ବଢିବାରେ ଲାଗିଛି କରୋନା ପଜିଟିଭଙ୍କ ସଂଖ୍ୟା, ଚିନ୍ତାରେ ସରକାର, ପୁଣି ଉପୁଜିପାରେ ଲକଡାଉନ ଭଳି ସ୍ଥିତି ?

ବର୍ତ୍ତମାନ ଦେଶରେ ପୁଣି ଥରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଯାହାକି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଚିନ୍ତା ବଢାଉଛି । ବର୍ତ୍ତମାନ ବଡଦିନ ଓ ନୂଆବର୍ଷ ଛୁଟିରେ ଅନେକ ଲୋକ ଭାରତ ଫେରୁଛନ୍ତି । ଏହାସହ ବିଶ୍ଵର ଅନ୍ୟ ଦେଶରେ କରୋନା ବୃଦ୍ଧି ପାଉଥିବା ଦେଖି ଭାରତକୁ ଫେରି ଆସୁଛନ୍ତି ଅନେକ ଭାରତୀୟ । ହେଲେ ଚିନ୍ତାର ବିଷୟ ହେଉଛି ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଲୋକଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବାରେ ଲାଗିଛି ।

ଯାହା ଭାରତର କୋଭିଡ ସଂକ୍ରମଣଙ୍କ ସଂଖ୍ୟାକୁ ପ୍ରଭାବିତ କରୁଛି । ବର୍ତ୍ତମାନ ଚୀନ ପରେ ଆମେରିକା, ଜାପାନ, ବ୍ରାଜିଲ ଓ କୋରିଆ ଭଳି ଦେଶରେ ମଧ୍ୟ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଭାରତ ଏକ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ପୂର୍ବରୁ କରୋନାର କରାଳ ରୂପ ଦେଖି ସାରିଛନ୍ତି ଦେଶବାସୀ । ସେଭଳି ପରିସ୍ଥିତି ଯେମିତି ନ ହୁଏ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ତେବେ ଆକଳନ କରାଯାଉଛି କି, ଆସନ୍ତା 2023 ଜାନୁୟାରୀ 15 ତାରିଖ ପରେ ଦେଶରେ କରୋନା ସ୍ଥିତି ଜଟିଳ ହୋଇପାରେ ।

ତେଣୁ ଆଗାମୀ 40 ରୁ 50 ଦିନ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ସୂଚନା ଅନୁସାରେ ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଗତ କିଛି ଦିନ ମଧ୍ୟରେ ପ୍ରାୟ 41 ଜଣ ବିଦେଶ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ଚୀନ ସମେତ ଅନ୍ୟ ଦେଶରେ ମଧ୍ୟ କରୋନା କାୟା ବିସ୍ତାର କରୁଥିବା ଦେଖି ଭାରତ ସରକାର ଏବେ ଠାରୁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ।

ସେଥିପାଇଁ ବିଦେଶରୁ ଫେରୁଥିବା ସମସ୍ତ ଯାତ୍ରୀଙ୍କର ରାପିଡ଼ ଟେଷ୍ଟ ଆରମ୍ଭ ହୋଇଯାଇଛି । ଗତକାଲି ଦୁବାଇରୁ ଆସିଥିବା ଦୁଇ ଜଣ ଯାତ୍ରୀ ଚେନ୍ନାଇ ବିମାନ ବନ୍ଦରରେ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ସେହିପରି କର୍ଣ୍ଣାଟକ ର ବେଙ୍ଗାଲୁରୁ କେମ୍ପେଗୁଡା ବିମାନ ବନ୍ଦରରେ ଚାରି ଜଣ ବିଦେଶୀ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ରିପୋର୍ଟ ଆସିଥିବା ସମସ୍ତ ଯାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇଛି ।

କରୋନା ସହ ଲଢେଇ ପାଇଁ ଏବେଠୁ ସାରା ଦେଶରେ ଥିବା ହସ୍ପିଟାଲ ମାନଙ୍କରେ ମକଡ୍ରିଲ ଆରମ୍ଭ ହୋଇଯାଇଛି । ସାଧାରଣ ଲୋକଙ୍କୁ ଏବେଠୁ ସତର୍କ ରହିବା ପାଇଁ କୁହାଯାଉଛି । ନଚେତ ସ୍ଥିତି ଅସମ୍ଭାଳ ହେଲେ ପୁଣି ଥରେ ଲକଡାଉନ ଓ ସଟଡାଉନ ଭଳି ପରିସ୍ଥିତି ଉପୁଜିପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।