ଶୀତଦିନେ ତ୍ଵଚାର ଯତ୍ନ (Skin Care) କେମିତି ନେବେ ? କେଉଁ ସବୁ ଘରୋଇ ଉପଚାର କରିବେ ? ଚର୍ମରୋଗ ବିଶେଷଜ୍ଞ Dr Kishan Agarwal ଙ୍କ ଠାରୁ ଆସନ୍ତୁ ଜାଣିବା

ଶୀତ ଦିନେ ଥଣ୍ଡା ବଢିବା ହେତୁ ଆମ ତ୍ଵଚା ଅଧିକ ଶୁଷ୍କ ପଡିଯାଏ । ଫଳରେ ତ୍ଵଚାରେ ବିଭିନ୍ନ ସମସ୍ଯା ଦେଖାଯାଏ । ତ୍ଵଚା ଧଳା ଦେଖାଯିବା ସହ କେବେ କେବେ କୁଣ୍ଡାଇ ହୋଇଥାଏ । ଓଠ ଓ ଗୋଡ ଫାଟିବା ଠାରୁ ତ୍ଵଚା ଶୁଷ୍କ ହେବାକୁ ନେଇ ଅନେକ ଚିନ୍ତିତ ହୋଇପଡନ୍ତି । ତେବେ ଏହି ସମସ୍ଯାରୁ କିପରି ମୁକ୍ତି ପାଇବେ ? ଘରୋଇ ଉପାୟରେ ତ୍ଵଚାର ଯତ୍ନ କିପରି ନେବେ ? ଆସନ୍ତୁ ଏହି ସମସ୍ତ ବିଷୟ ଜାଣିବା ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରୱାଲଙ୍କ ଠାରୁ ।

ପ୍ରଥମ କଥା ହେଉଛି ଶୀତଦିନେ ଅଧିକ ସାବୁନ ବ୍ୟବହାର କରିବା ଉଚିତ ନୁହେଁ । ସାବୁନ ବଦଳରେ ଅନ୍ୟ କିଛି ବଡି ୱାଶ କିମ୍ବା ମଏଶ୍ଚର ଯୁକ୍ତ ସାବୁନ ବ୍ୟବହାର କରନ୍ତୁ । ଏହାଛଡା ନଖ ଉଷୁମ କିମ୍ବା ପ୍ଳେନ ପାଣିରେ ଗାଧାନ୍ତୁ । ଅଧିକ ଗରମ ପାଣିରେ ଗାଧୋଇବା ଦ୍ଵାରା ଆମ ତ୍ଵଚାର ଆର୍ଦ୍ରତା ନଷ୍ଟ ହୋଇଯାଏ, ଯାହାଫଳରେ ତ୍ଵଚା ଅଧିକ ଶୁଷ୍କ ହୋଇଯାଏ । ଅନେକ ଲୋକ ଗାଧୋଇବା ପୂର୍ବରୁ ଦେହରେ ତେଲ ଲଗାନ୍ତି । କିନ୍ତୁ ଗାଧୋଇବା ପରେ ତେଲ ଲଗାଇବା ସବୁଠୁ ଭଲ କାମ ଦେଇଥାଏ ।

ଏଥିପାଇଁ ଆପଣ ନଡିଆ ତେଲ ବ୍ୟବହାର କରିପାରିବେ । ଯଦି ତେଲ ପସନ୍ଦ ନୁହେଁ ତେବେ ତ୍ଵଚାକୁ ମଏଶ୍ଚର ରଖିବା ପାଇଁ ଆପଣ ଯେକୌଣସି ବଡି କ୍ରିମ ବା ଲୋସନ ଲଗାଇ ପାରିବେ । ଏହା ଦିନକୁ ଦୁଇଥର ଲଗାନ୍ତୁ । ଆପଣ ଯଦି ଶୀତଦିନ ଖରାରେ ବସିବାକୁ ଭଲ ପାଆନ୍ତି ତେବେ ସକାଳ ୬ଟା ରୁ ୯ଟା ମଧ୍ୟରେ ଖରାରେ ବସନ୍ତୁ । ଏହାଠୁ ଅଧିକ ଖରା ମଧ୍ୟ ଆମ ତ୍ଵଚା ପାଇଁ ଭଲ ହୋଇ ନଥାଏ । ଯେତେବେଳେ ବି ବାହାରକୁ ଯାଉଛନ୍ତି ସନସ୍କ୍ରିନ ଲୋସନ ଲଗାନ୍ତୁ ଓ ସବୁଠୁ ଖାସ କଥା ହେଉଛି ମୁହଁକୁ ସିଧା ସୂର୍ଯ୍ୟକିରଣ ଓ ଡଷ୍ଟ ଠାରୁ ଘୋଡାଇ ରଖନ୍ତୁ ।

ଯଦି ଆପଣଙ୍କ ପାଦ ଅଧିକ ଶୁଖିଯାଉଛି, ତେବେ କଟନ୍ ମଉଜା ବ୍ୟବହାର କରନ୍ତୁ ଓ ଏହାସହ ଘରେ ମଧ୍ୟ ଚପଲ ପିନ୍ଧନ୍ତୁ । ପାଦ ଓ ହାତରେ ଦିନକୁ ତିନି ଚାରିଥର ଲେଖାଏଁ ମଏଶ୍ଚରାଇଜର ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ପାଦ ନରମ ରହିବ ଓ ଫାଟିବ ନାହିଁ । ଶୀତଦିନେ ଓଠ ଶୁଷ୍କ ହୋଇ ଫାଟିଥାଏ ଓ ଅନେକଙ୍କ ଓଠ ଦରଜ ମଧ୍ୟ ହୋଇଥାଏ । ଯଦି ଓଠ ଫାଟୁଛି ତେବେ ସେଥିରେ ବାରମ୍ବାର ଛେପ ଲଗାନ୍ତୁ ନାହିଁ କିମ୍ବା ଚୋପା ଛଡାନ୍ତୁ ନାହିଁ । ପେଟ୍ରୋଲିୟମ ଜେଲି ଯୁକ୍ତ ଲିପ୍ ବାମ୍ ସବୁ ରହିଛି ତାହା ଦିନକୁ ୫ ରୁ ୬ ଥର ଓଠରେ ଲଗାନ୍ତୁ ।

ଏହାଦ୍ବାରା ଆପଣଙ୍କ ଓଠ ନରମ ରହିବ ଓ ଫାଟିବ ନାହିଁ । ଏହାଛଡା ଆପଣ ଗୁଆ ଘିଅ ମଧ୍ୟ ଓଠରେ ଲଗାଇ ପାରିବେ । ଯଦି ଓଠ ଅତ୍ୟଧିକ ଶୁଷ୍କ ହେଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଶୀତଦିନେ ପ୍ରଚୁର ପାଣି ପିଅନ୍ତୁ ଓ ସବୁଜ ପନିପରିବା ଏବଂ ଫଳ ପ୍ରଚୁର ମାତ୍ରାରେ ଖାଆନ୍ତୁ । ଏହାଛଡା ଗଜାମୁଗ, ଅଣ୍ଡା, ମାଛ ଆଦି ମଧ୍ୟ ଖାଦ୍ଯରେ ସାମିଲ କରନ୍ତୁ । କାରଣ ଭିଟାମିନ ଅଭାବରୁ ମଧ୍ୟ ଓଠ ଓ ତ୍ଵଚା ଶୁଷ୍କ ହୋଇଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।