24 ରେ ଆସୁଛି ବାତ୍ୟା ! ବାତ୍ୟା ପୂର୍ବନୁମାନ ନେଇ ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ Prof. Surendranath Pashupalak

ଅକ୍ଟୋବର ମାସରେ ବାତ୍ୟାକୁ ନେଇ ଅନେକ ପୂର୍ବାନୁମାନ ଓ ତର୍କବିତର୍କ ଲାଗିରହିଛି । ପୂର୍ବରୁ ଆମେରିକାର ଜିଏଫଏସ ମଡେଲ ଏକ ବଡ ବାତ୍ୟା ଆସୁଥିବାର ଆଶଙ୍କା ପ୍ରକାଶ କରିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ କିନ୍ତୁ ଏହାକୁ ଖଣ୍ଡନ କରିଥିଲା । କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଇଏମଡ଼ି ପକ୍ଷରୁ ସୂଚନା ମିଳିଥିଲା । ଆଉ ଏବେ ପୁଣି ଥରେ ଆସନ୍ତା ୨୪ ତାରିଖ ବେଳକୁ ସମୁଦ୍ରରେ ଏକ ଛୋଟ ଧରଣର ବାତ୍ୟା ଆସିପାରେ ବୋଲି କୁହାଯାଉଛି ।

ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳଙ୍କ କହିବା ଅନୁଯାୟୀ, ଗତ ରବିବାର ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟ ପ୍ରାୟତଃ ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୧ କିମ୍ବା ୨୨ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ ଏବଂ ୨୩ ତାରିଖ ସୁଦ୍ଧା ଅବପାତର ରୂପ ନେବ । ଆଉ ୨୪ ତାରିଖରେ ଏହା ସମୁଦ୍ର ମଧ୍ୟରେ ଥିବା ବେଳେ ଏକ ଛୋଟ ଧରଣର ବାତ୍ୟା ହେବାର ସମ୍ଭାବନା ରହିଛି ।

ଆଉ ଏହି ବାତ୍ୟାରେ ପବନର ବେଗ ଘଣ୍ଟାପ୍ରତି ୬୮ କିମି ହେବାର ସମ୍ଭାବନା ରହିଛି । ଆଉ ୨୫ ତାରିଖରେ ଏହା ଆନ୍ଧ୍ର ଉପକୂଳ ଓ ସଲଗ୍ନ ଓଡିଶା ଉପକୂଳରେ ପହଞ୍ଚିପାରେ । ସେତେବେଳେ ଏହା ଦୁର୍ବଳ ହୋଇ ଗଭୀର ଅବପାତ ହୋଇଥିବ ଓ ପବନର ଝଟକା ଅଧିକ ଥିବ । ତେଣୁ ଏହା ପ୍ରଭାବରେ ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ।

ଖାସ କରି ଉପକୂଳ ଓ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ୨୨ ତାରିଖରୁ ବାତ୍ୟା ପାଇଁ ପାଗ ଅନୁକୂଳ ହେବାର ଆକଳନ କରାଯାଉଛି । ଯଦି ବାତ୍ୟା ହୁଏ ତେବେ ଓଡିଶା ଉପକୂଳ ଛୁଇଁବା ସମ୍ଭାବନାକୁ ଏଡାଇ ଦିଆ ଯାଇପାରିବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳ । ସେପଟେ ଆସନ୍ତା ୨୪ ତାରିଖ ମଧ୍ୟରେ ଓଡିଶା ଛାଡିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଓଡିଶାର କିଛି ଜିଲ୍ଲାରେ ପାଗ ଅନୁକୂଳ ରହିଛି । ଆସନ୍ତା ଦୁଇରୁ ତିନି ଦିନ ଯାଏଁ ବିଶେଷ ବର୍ଷା ସମ୍ଭାବନା ନଥିବା ମଧ୍ୟ ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।