ଆମିଷ ଖାଇଲେ ଗୋଡେଇ ଖାଇବ ଗୋଖର ସାପ, ଯୁଗ ଯୁଗ ଧରି ଏହି ଗାଁର ଚାଲଥିବା ଏଭଳି ଅଜବ ବିଶ୍ବାସ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ଯଦି କେହି ଆମିଷ ଖାଇବେ ତେବେ ଗୋଖର ସାପ ଗୋଡେଇ ଗୋଡେଇ ଖାଇବ । ନହେଲେ ଆଖି ଫୁଟିଯିବ କିମ୍ବା ଜୀବନ ଚାଲିଯିବ । ଏକଥା ଶୁଣିଲେ ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଏହି ଗାଁରେ ଏଭଳି ଏକ ଅଦ୍ଭୁତ ବିଶ୍ବାସ ରହି ଆସିଛି । ଆଜିକାଲି ନୁହେଁ କିମ୍ବା କିଛି ବର୍ଷ ତଳୁ ନୁହେଁ ବରଂ କାହୁଁ କେଉଁ କାଳ ରାଜାରାଜୁଡା ଅମଳରୁ ଏକତାକୁ ବିଶ୍ବାସ କରି ଆସୁଛନ୍ତି ଏହି ଗାଁର ଲୋକେ । ସେଥିପାଇଁ ଏହି ଗାଁରେ କେହି ଆମିଷ ଖାଇବା ତ ଦୂର, ଗାଁରେ ଆମିଷ ପଶେନି କହିଲେ ଚଳେ ।

ଏମିତିକି ଛେଳି, କୁକୁଡା ଓ ବତକ ଆଦି ମଧ୍ୟ ଏହି ଗାଁର କେହି ରଖନ୍ତିନି । ଏହି ଗାଁର କୁକୁର ବିଲେଇ ବି ଆମିଷ ଖାଆନ୍ତିନି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଅବସ୍ଥିତ ଏସିଆ ମହାଦେଶର ସବୁଠୁ ବଡ ଗାଁ ଭୁବନ । ଏହି ଭୁବନ ବ୍ଲକରେ ରହିଛି ଆଉ ଏକ ଗାଁ ବେଣ୍ଟଶାଳିଆ । ଏହି ଗାଁର ଲୋକେ ଆଜି ଯାଏଁ ଆମିଷର ସ୍ଵାଦ ଚାଖି ନାହାନ୍ତି । ଛୁଆ ଠାରୁ ନେଇ ବୁଢା ପର୍ଯ୍ୟନ୍ତ କେହି ବି ମାଛ, ମାଂସ କି ଅଣ୍ଡା ଚାଖି ନାହାନ୍ତି । ଏହି ଗାଁରେ ଭୋଜିଭାତ ହେଲେବି ସାଧା ଆଇଟମରେ ହିଁ କାମ ଚଳେ ।

ଯେଉଁ ଘରେ କେହି ଆମିଷ ଖାଉ ନଥିବେ ସେହି ଘରର ଝିଅ ହିଁ ଏହି ଗାଁକୁ ବୋହୂ ହୋଇ ଆସେ । ହେଲେ କାହିଁକି ଓ କେବେ ଠାରୁ ଏହି ପରମ୍ପରା ଚାଲି ଆସିଛି ତାହା ଅନେକ ଜାଣିବାକୁ ଚାହିଁଥାନ୍ତି । ଏହି ପରମ୍ପରାର ଭିତରେ ରହିଛି କେତେ ରହସ୍ୟ । ତା’ ଭିତରୁ ଗୋଟିଏ କଥା ହେଲା, ଥରେ କୁଆଡେ ଗୋଟେ ମାଛ ବ୍ୟବସାୟୀ ଏହି ଗାଁ’କୁ ପଶି ଆସିଥିଲା ।

ସେତେବେଳେ ଭାଗବତ ସଂକୀର୍ତ୍ତନ ଚାଲିଥାଏ ସେଥିପାଇଁ ଲୋକେ ତାକୁ ଗାଁ ଭିତରକୁ ଆସିବାକୁ ବାରଣ କରୁଥିଲେ । ହେଲେ ସେ ନମାନି ଗାଁ ଭିତର ଦେଇ ଯିବାରୁ ତାକୁ କୁଆଡେ ସାପ ଦଂଶନ କରିଥିଲା । ଖାଲି ସେତିକି ନୁହେଁ ବରଂ ରାଜାରଜୁଡା ସମୟରେ ଜଣେ ରାଜା ମଧ୍ୟ ଗ୍ରାମବାସୀଙ୍କ ଆମିଷ ନଖାଇବାକୁ ନାପସନ୍ଦ କରିଥିଲେ । ଆଉ ଏନେଇ ସାପଟିଏ ଆଣି ଜଣେ ଗ୍ରାମବାସୀଙ୍କ ଉପରେ ପରୀକ୍ଷା ମଧ୍ୟ କରିଥିଲେ । ବୈଷ୍ଣବ ହୋଇଥିବାରୁ ତାଙ୍କୁ ଗୋଖର ସାପ କାମୁଡି ନଥିଲା ।

ସେଠାକାର ସ୍କୁଲରେ ମଧ୍ୟ ଅଣ୍ଡା ବଦଳରେ ପିଲାଙ୍କୁ ଫଳମୂଳ ବିସ୍କୁଟ ଆଦି ଦିଆଯାଏ । ଜିଲ୍ଲା ପ୍ରଶାସନ ମଧ୍ୟ ଏମାନଙ୍କ ବିଶ୍ବାସକୁ ମାନ୍ୟ କରିଛି । ଆଜିର ବୈଜ୍ଞାନିକ ଯୁଗରେ ଏହି ଗାଁରେ ଅନେକ ପିଲା ବାହାରେ ଯାଇ ଚାକିରି କରୁଥିଲେ ମଧ୍ୟ କେହି ଆମିଷ ଖାଆନ୍ତି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।