Shiv Puran: ବ୍ରାହ୍ମଣମାନେ କାହିଁକି ଭିକ୍ଷା ମାଗନ୍ତି ? ଏହା ପଛରେ କଣ ରହିଛି ପୌରାଣିକ କାରଣ ? Odia Mythology

ଭଗବାନ ଶଙ୍କରଙ୍କ ବାହାନ ମାନଙ୍କ ମଧ୍ୟରୁ ନନ୍ଦୀ ହେଉଛନ୍ତି ପ୍ରମୁଖ । ବଳଦମାନେ ଶାନ୍ତ ସ୍ଵଭାବଯୁକ୍ତ ଓ ମୋହମାୟା ଠାରୁ ଦୂରେଇ ରହିଥାନ୍ତି । ବଳଦ ଶାନ୍ତି ଓ ଶକ୍ତିର ପ୍ରତୀକ ଅଟନ୍ତି । ଏହି ଶାନ୍ତ ସ୍ଵଭାବଯୁକ୍ତ ବଳଦ ଯେତେବେଳେ କ୍ରୋଧରେ ଜର୍ଜରିତ ହୋଇଯାଏ ସେତେବେଳେ ତା’ ସାମ୍ନାରେ ବାଘ ଆସିଲେ ବିଆଇଏସ ଏ ଖାତିର କରେନାହିଁ । ଆଜି ଆମେ ଜାଣିବା ଭଗବାନ ନନ୍ଦୀ କ୍ରୋଧରେ ପୁରା ବ୍ରାହ୍ମଣ ବଂଶକୁ ଏଭଳି ଅଭିଶାପ ଦେଇଥିଲେ ଯେଉଁଥି ପାଇଁ ସେମାନେ ଏଥିରୁ ଏବେ ଯାଏଁ ବି ମୁକ୍ତି ପାଇ ପାରିନାହାନ୍ତି ।

ନନ୍ଦୀ କଣ ପାଇଁ କ୍ରୋଧରେ ଜର୍ଜରିତ ହୋଇ ବ୍ରାହ୍ମଣଙ୍କୁ ଅଭିଶାପ ଦେଲେ ଓ କଣ ଥିଲା ସେହି ଅଭିଶାପ । ଶିବପୁରାଣ ଅନୁସାରେ ଶିଳାନ୍ଦ ଋଷି କଠୋର ତପସ୍ୟା କରି ନନ୍ଦୀଙ୍କୁ ପୁତ୍ର ରୂପେ ପାଇଥିଲେ । ପୁତ୍ର ନନ୍ଦୀଙ୍କୁ ସଂପୂର୍ଣ୍ଣ ବେଦ ବିଦ୍ୟାର ଜ୍ଞାନ ପ୍ରଦାନ କରିଥିଲେ ଶିଳାନ୍ଦ ଋଷି । ଅଳ୍ପ ବୟସରୁ ହିଁ ନନ୍ଦୀ ଭଗବାନ ଶିବଙ୍କ ତପସ୍ୟାରେ ମନ ନିବେଶ କରିଥିଲେ । ଯାହାଫଳରେ ଅଳ୍ପ ବୟସରୁ ହିଁ ନନ୍ଦୀଙ୍କ ନିଷ୍ଠାପର ଭାବନା ଦେଖି ଭଗବାନ ଶିବ ସ୍ଵୟଂ ନନ୍ଦୀଙ୍କ ସମୁଖରେ ଉଭା ହୋଇ ତାଙ୍କୁ ବରଦାନ ମାଗିବାକୁ କହିଥିଲେ ।

ଏହା ଶୁଣି ନନ୍ଦୀ କହିଥିଲେ, ହେ ଭୋଳାନାଥ ମୁଁ ସର୍ବଦା ଆପଣଙ୍କର ଛତ୍ରଛାୟାରେ ରହିବାକୁ ଚାହେଁ । ଆପଣ ହିଁ ମୋର ଆରାଧ୍ୟ ଅଟନ୍ତି, ତେଣୁ ମୁଁ ସାରା ଜୀବନ ଆପଣଙ୍କ ସାନିଧ୍ୟରେ ରହିବାକୁ ଚାହୁଁଛି । ଛୋଟ ବାଳକଟିର ତାଙ୍କ ପ୍ରତି ଏଭଳି ସମର୍ପଣ ଭାବନା ଦେଖି ଭୋଳାନାଥ ବହୁତ ଖୁସି ହୋଇଗଲେ ଓ ନନ୍ଦୀଙ୍କୁ ଆଲିଙ୍ଗନ କରି ଏକ ବଳଦର ତ୍ଵଚା ପ୍ରଦାନ କଲେ ଏବଂ ନନ୍ଦୀଙ୍କୁ ନିଜ ବାହାନ ରୂପେ ଗ୍ରହଣ କଲେ ।

ସେଥିପାଇଁ ନନ୍ଦୀଙ୍କୁ ଭଗବାନ ଶିବଙ୍କ ବାହାନ ସହ ପ୍ରିୟ ସଖା ବୋଲି ମଧ୍ୟ କୁହାଯାଏ । ଏବେ ଜାଣିବା ନନ୍ଦୀ କାହିଁକି ସମଗ୍ର ବ୍ରାହ୍ମଣ ବଂଶକୁ ଅଭିଶାପ ଦେଇଥିଲେ । ଶିବପୁରାଣ ଅନୁସାରେ ବ୍ରାହ୍ମଣ ମାନଙ୍କ ଦ୍ଵାରା ଏକଦା ଗୋଟିଏ ଯଜ୍ଞର ଆୟୋଜନ କରା ଯାଇଥିଲା । ଯେଉଁଥିରେ ଭଗବାନ ବ୍ରହ୍ମାଙ୍କ ସହ ଭଗବାନ ବିଷ୍ଣୁ ଓ ଭଗବନା ଶିବଙ୍କୁ ମଧ୍ୟ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ ଦିଆ ଯାଇଥିଲା । ସମସ୍ତ ଦେବତାଗଣ ଆହୂତିରେ ଲୀନ ଥିବାବେଳେ ଶିବଙ୍କ ଶ୍ଵଶୁର ପ୍ରଜାପତି ତକ୍ଷ ସେଠାରେ ପହଞ୍ଚିଲେ ।

ତାଙ୍କୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ବ୍ରାହ୍ମଣ ଓ ଦେବତାଗଣ ତାଙ୍କ ସାମ୍ନାରେ ଛିଡା ହେଲେ । କିନ୍ତୁ ଭଗବାନ ବ୍ରହ୍ମା ଓ ଭଗବାନ ଶିବ ନିଜ ସ୍ଥାନରେ ସେଭଳି ବସି ରହିଲେ । ଏହା ଦେଖି ପ୍ରଜାପତି ତକ୍ଷ ମନେ ମନେ ରାଗିଗଲେ ଆଉ ଭାବିଲେ ବ୍ରହ୍ମା ମୋ ପିତା ହୋଇଥଯିବା କାରଣରୁ ମୋ ଆଦରରେ ଛିଡା ହେଲେନାହିଁ ।

କିନ୍ତୁ ଭଗବାନ ଶିବ ତ ମୋର ଜାମାତା ଅଟନ୍ତି, ତେଣୁ ତାଙ୍କୁ ମୋ ସମ୍ମାନରେ ଛିଡା ହେବା କଥା । ଏହା ଚିନ୍ତା କରି ପ୍ରଜାପତି ତକ୍ଷ କ୍ରୋଧରେ ଭଗବାନ ଶିବଙ୍କୁ ଯାହା ନାହିଁ ତାହା କହିଗଲେ । ଏହାର ଉତ୍ତରରେ ଭୋଳାନାଥ କହିଲେ, ମୁଁ ଅଗ୍ନିଙ୍କୁ ଦେଖୁଥିଲି ତେଣୁ ଆପଣଙ୍କ ସମ୍ମାନରେ ଛିଡା ହୋଇ ପାରିଲି ନାହିଁ । ଏହି ସମୟରେ ମୋ ପାଇଁ ଅଗ୍ନି ଠାରୁ ଆଉ କେହି ବି ଅଧିକ ପୂଜନୀୟ ନୁହେଁ ।

ଏହା ଶୁଣି ପ୍ରଜାପତି ତକ୍ଷ କ୍ରୋଧ ଜର୍ଜରିତ ହୋଇ ହାତରେ ଜଳ ନେଇ ଶିବଙ୍କୁ ଅଭିଶାପ ଦେଇ କହିଲେ, ଆଜିଠାରୁ ଶିବ କୌଣସି ଯଜ୍ଞରେ ଉପସ୍ଥିତ ରହିବେ ନାହିଁ । ମୁଁ ଏହି ମୂହୁର୍ତ୍ତରେ ତୁମକୁ ଏହି ଯଜ୍ଞରୁ ନିଷ୍କାସିତ କରୁଛି । ଏହା ଶୁଣି ଭଗବାନ ଶିବ ସିନା ମୌନ ରହିଲେ ହେଲେ ତାଙ୍କ ସଖା ନନ୍ଦୀଙ୍କ ମନରେ କ୍ରୋଧ ସୃଷ୍ଟି ହେଲା ।

ତେଣୁ ସେ ରାଗରେ କହିଲେ, ପ୍ରଜାପତି ତକ୍ଷ ଭୋଳାନାଥଙ୍କୁ ଏକ ସାଧାରଣ ମନୁଷ୍ୟ ମନେକରି ଅଭିଶାପ ଦେଲେ । ତେଣୁ ମୁଁ ପ୍ରଜାପତି ତକ୍ଷଙ୍କ ଏହି ଅଭିଶାପକୁ ମୌନ ହୋଇ ଶୁଣୁଥିବା ସମଗ୍ର ବ୍ରାହ୍ମଣଙ୍କୁ ଅଭିଶାପ ଦେଉଛି ଯେ, ସମସ୍ତ ବ୍ରାହ୍ମଣ ଜ୍ଞାନ ହୀନ ହୋଇଯିବେ ଓ ନିଜ କ୍ଷୁଧା ମେଣ୍ଟାଇବା ପାଇଁ ଘର ଘର ବୁଲି ଭିକ୍ଷାବୃତ୍ତି କରିବେ ।

ନନ୍ଦୀଙ୍କ ଏହି ଅଭିଶାପ କାରଣରୁ ବ୍ରାହ୍ମଣମାନେ ଘର ଘର ବୁଲି ଭିକ୍ଷାବୃତ୍ତି କରି ଜୀବିକା ନିର୍ବାହ କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।