ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ୫୦ କିମିରୁ ଅଧିକ ବେଗରେ ପବନ ହେଲେ ବିଜୁଳି କଟାଯିବ ବୋଲି ଶକ୍ତି ବିଭାଗ ତରଫରୁ ସୂଚନା

ବାତ୍ୟା ପ୍ରବଣ ଅଞ୍ଚଳ ପାଇଁ ବିଦ୍ୟୁତ୍ କଟକଣା ଜାରି କରିଛି ଶକ୍ତି ବିଭାଗ । ଭୟଙ୍କର ବାତ୍ୟା ‘ଫୋନି’ ଯେତିକି ପାଖଉଛି, ଲୋକମାନଙ୍କ ମନରେ ସେତିକି ଛନକା ପଶୁଛି । ପବନର ବେଗ ୫୦ କିଲୋମିଟର ଛୁଇଁଲେ ପାଓ୍ବାର କଟ୍ ହେବ ବୋଲି ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି । ବାତ୍ୟା ପବନ କମିବା ପରେ ସବୁ ଅଞ୍ଚଳରେ ଯାଞ୍ଚ କରାଯାଇ ଆବଶ୍ୟକ ସ୍ଥାନରେ ମରାମତି କରାଯିବ ଏବଂ ଏହା ପରେ ବିଦ୍ୟୁତ ସଂଯୋଗ ଦିଆଯିବ । ‘ଫନି’ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଏବଂ ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ସର୍ବାଧିକ ୨୦୦କିଲୋମିଟର ରହିବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିବ ।

 

ତେବେ ସୂଚନା ଅନୁଯାଇ ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀରେ ମାଡ ହେବ ବାତ୍ୟା ଫୋନି । ବର୍ତ୍ତମାନ ଏହି ସାମୁଦ୍ରିକ ଝଡ ପୁରୀ ଠାରୁ ମାତ୍ର ୩୨୦ କିଲୋମିଟର ଦୂରରେ ଅବସ୍ଥିତି ରହିଛି । ଏବେ ଏହାର ଗତି ୧୭ କିଲୋମିଟର ପ୍ରତି ଘଣ୍ଟା ବେଗରେ ସମୁଦ୍ର ପଥରେ ଗତି କରୁଥିବା ବେଳେ ଆସନ୍ତାକାଲି ସକାଳୁ ସକାଳୁ ପୁରୀ ନିକଟରେ ମାଡ ହେବାର ସମ୍ଭାବନା ରହିଛି । ତେବେ ବାତ୍ୟା ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଂଟା ପ୍ରତି ୧୭୫ରୁ ୧୮୫ ହୋଇ ପାରେ ଏହି ସମୟରେ ବିଦ୍ୟୁତ ଖୁଣ୍ଟ ଉପୁଡିଯିବାର ଭୟ ରହିଛି ।

କେବଳ ସେତିକି ନୁହେଁ ଏହାସହ ଗଛ ଉପୁଡି ବିଦ୍ୟୁତ ତାର ଉପରେ ପଡିଯିବାର ଭୟ ମଧ୍ୟ ରହିଛି । ବିଶେଷକରି ପ୍ରଚଣ୍ଡ ପବନ ବେଳେ ବିଦ୍ୟୁତ୍ ଟ୍ରାନ୍ସଫର୍ମରଗୁଡିକ ସର୍ଟ ସର୍କିଟ୍ ହୋଇ ଜଳିଯିବାର ଆଶଙ୍କା ରହିଛି । ତେବେ ଏହିସବୁ ଦୁର୍ଘଟଣାକୁ ଏଡାଇବା ପାଇଁ ପବନର ବେଗ ଅଧିକ ହେବା ମାତ୍ରେ ବିଜୁଳି କାଟ୍ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

 

ତେଣୁ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନେ ସେମାନଙ୍କ ମୋବାଇଲ, ଚାର୍ଜ ଲାଇଟ୍ ଆଦି ଚାର୍ଜ କରି ରଖିବା ସହ ପାଣି ମହଜୁଦ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଶେଷକରି ପବନ ସମୟରେ ବିଜୁଳି କାଟ୍ ହୋଇଥିଲେ ମଧ୍ୟ ବିଜୁଳି ଯନ୍ତ୍ରାଂଶକୁ ନଛୁଇଁବା ପାଇଁ ଆଡଭାଇଜରୀ ଜାରି କରାଯାଇଛି ।