ଲୋକ ମନରେ ନିଶ୍ଚୟ ଆସେ ବାଃ… କି ଟେଷ୍ଟ, ମଜା ଆସିଗଲା । ସିଙ୍ଗଡା ଖାଇ ଲୋକେ ଏମିତି ହିଁ ପ୍ରତିକ୍ରିୟା ରଖନ୍ତି ।

ଆଉ ଶୀତୁଆ ସଞ୍ଜରେ ରାଜଧାନୀ ବାସୀଙ୍କୁ ଏମିତି ହିଁ ମନ ପସନ୍ଦର ଗରମଗରମ ସିଙ୍ଗଡା ଭେଟି ଦିଅନ୍ତି ଏମବିଏ ପଢୁଆ ଜଣେ ଯୁବକ । ଭୁବନେଶ୍ଵର ଆଚାର୍ଯ୍ୟବିହାରରୁ ଯଦି ଆପଣ ନାଲକୋ ଛକ ଆଡକୁ ଯିବେ ତେବେ ଆପଣ ରାସ୍ତାକଡରେ ଏହି ‘ସମୋସା କିଙ୍ଗ’ ଦେଖିବାକୁ ପାଇବେ । ଯେଉଁଠି ଏକ ଫୁଡ୍ ଟ୍ରକରେ ବିକ୍ରି ହେଉଛି ଭଳିକି ଭଳି ସିଙ୍ଗଡା । ଏଠାରେ ଆପଣ ନିରାମିଷ ଠାରୁ ଆରମ୍ଭ କରି ଆମିଷ ସିଙ୍ଗଡାର ଭେରାଇଟି ପାଇ ପାରିବେ ।

ସବୁଠୁ ରୋଚକ କଥା ହେଉଛି ଏଠି ଚିକେନ, ମଟନ୍, ଚିଙ୍ଗୁଡି, ମାଛ, ପନୀର, ଛତୁର ସିଙ୍ଗଡା ମିଳୁଛି, ଏହା ସାଙ୍ଗକୁ ଏଠି ଚକୋଲେଟ ସିଙ୍ଗଡା ବି ଛଣା ହେଉଛି । ଯାହାକୁ ଖାଇବା ପାଇଁ ଲୋକେ ଖୁବ୍ ଭିଡ ଜମାଉଛନ୍ତି । ଭୁବନେଶ୍ବରରେ ଏମିତି ଏକ ନିଆରା ବ୍ୟବସାୟ ଆରମ୍ଭ କରିଛନ୍ତି ଏମବିଏ ଡିଗ୍ରୀଧାରୀ ଛାତ୍ର ଶୈଳେନ୍ଦ୍ର । ଯେଉଁଥିରୁ ସେ ଭଲ ଦିପଇସା ଲାଭ ପାଇବା ସହ ଲୋକଙ୍କୁ ମଧ୍ୟ ଏମିତି ଖାଦ୍ଯ ପସନ୍ଦ ଆସୁଛି ।

ତେବେ ଆପଣଙ୍କୁ ଯଦି କେବେ ଶୀତୁଆ ସନ୍ଧ୍ୟାରେ ଗରମାଗରମ ସିଙ୍ଗଡା ଖାଇବାକୁ ମନ ହୁଏ ତେବେ ସିଧା ଆଚାର୍ଯ୍ୟବିହାରର ସମୋସା କିଂ ସେଣ୍ଟରକୁ ଯାଆନ୍ତୁ, ଯେଉଁଠି ଶୈଳେନ୍ଦ୍ର ଆପଣଙ୍କୁ ଖୁଆଇବେ ଆପଣଙ୍କ ମନ ପସନ୍ଦର ସଜ ସିଙ୍ଗଡା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।