ଓଡିଶାରେ ବାସ ମାସରେତେର ପର୍ବ ପାଳନ କରାଯାଏ । ସେଥିମଧ୍ୟରୁ କୁମାର ପୂର୍ଣ୍ଣିମା ଅନ୍ୟତମ । ଓଡିଶାର ପୁରପଲ୍ଲୀର ଅବିବାହିତା ଝିଅମାନେ କୁମାର ପୂର୍ଣ୍ଣିମା ପର୍ବକୁ ବେଶ ଜାକଜକମରେ ପାଳନ କରିଥାନ୍ତି । ଏହିଦିନ ନୂଆ ପୋଷାକ ସାଙ୍ଗକୁ ଅନେକ ପିଠାପଣା ମଧ୍ୟ ହୋଇଥାଏ । କିନ୍ତୁ ଆପଣ କଣ ଜାଣିଛନ୍ତି କୁମାର ପୂର୍ଣ୍ଣିମା ଓଷା କଣ ଅଟେ ଓ କାହିଁକି ଏହା ପାଳନ କରାଯାଏ ? ଏହି ଓଷାର ମହତ୍ଵ କଣ ଏବଂ ଏହି ଓଷା କଲେ କଣ ସୁଫଳ ମିଳିଥାଏ ? ଆସନ୍ତୁ ଜାଣିବା ।
ଆଶ୍ଵିନ ମାସର ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବୋଲି କୁହାଯାଏ । ଏହା ଶରତ ଋତୁରେ ପଡୁଥିବାରୁ ଏହି ପୂର୍ଣ୍ଣିମାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଝିଅମାନେ ସୂର୍ଯ୍ୟ ଉଦୟ ଆଗରୁ ଉଠିଥାନ୍ତି ଓ ନିତ୍ୟକର୍ମ ଶେଷ କରି ନୂଆ ଡ୍ରେସ ପିନ୍ଧି ସୂର୍ଯ୍ୟଙ୍କୁ ଆଞ୍ଜୁଳା ଟେକିଥାନ୍ତି । ଯଦି କେହି ମାନସିକ କରିଥାନ୍ତି ତେବେ ସେ ଚଉରା ଆଗରେ ଅରୁଆ ଚାଉଳ ଦେଇ ଗୁଆ ବସେଇଥାନ୍ତି । ସେହିପରି ସନ୍ଧ୍ୟା ସମୟରେ ଝିଅମାନେ ପୁଣି ଥରେ ନୂତନ ବସ୍ତ୍ର ପିନ୍ଧି ଚନ୍ଦ୍ରମାଙ୍କ ସହ ଚଉରା ପୂଜା ମଧ୍ୟ କରିଥାନ୍ତି ।
କୁମାର ପୂର୍ଣ୍ଣିମାର କିଛିଦିନ ଆଗରୁ ମଧ୍ୟ ଚଉରା ପୂଜା କରାଯିବା ସହ ଚଉରା ଆଗରେ ମୁରୁଜ ପକାଯାଇଥାଏ ଏବଂ ଚଉରାରେ ଫୁଲ ଓ ସିନ୍ଦୂର ଆଦି ଦିଆ ଯାଇଥାଏ । ଏହି ପୂଜାରେ କଇଁ ଫୁଲକୁ ମୁଖ୍ଯତଃ ବ୍ୟବହାର କରାଯାଏ । ଚନ୍ଦ୍ରଙ୍କ ପୂଜାରେ ଏହି କଇଁ ଫୁଲର ବ୍ୟବହାର କରା ଯାଉଥିବାରୁ କଇଁ ଫୁଲ ହିଁ ଏହାର ମୁଖ୍ୟ ଫୁଲ ହୋଇଥାଏ ।
ଓଡିଶାରେ କୁମାର ପୂର୍ଣ୍ଣିମାକୁ କୁମାରୀ ମାନଙ୍କ ପର୍ବ ଭାବେ ପାଳନ କରାଯାଏ । ଏହିଦିନ କୁଆଁରୀ ଝିଅମାନେ ଭଲ ବର ପାଇବା ପାଇଁ ଭଗବାନ କାର୍ତ୍ତିକଙ୍କୁ ପୂଜା କରିଥାନ୍ତି । ଏହାସହ ଚନ୍ଦ୍ରଙ୍କ ଉପାସନା ମଧ୍ୟ କରନ୍ତି ଓ ତୁଳସୀ ଚଉରା ଆଗରେ ମଧ୍ୟ ବନ୍ଦାପନା କରିଥାନ୍ତି । ପୁରାଣରେ ବର୍ଣ୍ଣିତ ଅଛି ଯେ, ତୁଳସୀ ଦେବୀ ଜଣେ ପତିବ୍ରତା ନାରୀ ଥିଲେ । ତାଙ୍କ ସତୀତ୍ଵ ଯୋଗୁଁ ତୁଳସୀ ରୂପରେ ପୂଜା ପାଇବା ପାଇଁ ତାଙ୍କୁ ବର ମିଳିଥିଲା ।
ସେଥିପାଇଁ ଯୁଗ ଯୁଗରୁ କୁଆଁରୀ ଝିଅମାନେ ଭଲ ବର ପାଇବା ପାଇଁ, ବିବାହିତା ନାରୀମାନେ ତାଙ୍କ ସ୍ଵାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରାକୁ ପୂଜା କରିଥାନ୍ତି । ତେଣୁ କୁମାର ପୂର୍ଣ୍ଣିମା ଦିନ ମଧ୍ୟ ଚଉରା ପୂଜା କରାଯାଇଥାଏ । ସେହିପରି ଇଶ୍ଵରଙ୍କ ମଧ୍ୟରେ କାର୍ତ୍ତିକେୟ ସବୁଠୁ ସୁନ୍ଦର ବୋଲି ଶାସ୍ତ୍ରରେ କୁହାଯାଇଛି ।
ଏହିଦିନ ସେ ତାଡକାସୁର ସହ ଯୁଦ୍ଧ ଆରମ୍ଭ କରି ତାକୁ ବଧ କରିଥିଲେ । କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କ ଆକାରରେ ଭୋଗ ଦେଇ ଚନ୍ଦ୍ରଙ୍କୁ ବନ୍ଦାପନା କରାଯାଏ । ଏହିଦିନ କୁମାରୀ ମାନେ ଉପବାସ ମଧ୍ୟ କରିଥାନ୍ତି । ଓଡିଶାର ଅନେକ ସ୍ଥାନରେ କିନ୍ତୁ ଏହି ଆଞ୍ଜୁଳା ଟେକା ବିଧି କରାଯାଇ ନଥାଏ । ଏସବୁ ଥିଲା କୁମାର ପୂର୍ଣ୍ଣିମା ବିଷୟରେ କିଛି ମହତ୍ବପୂର୍ଣ୍ଣ କଥା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।