ଭାରତୀୟଙ୍କ ଭୂରି ଭୂରି ପ୍ରଶଂସା କଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର Wasim Akram, କହିଲେ ଭାରତୀୟଙ୍କ ସାହାଯ୍ୟ କେବେବି ଭୁଲି ପାରିବେନି ! 

ପୂର୍ବତନ ପାକିସ୍ତାନୀ କ୍ରିକେଟର ୱାସିମ ଆକ୍ରମ ବର୍ତ୍ତମାନ ତାଙ୍କ ଜୀବନୀ ଉପରେ ଲିଖିତ ଏକ ପୁସ୍ତକର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ ଦେଇଥିବା ଏକ ସାକ୍ଷାତକାରରେ ନିଜ ଜୀବନର କିଛି ଘଡିସନ୍ଧି ମୂହୁର୍ତ୍ତକୁ ଲୋକଲୋଚନକୁ ଆଣିଛନ୍ତି । ଯାହାକି ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ୱାସିମ ଏଥିରେ ଭାରତୀୟଙ୍କ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି । ଏନେଇ ୱାସିମ କହିଛନ୍ତି କି, ତାଙ୍କ ପତ୍ନୀ ହୁମାଙ୍କ ଦେହ ଖରାପ ଥିବାରୁ ସେ ତାଙ୍କୁ ଫ୍ଲାଇଟରେ ସିଙ୍ଗାପୁର ନେଇ ଯାଉଥିଲେ ।

ହେଲେ ଫୁଏଲ ଭରିବାକୁ ଚେନ୍ନାଇରେ ବିମାନକୁ ଅବତରଣ କରିବାକୁ ପଡିଲା । ସେତେବେଳକୁ ହୁମାଙ୍କ ଅବସ୍ଥା ସଙ୍ଗୀନ ଥିଲା ଓ ସେ ଚେତାଶୁନ୍ୟ ହୋଇ ପଡିଥିଲେ । କିନ୍ତୁ ଭାରତରେ ପତ୍ନୀଙ୍କ ଚିକିତ୍ସା କରାଇବା ପାଇଁ ତାଙ୍କ ପାଖରେ ଭିସା ନଥିଲା । ହେଲେ ସେ ଚେନ୍ନାଇ ବିମାନ ବନ୍ଦରରେ ଓହ୍ଲାଇବା ପରେ ସେଠିକାର ଲୋକେ, ସୁରକ୍ଷାକର୍ମୀ, କଷ୍ଟମ ଅଧିକାରୀ ଓ ଇମିଗ୍ରେସନ ଅଧିକାରୀ ସମସ୍ତେ ତାଙ୍କୁ ଚିହ୍ନିପାରିଲେ । ଆଉ ସେମାନେ ଭିସା କଥା ଚିନ୍ତା ନକରି ହୁମାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ କହିଲେ ।

ଏପରିକି ଭାରତର ଭିସା ବନ୍ଦୋବସ୍ତ କରିଦେବେ ବୋଲି ମଧ୍ୟ ତାଙ୍କ ପ୍ରତିଶ୍ରୁତି ଦେଲେ । ଯଦ୍ୟପି ହୁମା ଆଉ ବଞ୍ଚି ପାରିଲେନି ହେଲେ ସେଦିନ ଭାରତୀୟ ଅଧିକାରୀଙ୍କ ସହଯୋଗ ଓ ଭରସାକୁ ଜଣେ କ୍ରିକେଟର ଏବଂ ଜଣେ ସାଧାରଣ ବ୍ୟକ୍ତି ଭାବେ କେବେବି ଭୁଲିପାରିବେ ନାହିଁ ବୋଲି କହିଛନ୍ତି ୱାସିମ ଆକ୍ରମ । ଷ୍ଟାର ସ୍ପୋର୍ଟ୍ସ ସହ ଏକ ସାକ୍ଷାତକାରରେ ଏଭଳି କିଛି କହି ସେ ଭାରତୀୟଙ୍କ ଖୁବ ପ୍ରଶଂସା କରିଛନ୍ତି ।

ସୂଚନା ମୁତାବକ 2009 ରେ ମାତ୍ର 42 ବର୍ଷ ବୟସରେ ହାର୍ଟ ଓ କିଡନୀ ସମସ୍ଯା ଯୋଗୁଁ ୱାସିମ ଆକ୍ରମଙ୍କ ପ୍ରଥମ ପତ୍ନୀ ହୁମାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସେମାନେ ଦୁହେଁ 1995 ରେ ବିବାହ କରିଥିଲେ । ହୁମା ଜଣେ ସାଇକୋଲୋଜିଷ୍ଟ ଥିଲେ ଓ 1991 ରୁ 1994 ଯାଏଁ ପାକିସ୍ତାନ କ୍ରିକେଟ ଟିମ୍ ର ମନସ୍ତତ୍ଵବିତ୍ ଭାବେ କାର୍ଯ୍ୟ କରିଥିଲେ । ସେତେବେଳେ ୱାସିମଙ୍କ ଅଧିନାୟକତାକୁ ନେଇ ଯେତେବେଳେ ବିଦ୍ରୋହ ଆରମ୍ଭ ହୋଇଥିଲା ସେତେବେଳେ ତାଙ୍କୁ ଖୁବ ସମର୍ଥନ କରିଥିଲେ ହୁମା ।

ଯାହାପରେ ଏହା ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା ଓ ସେମାନେ 1995 ରେ ବିବାହ କରିଥିଲେ । ଉଭୟଙ୍କ ବୈବାହିକ ଜୀବନ ବେଶ ଭଲ ଚାଲିଥିବା ବେଳେ ହଠାତ 2009ରେ ହୁମାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇ ଯାଇଥିଲା । ସିଙ୍ଗାପୁରରେ ପହଞ୍ଚିବା ପୂର୍ବରୁ ଭରତ ମାଟିରେ ହିଁ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ହୁମା ।

ସୁଇଂ ସୁଲତାନ କୁହା ଯାଉଥିବା ୱାସିମ ଆକ୍ରମଙ୍କ ଜୀବନୀ ପୁସ୍ତକ “ସୁଲତାନ: ଏ ମେମୋର” ପୁସ୍ତକରେ ଏହା ଉଲ୍ଲେଖ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।