କିଛି ମାସ ବ୍ଯବଧାନରେ ସେଇ ଠାଣି ଓ ଅନ୍ଦାଜ ନେଇ ଆସିଗଲେ କିଶୋର ଭାଇନା । ହୋଟେଲର ଚିତ୍ର ବଦଳିବା ସାଙ୍ଗକୁ କୁଆଡେ ସ୍ଵାଦ ବି କମିଯାଇଛି । ଧାଡିକି ଧାଡି ଗିନା ରଖି ମଟନ ବାଢୁଛନ୍ତି କିଶୋର ଭାଇନା । ଦୂରଦର୍ଶନ ଅଫିସ ସାମ୍ନାରେ ଥିବା କିଶୋର ଭାଇନାଙ୍କ ଯେଉଁ ପୁରୁଣା ହୋଟେଲ ଆଗରେ ମଟନ ଖାଇବାକୁ ଗ୍ରାହକଙ୍କ ଭିଡ ଜମୁଥିଲା ଏଠି ତାହା ଦେଖିବାକୁ ମିଳୁନି । ଚାଳଛପର ହୋଟେଲ ତଳେ କିଶୋର ଭାଇନାଙ୍କ ମଟନ ଖାଇବାକୁ ଲୋକେ ଅପେକ୍ଷା କରି ରହୁଥିଲେ ।
ହେଲେ ଏବେ ଠିକଣା ବଦଳିବା ପରେ କିଶୋର ମଟନରେ ଆଉ ଦେଖିବାକୁ ମିଳୁନି ଲୋକଙ୍କ ଗହଳି । ପୂର୍ବରୁ ଯାହାଙ୍କୁ ଗ୍ରାହକ ଅପେକ୍ଷା କରି ରହୁଥିଲେ ଏବେ ସେଇ କିଶୋର ଭାଇନା ନିଜେ ଗ୍ରାହକଙ୍କ ବାଟ ଚାହିଁ ବସୁଛନ୍ତି । ଚୁଲିରୁ ଓହ୍ଲାଇବା ମାତ୍ରେ କିଛି ସମୟ ପରେ ଖାଲି ହୋଇ ଯାଉଥିଲା କିଶୋର ଭାଇନାଙ୍କ ମଟନ ହଣ୍ଡା । ହେଲେ ଏବେ ଯେମିତିକୁ ସେମିତି ଥୁଆ ହୋଇଛି । ଲୋକେ କହୁଛନ୍ତି କିଶୋର ଭାଇନାଙ୍କ ଚୁଲି ରନ୍ଧା ମଟନ ର ସ୍ଵାଦ ବି କୁଆଡେ ଏବେ କମିଗଲାଣି ।
ଏହାସହ ଦରଦାମରେ ମଧ୍ୟ ଫରକ ଦେଖିବାକୁ ମିଳିଛି । କିଶୋର ଭାଇନା ପୂର୍ବରୁ ମଟନ ପ୍ଳେଟ ପାଇଁ 180 ଟଙ୍କା ନେଉଥିବା ବେଳେ ଏବେ ମାତ୍ର 150 ଟଙ୍କା ନେଉଛନ୍ତି । ସ୍ଵାଦର ଚାହିଦା କମୁଥିବାରୁ କିଶୋର ଭାଇନାଙ୍କ ଆଡୁ ଏଥର ମୁହଁ ଫେରାଇ ନେଉଛନ୍ତି ଗ୍ରାହକ ।
କିଛି ମାସ ପୂର୍ବରୁ ଅସ୍ଵାସ୍ଥ୍ୟକର ପରିବେଶ ଓ ରଙ୍ଗମିଶା ପଦାର୍ଥର ଉପଯୋଗ କାରଣରୁ ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ଭାଇନାଙ୍କ ମଟନ ଉପରେ ବିଏମସି ଫୁଡ୍ ସେଫଟି ଟିମ୍ ଚଢାଉ କରି ବନ୍ଦ କରି ଦେଇଥିଲା । ଏହାପରେ କିଶୋର ଭାଇନାଙ୍କ ମଟନ ଦୋକାନକୁ ଯାଇ ମନଦୁଃଖରେ ଫେରି ଯାଉଥିଲେ ଗ୍ରାହକ । ତେବେ ଦୀର୍ଘ ଦିନ ବ୍ଯବଧାନରେ ରାଜଧାନୀରେ ପୁଣି ଥରେ ନ୍ହୁଆ ରୂପରେ ହୋଟେଲ ଖୋଲିଛନ୍ତି କିଶୋର ଭାଇନା ।
ହେଲେ ବର୍ତ୍ତମାନ ତାଙ୍କ ହୋଟେଲରେ ଲୋକଙ୍କ ଭିଡ ଏକଦମ କମିଯାଇଛି । ତେବେ ନୂଆ ଜାଗାରେ ହୋଟେଲ କରିଥିବାରୁ ପୁଣି ଥରେ ଗ୍ରାହକ ବନିବା ପାଇଁ ସମୟ ଲାଗିପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।