ଚଳିତ ଟି-20 ବିଶ୍ଵକପରେ ପ୍ରତାପ ଦେଖାଇଛନ୍ତି ଦମଦାର ଫର୍ମରେ ଥିବା ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ । ଫଳରେ ଟି-20 ଫର୍ମାଟରେ ସେ ନୂଆ ବାଦଶାହ ଭାବେ ଉଭା ହୋଇଛନ୍ତି । ଟି-20 ଫର୍ମାଟରେ ଆଇସିସି ଜାରି କରିଥିବା ରାଙ୍କିଂ ଅନୁସାରେ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ ଏକ ନମ୍ବର ବ୍ୟାଟରର ସ୍ଥାନ ହାସଲ କରିଛନ୍ତି ସୂର୍ଯ୍ୟକୁମାର । ଟି-୨୦ ବିଶ୍ଵକପରେ 863 ପଏଣ୍ଟ ସହ ସୂର୍ଯ୍ୟକୁମାର ଶୀର୍ଷରେ ରହିଥିବା ବେଳେ 842 ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ରିଜୱାନ ।
ଏହି ରାଙ୍କିଂରେ ରିଜୱାନଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି ସୂର୍ଯ୍ୟ । ବିଶ୍ଵକପରେ ଆଖିଦୃଷ୍ଟିଆ ପ୍ରଦର୍ଶନ ସୂର୍ଯ୍ୟକୁମାରଙ୍କ ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହୋଇପାରିଛି । ଚଳିତ ଟି-20 ବିଶ୍ଵକପରେ ବିରାଟ କୋହଲିଙ୍କ ପରେ ଦ୍ଵିତୀୟ ସର୍ବାଧିକ ସ୍କୋରର ଭାବେ ରହିଛନ୍ତି ସୂର୍ଯ୍ୟକୁମାର । ପ୍ରଥମ ଥର ପାଇଁ ଟି-20 ବ୍ୟାଟର ରାଙ୍କିଂରେ ଏକ ନମ୍ବର ସ୍ଥାନ ହାତେଇଛନ୍ତି ସୂର୍ଯ୍ୟକୁମାର । କେବଳ ଏତିକି ନୁହେଁ ବରଂ ଦୀର୍ଘଦିନ ପରେ ଭାରତୀୟ ଖେଳାଳି ଟି-20 ବ୍ୟାଟର ରାଙ୍କିଂରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।
ଆଗକୁ ଜିମ୍ବାୱେ ବିପକ୍ଷରେ ଭାରତ ଆଉ ଏକ ମ୍ଯାଚ ଖେଳିବାକୁ ଯାଉଥିବା ବେଳେ ଏହି ମ୍ଯାଚରେ ମଧ୍ୟ ନିଜ ସ୍ଥାନକୁ ଦୃଢ ରଖିବାରେ ଭାରତୀୟ ଖେଳାଳିଙ୍କୁ ଭଲ ସୁଯୋଗ ମିଳିବ । ICC ତରଫରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଟି-୨୦ ବ୍ୟାଟର ରାଙ୍କିଂର ଟପ୍-10 ରେ ଦୁଇ ଭାରତୀୟ ବ୍ୟାଟର ଅଛନ୍ତି । ତାଲିକାର ଶୀର୍ଷରେ ସୂର୍ଯ୍ୟକୁମାର ରହିଥିବା ବେଳେ ଦଶମ ସ୍ଥାନରେ ରହିଛନ୍ତି କୋହଲି ।
ଚଳିତ ବିଶ୍ଵକପରେ ଚାରୋଟି ମ୍ଯାଚରେ ସୂର୍ଯ୍ୟକୁମାର 164 ରନ୍ କରିଥିବା ବେଳେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । 2022 ର ଟି-20 ଫର୍ମାଟରେ ସର୍ବାଧିକ ସ୍କୋର କରିଥିବା ଖେଳାଳି ଭାବେ ମଧ୍ୟ ଉଭା ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ତାଲିକାର ଦଶମ ସ୍ଥାନରେ ଥିବା କୋହଲି ବାଂଲାଦେଶ ବିପକ୍ଷରେ 64 ରନ୍ ର ଇନିଂସ ଖେଳିବା ସହ ଟି-20 ବିଶ୍ଵକପରେ ନୂଆ ରେକର୍ଡ କରିଛନ୍ତି । ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ନିଜ ନାଁରେ ନୂଆ ରେକର୍ଡ କରିଛନ୍ତି କୋହଲି ।
ମୋଟ ଟି-20 ବିଶ୍ଵକପରେ 1065 ରନ୍ କରିବା ସହ ସର୍ବାଧିକ ସ୍କୋର କରିଥିବା କରିଥିବା ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ପୂର୍ବରୁ 1016 ରନ୍ ସହ ଏହି ସ୍ଥାନରେ ରହିଥିଲେ ମାହେଲା ଜୟବର୍ଦ୍ଧନେ । ତେବେ ନୂଆ ମିଷ୍ଟର 360 ଅର୍ଥାତ ସୂର୍ଯ୍ୟ ଆଗକୁ କଣ କମାଲ ଦେଖାଉଛନ୍ତି କ୍ରିକେଟପ୍ରେମୀ ତାହା ଦେଖିବାକୁ ଚାହିଁ ବସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।