ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ନୂଆ ବିପଦ ଆଶଙ୍କା କରାଯାଉଛି । ଏହି ଯୁଦ୍ଧ ଦିନକୁ ଦିନ ଭୟଙ୍କର ପରିସ୍ଥିତି ଆଡକୁ ଗତି କରୁଛି । ତେଣୁ ଜୈବିକ ଓ ରାସାୟନିକ ଅସ୍ତ୍ରର ପ୍ରୟୋଗ ନେଇ ଆଶଙ୍କା ଉପୁଜୁଛି । ଟ୍ୟାଙ୍କ, ତୋପ ଏବଂ ଯୁଦ୍ଧ ବିମାନରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଜୈବିକ ଏବଂ ରାସାୟନିକ ଅସ୍ତ୍ର ଶସ୍ତ୍ର ପାଖେ ପହଞ୍ଚି ଗଲାଣି । ୟୁକ୍ରେନ ଆମେରିକା ସହ ମିଶି ଜୈବିକ ଏବଂ ରାସାୟନିକ ଅସ୍ତ୍ର ତିଆରି କରୁଛି ବୋଲି ଋଷ ଅଭିଯୋଗ କରୁଛି ।

ସେହିପରି ଋଷ ଯଦି ଯୁଦ୍ଧରେ ଏହିସବୁ ଅସ୍ତ୍ରର ପ୍ରୟୋଗ କରେ ତେବେ ତାକୁ କଡା କଟକଣାର ସମୁଖିନ ହେବାକୁ ପଡିବ ବୋଲି ୟୁକ୍ରେନ ଋଷକୁ ଚେତାବନୀ ଦେଇଛି । ଆଜିକୁ ୨୦ଦିନ ହେବ ଲାଗିଥିବା ଯୁଦ୍ଧରେ ଅନେକ ଲୋକ ପ୍ରାଣ ହରାଇଲେଣି । ଏଥିରେ ୫ ଶହରୁ ଉର୍ଦ୍ଧ୍ଵ ଲୋକ ଏବଂ ୪୨ ଜଣ ଶିଶୁଙ୍କ ଜୀବନ ଗଲାଣି । ଏହାରି ମଧ୍ୟରେ ଜୈବିକ ଓ ରାସାୟନିକ ଅସ୍ତ୍ର ଶସ୍ତ୍ରର ଆଶଙ୍କା ଆହୁରି ଚିନ୍ତା ବଢାଇ ଦେଇଛି । କାରଣ ଯଦି ଯୁଦ୍ଧରେ ଜୈବିକ ଓ ରାସାୟନିକ ଅସ୍ତ୍ର ଶସ୍ତ୍ରର ବ୍ୟବହାର ହୁଏ ତେବେ ଆସନ୍ତା ପିଢି ଯାଏଁ ଏହାର ପ୍ରଭାବ ରହିବ ।
ଏହିସବୁ ଅସ୍ତ୍ର ଶସ୍ତ୍ରରେ ଟକ୍ସିକ ଓ ବିଷ ପଦାର୍ଥ ବ୍ଯବହାର କରା ଯାଇଥାଏ । ଏହାକୁ ଜଳଯୋଗାଣ, ଖାଦ୍ଯ କିମ୍ବା ବାୟୁରେ ଦେଇ ଲୋକଙ୍କୁ ହତ୍ୟା କରାଯାଏ । ଜୈବିକ ଅସ୍ତ୍ର ଶସ୍ତ୍ରରେ ବୀଜାଣୁ ଓ ଭୂତାଣୁ ପରି ପ୍ରାକୃତିକ ଉତ୍ସକୁ ବ୍ୟବହାର କରି ଲୋକଙ୍କୁ ରୋଗାଗ୍ରସ୍ତ କରି ମାରି ଦିଆଯାଏ । ଏସବୁ ଯୋଗୁଁ ଲୋକେ ଅସହ୍ୟ ପୀଡା ଅନୁଭବ କରିଥାନ୍ତି । ଆଉ ଏହାର ପ୍ରଭାବ ଆସନ୍ତା ପିଢି ଯାଏଁ ରହିଥାଏ ଯେଉଁଥି ପାଇଁ ମାନସିକ ଓ ଶାରୀରିକ ବିକାରଗ୍ରସ୍ତ ଶିଶୁ ଜନ୍ମ ନେଇଥାନ୍ତି ।

୧୯୩୭ରେ ପ୍ରଥମ ଥର ପାଇଁ ଜୈବିକ ଅସ୍ତ୍ରର ବ୍ୟବହାର କରା ଯାଇଥିଲା । ଏହି ସମୟରେ ମୋଙ୍ଗଲିଆ ସେନା ପ୍ଲେଗ ସଂକ୍ରମିତ ଶବକୁ କୃଷ୍ଣ ସାଗରରେ ପକାଇ ଦେଇଥିଲେ । ଏବେ ସୁଦ୍ଧା ଜର୍ମାନୀ, ଆମେରିକା, ଋଷ ଓ ଚୀନ ସମେତ ୧୭ଟି ଦେଶ ଜୈବିକ ଅସ୍ତ୍ର ଶସ୍ତ୍ର ତିଆରି କରିଥିବା କୁହାଯାଉଛି । ଆଉ କରୋନା ଭୂତାଣୁକୁ ଚୀନ ଅସ୍ତ୍ର ଭାବେ ବ୍ୟବହାର କରିଥିଲା ବୋଲି ଅଭିଯୋଗ ହୋଇଆସୁଛି । ସେପଟେ ଋଷର କୂଟନୈତିଜ୍ଞ ଅଭିଯୋଗ କରିଛନ୍ତି ଯେ ୟୁକ୍ରେନ ଆମେରିକା ସହାୟତାରେ ପ୍ରାୟ ୩୦ଟି ଜୈବିକ ଅସ୍ତ୍ର ଶସ୍ତ୍ର ତିଆରି କରୁଛି ।
ୟୁକ୍ରେନ ବାଦୁଡି ଏବଂ ଅନ୍ୟ ପକ୍ଷୀଙ୍କ ଦ୍ଵାରା ଋଷରେ ରୋଗଜୀବାଣୁ ପ୍ରସାରିତ କରିବା ପାଇଁ ଷଡଯନ୍ତ୍ର କରୁଛି । ଯଦି ଋଷର ଅଭିଯୋଗ ସତ ହୁଏ ତେବେ ପରିଣାମ ଖୁବ ଭୟଙ୍କର ହେବ ଏଥିରେ କୌଣସି ସନ୍ଦେହ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।