କର୍ମଚାରୀଙ୍କ ଝିଅକୁ ହୋଇଥିଲା ବିରଳ ରୋଗ, ସାହାଯ୍ୟ ପାଇଁ ହାତ ବଢାଇଲା କମ୍ପାନୀ, ହାତରେ ଦେଲା 16 କୋଟି ଟଙ୍କାର ଚେକ୍ !

ଛତିଶଗଡର କୋରବା ଜିଲ୍ଲାର କୋଇଲା ଉତ୍ପାଦନକାରୀ କମ୍ପାନୀ ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡସ (ଏସଇସିଏଲ) ନିଜର ଜଣେ କର୍ମଚାରୀଙ୍କୁ ୧୬ କୋଟି ଟଙ୍କାର ଚେକ୍ ସାହାଯ୍ୟ ରାଶି ଆକାରରେ ଦାନ କରିଛି । ଚେକ୍ ପାଇବା ପରେ କର୍ମଚାରୀ ଜଣକ ଖୁବ୍ ଆଶ୍ଚର୍ଯ୍ୟ ହୋଇଥିଲେ ଓ ଏହାସହ କମ୍ପାନୀର ଏଭଳି ସାହାଯ୍ୟ ପାଇଁ ବାରମ୍ବାର ଧନ୍ୟବାଦ ଦେଉଛନ୍ତି । ଏସଇସିଏଲ କମ୍ପାନୀରେ କାମ କରୁଥିବା କର୍ମଚାରୀ ସତୀଶ କୁମାର ରବିଙ୍କ ମାତ୍ର ୨ ବର୍ଷର ଝିଅ ସୃଷ୍ଟି ରାନୀ ‘ ସ୍ପାଇନାଲ ମସକ୍ୟୁଲର ଆଟ୍ରୋଫି’ ନାମକ ଏକ ବିରଳ ରୋଗରେ ପୀଡିତ ଅଛନ୍ତି ।

ଏହି ରୋଗଟି ସାଧାରଣତଃ ଛୋଟ ପିଲାଙ୍କ ଠାରେ ଦେଖା ଯାଇଥାଏ । ଏହି ରୋଗ ହେଲେ ମେରୁଦଣ୍ଡ ଓ ବ୍ରେନ ଷ୍ଟେମରେ ସ୍ନାୟୁ କୋଷର ଅଭାବ ହେତୁ ମାଂସପେଶୀ ଗୁଡିକ ଠିକ ଭାବେ କାର୍ଯ୍ୟ କରିପାରେ ନାହିଁ । ଯାହା ଫଳରେ ଏହି ରୋଗ ଧୀରେ ଧୀରେ ଜୀବନ ନେଇଯାଏ । ଆଉ ଏହି ରୋଗର ଚିକିତ୍ସା ମଧ୍ୟ ବହୁତ ମହଙ୍ଗା ଅଟେ । ଗତ ବର୍ଷ ଡିସେମ୍ବରରେ ସତୀଶ କୁମାରଙ୍କ ଝିଅ ସୃଷ୍ଟିଙ୍କୁ ଏହି ରୋଗ ହୋଇଥିବା ଜଣା ପଡିଥିଲା ।

ସେବେ ଠାରୁ ଦିଲ୍ଲୀର ଏମ୍ସ ଏବଂ ଏସଇସିଏଲ କମ୍ପାନୀ ପ୍ୟାନେଲ ସହ ଜଡିତ ଥିବା ବିଳାସପୁର ଆପୋଲୋ ହସ୍ପିଟାଲରେ ଝିଅ ସୃଷ୍ଟିର ଚିକିତ୍ସା ହେଉଛି । ଅଳ୍ପ କିଛି ଦିନ ହେବ କୁନି ଝିଅ ସୃଷ୍ଟି ଘରେ ଏକ ପୋର୍ଟେବଲ ଭେଣ୍ଟିଲେଟର ସପୋର୍ଟରେ ରହୁଛନ୍ତି । ଏହି ରୋଗର ଚିକିତ୍ସା ପାଇଁ ସୃଷ୍ଟିଙ୍କୁ ‘ଜୋଲଜେନ୍ସମା’ ଇଂଜେକସନ ର ଆବଶ୍ୟକତା ରହିଛି । କିନ୍ତୁ ସେହି ଗୋଟିଏ ଇଂଜେକସନର ମୂଲ୍ୟ ୧୬ କୋଟି ଟଙ୍କା ବୋଲି କୁହାଯାଉଛି ।

ଝିଅ ପାଇଁ ଏଭଳି ମହଙ୍ଗା ଇଂଜେକସନ କିଣିବା ସତୀଶ କୁମାର ରବିଙ୍କ ପକ୍ଷେ ବିଲକୁଲ ମଧ୍ୟ ସମ୍ଭବ ନଥିଲା । ସେଥିପାଇଁ ସେ ଇଚ୍ଛା କରୁଥିଲେ ମଧ୍ୟ ଝିଅକୁ ଏହି ଇଂଜେକସନ ଦେଇ ପାରୁ ନଥିଲେ । ତେବେ ନିଜ କର୍ମଚାରୀଙ୍କ ଏଭଳି ଅସୁବିଧା ବିଷୟରେ ଜାଣି ଏସଇସିଏଲ ଝିଅ ସୃଷ୍ଟିଙ୍କ ସାହାଯ୍ୟ ପାଇଁ ହାତ ବଢାଇଛି । କୋଇଲା ଖଣିର ମହା ପ୍ରବନ୍ଧକ ଶଶାଙ୍କ ଶେଖର ଦେବଗଣ ସତୀଶ କୁମାର ରବିଙ୍କୁ ୧୬ କୋଟି ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି ।

ଏବେ ସତୀଶ ନିଜ ଝିଅର ଚିକିତ୍ସା କରିପାରିବେ ସେଥିପାଇଁ ଖୁବ ଖୁସି ହେବା ସହ କମ୍ପାନୀ ନିକଟରେ କୃତଜ୍ଞ ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।