ଟଙ୍କା ଦେ’ ନହେଲେ ଏଇଠୁ ତୋତେ ଛାଡ଼ିବୁନି, ଆଉ ତୋ ଭିଡିଓ ଭାଇରାଲ କରିଦେବୁ । 6 ହଜାର ଟଙ୍କା ଦେଲେ ଯାଇ ତୁ ତୋ ପ୍ରେମିକାକୁ ନେଇ ଯାଇ ପାରିବୁ, ନହେଲେ ତୋ ବାପାକୁ ଫୋନ କରି ତୁମ ଦୁଇ ଜଣଙ୍କୁ ବଦନାମ କରିବୁ । ଏମିତି କିଛି କହି ଏକ ପ୍ରେମୀଯୁଗଳଙ୍କୁ କିଛି ଅସାମାଜିକ ବ୍ୟକ୍ତି ଧମକ ଦେଉଛନ୍ତି । ଆଉ ଝିଅଟିକୁ ଯେଉଁ ସବୁ ଅଶ୍ଳୀଳ ଭାଷା କହି ଗାଳିଗୁଲଜ କରୁଛନ୍ତି ଶୁଣିଲେ ଆପଣ କାନରେ ହାତ ଦେଇଦେବେ ।
ସେଠାକୁ ବୁଲିବାକୁ ଆସୁଥିବା ପୁଅ ଝିଅଙ୍କ ଠାରୁ ଟଙ୍କା ଆଦାୟ କରିବାର ଏମିତି କିଛି ଫଣ୍ଡା ଆପଣେଇଛନ୍ତି ଏହି ଅସାମାଜିକ ବ୍ୟକ୍ତିମାନେ । ଜଙ୍ଗଲ ଭିତରେ ଫଟୋ ଉଠାଇବାକୁ ଏକ ସୁଯୋଗ ଓ ରୋଜଗାରର ମାଧ୍ୟମ ଭାବେ ବାଛି ନେଇ ସେମାନଙ୍କର ଭିଡିଓ ଉତ୍ତୋଳନ କରିବା ସହ ଭାଇରାଲ କରିବାର ଧମକ ଦେଉଛନ୍ତି । ଏହି ଅସାମାଜିକ ବ୍ୟକ୍ତିମାନେ ଏହିଭଳି ବ୍ଳାକମେଳ କରି ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥାନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ବେଳାଭୂମିରେ ।
ବାଲେଶ୍ଵର ଡଗରା ବେଳାଭୂମିର ମଜା ନେବା ପାଇଁ ଜଣେ ଯୁବତୀଙ୍କ ସହ ଦୁଇ ଜଣ ଯୁବକ ସେଠାକୁ ଆସିଥିଲେ । ସେଠାରେ ସେମାନେ ଝାଉଁ ଜଙ୍ଗଲ ଭିତରେ ଫଟୋ ଉଠାଇଥିବା ବେଳେ କିଛି ସ୍ଥାନୀୟ ଲୋକ ସେମାନଙ୍କୁ ଘେରି ଯାଇଥିଲେ । ଖାଲି ସେତିକି ନୁହେଁ ବରଂ ତାଙ୍କର ଭିଡିଓ ମଧ୍ୟ କରିଥିଲେ । ସେମାନେ ଯୁବତୀଙ୍କୁ ଅପଶବ୍ଦ ବ୍ୟବହାର କରି ଗାଳି କରୁଥିବା ବେଳେ ତାଙ୍କ ସହ ଥିବା ଯୁବକ ଏହାକୁ ବିରୋଧ କରିଥିଲେ ।
ସ୍ଥାନୀୟ ଅସାମାଜିକ ଲୋକମାନେ ସେମାନଙ୍କୁ 6 ହଜାର ଟଙ୍କା ଦାବି କରୁଥିବା ବେଳେ ବହୁ ନିବେଦନ ପରେ ଯୁବକ ଜଣକ ମାତ୍ର 1000 ଟଙ୍କା ଦେଇ ସେଠାରୁ ଚାଲି ଯାଇଥିଲେ । ତେବେ ଟଙ୍କା ବି ନେଲେ ଆଉ ଭିଡିଓ ବି ଭାଇରାଲ କରିଦେଲେ ଏହି ଅସାମାଜିକ ବ୍ୟକ୍ତିମାନେ । ଉତ୍ତୋଳନ କରାଯାଇଥିବା ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭାଇରାଲ କରିଛନ୍ତି ଦୁର୍ବୃତ୍ତମାନେ ।
ସ୍ଥାନୀୟ ପ୍ରଶାସନ ଯଦି ଶୀଘ୍ର ଏଭଳି ଅସମାଜିକ କାର୍ଯ୍ୟକଳାପ ନ ରୋକନ୍ତି ତେବେ ଡଗରା ବେଳାଭୂମିକୁ ପର୍ଯ୍ୟଟନ ଏବଂ ଯୁବକ ଯୁବତୀମାନେ ଆସିବାକୁ ଭୟ କରିବେ । ସ୍ଥାନୀୟ ପୋଲିସ ପ୍ରଶାସନ ଏନେଇ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।