ମଞ୍ଚ ବଦଳିଲେ ଭୂମିକା ବି ବଦଳିଯାଏ । ପିଲାଙ୍କ ମେଳରେ ଜଣେ ମା, ଲୋକସେବା କ୍ଷେତ୍ରରେ ଜଣେ ପୋଲିସ କର୍ମଚାରୀ, ଆଉ ଗୋଡରେ ଘୁଙ୍ଗୁର ଏବଂ କାନ୍ଧରେ ମୃଦଙ୍ଗ ପଡିଲେ ସେ ଜଣେ ସଞ୍ଚାର ଶିଳ୍ପୀ । କଳାର ସାଧନା ଏବଂ କଳାକାରର ନିଷ୍ଠାର ଭରପୁର ସମ୍ରିଶ୍ରଣ ହେଉଛନ୍ତି ଜୟନ୍ତୀ ଦୀପ । ପିଲାଟୁ ବେଳୁ ନିଜେ ଗୀତ ଗାଇ ମୃଦଙ୍ଗ ବଜାଇ ପରିଚୟ ସୃଷ୍ଟି କରି ପାରିଛନ୍ତି ଜୟନ୍ତୀ । ଓଡିଆ, ସମ୍ବଲପୁରୀ, ଛତିଶଗଡି ହିନ୍ଦୀ ଓ ଭୋଜପୁରୀ ଭଳି ବିଭିନ୍ନ ଭାଷାରେ ସଞ୍ଚାର ନୃତ୍ୟ ପରିବେଷଣ କରି ସେ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି ।
ବରଗଡ ଜିଲ୍ଲା ଡୁଙ୍ଗୁରିପାଲିରୁ ସଞ୍ଚାର ଯାତ୍ରା ଆରମ୍ଭ କରି ସେ ଆଜି ଓଡିଶା ଏବଂ ଓଡିଶା ବାହାରେ ମଧ୍ୟ ସୁନାମ ଅର୍ଜନ କରି ପାରିଛନ୍ତି । ଉଭୟ ସ୍ଵାମୀ ସ୍ତ୍ରୀ ପୋଲିସ ବିଭାଗରେ ଚାକିରି କରୁଛନ୍ତି । ବନ୍ଧୁକ ଓ ମୃଦଙ୍ଗକୁ ସମାନ ନ୍ୟାୟ ଦେଉଥିବା ଜୟନ୍ତୀ କେବେବି ମୃଦଙ୍ଗ ଓ ଘୁଙ୍ଗୁରକୁ ହତାଦାର କରି ନାହାନ୍ତି । ସ୍ଵାମୀ ସୁରେଶ କୁମାର ମଧ୍ୟ ଜୟନ୍ତୀଙ୍କ ଇଚ୍ଛାକୁ ସମ୍ମାନ ଦେଇ କାନ୍ଧରେ କାନ୍ଧ ମିଶାଇ ଜୀବନଯାତ୍ରାରେ ଆଗେଇ ଚାଲିଛନ୍ତି ।
ସପ୍ତମ ଶ୍ରେଣୀରେ ପଢୁଥିବା ସମୟରୁ ସେ ସଞ୍ଚାର କଳା ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କ ଅଜା ମଧ୍ୟ ଜଣେ ପ୍ରସିଦ୍ଧ ସଞ୍ଚାର ବାଦ୍ୟକ ଥିଲେ । ତାଙ୍କ ପରେ ଜୟନ୍ତୀଙ୍କ ମାମୁଁ ତଥା ତାଙ୍କ ଗୁରୁ ଶ୍ରୀଯୁକ୍ତ କୁଞ୍ଜବିହାରୀ ଲୋହାର ମଧ୍ୟ ସଞ୍ଚାର କାର୍ଯ୍ୟ କରୁଥିଲେ । ସେମାନଙ୍କୁ ଦେଖି ଦେଖି ପିଲାବେଳୁ ଏହି ସଞ୍ଚାର କଳାରେ ଜଯନ୍ତୀଙ୍କ ରୁଚି ବଢିଥିଲା । ପାଲା ଓ ସଞ୍ଚାର କଳାରେ ସାମଞ୍ଜସ୍ଯ ରହିଥିଲେ ମଧ୍ୟ ପାଲାରେ ଗାୟକ, ବାଦକ ଓ ପାଳିଆ ଭଳି ଏକାଧିକ ଶିଳ୍ପୀ ପାଲା ପରିବେଷଣ କରିଥାନ୍ତି ।
କିନ୍ତୁ ସଞ୍ଚାର ଏଭଳି ଏକ ଲୋକକଳା ଯେଉଁଠି ସଞ୍ଚାରକ ନିଜେ ମୃଦଙ୍ଗ ବଜାଇବା, ଗୀତ ଗାଇବା ଓ ନାଚିବା ସହ ପୁରା ମର୍ମ ବୁଝାଇବାର ଦାୟିତ୍ଵ ତୁଲାଇଥାନ୍ତି । ପୁରୁଷ କଳାକାର ମାନେ ଏହି ସଞ୍ଚାର କଳା ପରିବେଷଣ କରୁଥିବା ବେଳେ ଜୟନ୍ତୀ ଦୀପ ଭିନ୍ନ ଏକ ଉଦାହରଣ ହୋଇ ସାମ୍ନାକୁ ଆସିଛନ୍ତି । ମହିଳା ମାନଙ୍କୁ ଏହିପରି କାର୍ଯ୍ୟକୁ ଆମ ସମାଜ ସହଜରେ ଗ୍ରହଣ କରେନାହିଁ । ତେଣୁ ଜୟନ୍ତୀଙ୍କୁ ମଧ୍ୟ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିଛି, କିନ୍ତୁ ସେ କେବେବି ହାର ମାନି ନାହାନ୍ତି ।
ଶେଷରେ ନିଜକୁ ଜଣେ ସଫଳ ସଞ୍ଚାର କଳାକାର ଭାବେ ପ୍ରତିଷ୍ଠିତ କରି ପାରିଛନ୍ତି । ଏହା ହିଁ ଆମ ଓଡିଶାରେ ନାରୀ ସଶକ୍ତିକରଣର ସଠିକ ଉଦାହରଣ କହିଲେ ଅତ୍ଯୁକ୍ତି ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।