Bhadrak ପଞ୍ଚାୟତ ନିର୍ବାଚନରେ କାହିଁକି ଏମିତି ଏକ ଅଜବ ସର୍ତ୍ତ ରଖିଲେ Voter, ଦେଖନ୍ତୁ ଏହି Report

ତିହିଡି ବ୍ଲକ ତାଳପଦା ପଞ୍ଚାୟତ ଅଧିନସ୍ଥ ଗୋପ ଗଦାଧରପୁର ଗାଁରେ ମାଙ୍କଡ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି । ଅଢେଇ ମାସ ମଧ୍ୟରେ ୬ଜଣ ଗୁରୁତର ହୋଇଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଉ ଏହି ଘଟଣା ପଞ୍ଚାୟତବାସୀଙ୍କ ପାଇଁ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି । ଯେଉଁ ପ୍ରାର୍ଥୀ ଅଥବା ଗୋଷ୍ଠୀ ମାଙ୍କଡ ହଟାଇବାରେ ସମର୍ଥ ହୋଇପାରିବ ତାଙ୍କୁ ଏହି ଗ୍ରାମବାସୀ ସର୍ବାଧିକ ପସନ୍ଦ କରିବେ ବୋଲି ମତ ରଖିଛନ୍ତି ।

ଉପାନ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଭଳି ଏବେ ଭଦ୍ରକ ଜିଲ୍ଲାର ଏହି ପଞ୍ଚାୟତରେ ମାଙ୍କଡ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି । ଏହି ମାଙ୍କଡ ମାନେ ଖାଲି ବିଲବାଡିରେ ପନିପରିବା ନଷ୍ଟ କରୁଛନ୍ତି ତାହା ନୁହେଁ, ବରଂ ଗ୍ରାମାଞ୍ଚଳରେ ଥିବା ଝାଟିମାଟି ନଡା, ଟିଣ ଓ ଆଡବେଷ୍ଟସ ମଧ୍ୟ ଭାଙ୍ଗି ରୁଜି ଛାରଖାର କରୁଛନ୍ତି । ଏପରିକି ଘରେ ଓ ଦୋକାନରେ ପଶି ପନିପରିବା ଠାରୁ ଆରମ୍ଭ କରି ସମସ୍ତ ଖାଦ୍ଯ ପଦାର୍ଥ ବୋହି ନେଉଛନ୍ତି । ଏତିକିରେ ତାଙ୍କ ମନ ବୁଝୁନି ଯେ ମଣିଷ ମାନଙ୍କୁ ଦେଖିବା ପରେ ଅତି ଭୟଙ୍କର ହୋଇ ଉଠୁଛନ୍ତି ।

ବିଗତ କିଛି ବର୍ଷ ଧରି ବିଭିନ୍ନ ଅଞ୍ଚଳରେ ଅନେକଙ୍କୁ ଆକ୍ରମଣ କରି କ୍ଷତାକ୍ତ ଓ ଗୁରୁତର କରିଛନ୍ତି ଏହି ମାଙ୍କଡ ମାନେ । ଏବେ କିଛିଦିନ ହେବ ଏହି ଉପଦ୍ରବ ତାଳପଦା ପଞ୍ଚାୟତରେ ଦେଖାଦେଇଛି । ଏକ ହିଂସ୍ର ମାଙ୍କଡ ଦଳ ଗୋପ ଗଦାଧରପୁର ଗାଁରେ ପଶି ଯାହାକୁ ଯେଉଁଠି ପାଉଛନ୍ତି କାମୁଡି ପକାଉଛନ୍ତି । ଲୋକେ ଭୟରେ ଘରୁ ବାହାରିବାକୁ ମଧ୍ୟ ସାହସ କରୁ ନାହାନ୍ତି । ଯିଏ କୌଣସି କାମରେ ବାହାରକୁ ଆସୁଛି ସାଙ୍ଗ ହୋଇ ଅଥବା ହାତରେ ବାଡି ଠେଙ୍ଗା ଧରି ପଦାକୁ ଆସୁଛନ୍ତି ।

ଏହି ମାଙ୍କଡ ମାନେ ବିଶେଷ କରି ବୃଦ୍ଧ, ମହିଳା ଓ ଛୋଟପିଲାଙ୍କୁ ଆକ୍ରମଣ କରୁଛନ୍ତି । ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ସେମାନେ ସଂପୂର୍ଣ୍ଣ ସୁସ୍ଥ ହୋଇପାରୁ ନଥିବା ବେଳେ ଗତ ଗୁରୁବାର ଦିନ ପୁଣି ଜଣେ ବୃଦ୍ଧ ବ୍ୟକ୍ତି ଅନ୍ୟ ଗାଁରୁ ଫେରୁଥିବା ବେଳେ ମାଙ୍କଡ ହାବୁଡରେ ପଡିଥିଲେ । ରାସ୍ତା ମଝିରେ ତାଙ୍କ ବାଟ ଅବରୋଧ କରି ତାଙ୍କ ଗୋଡକୁ କାମୁଡି ରକ୍ତାକ୍ତ କରି ଦେଇଥିଲା ମାଙ୍କଡ । ଗ୍ରାମବାସୀ ତାବଙ୍କୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ଓ ପରେ ବଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଏ ସଂକ୍ରାନ୍ତରେ ଗ୍ରାମବାସୀ ପୂର୍ବରୁ ବାରମ୍ବାର ଜିଲ୍ଲା ପ୍ରଶାନ ଏବଂ ବନବିଭାଗକୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ । ବନବିଭାଗ ଆଜି ଜନ୍ତା ବସାଇ ଏକ ଅଣ୍ଡିରା ମାଙ୍କଡକୁ ଧରିଥିବା ବେଳେ ଗ୍ରାମବାସୀ ଏଥିର ସନ୍ତୁଷ୍ଟ ନଥିବା କହିଛନ୍ତି । ଉପଦ୍ରବ କରୁଥିବା ୩୦ରୁ ଅଧିକ ହିଂସ୍ର ମାଙ୍କଡ ଦଳରୁ କେବଳ ଗୋଟିଏ ମାଙ୍କଡକୁ ଧରିଲେ କଣ ସମସ୍ଯାର ସମାଧାନ ହୋଇଯିବ ବୋଲି ପ୍ରଶ୍ନ କରୁଛନ୍ତି ଗ୍ରାମବାସୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।