ପାକିସ୍ତାନରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା । ଚାରିଆଡେ ଖାଲି ପାଣି ହିଁ ପାଣି ଏବଂ ହାହାକାର ପରିସ୍ଥିତି । ନା ଖାଦ୍ୟ ମିଳୁଛି ନା ପାନୀୟ । ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟାରେ ୧୧୩୬ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ଗତ ୨୪ ଘଣ୍ଟା ମଧ୍ୟରେ ୭୫ ଜଣଙ୍କ ଜୀବନ ଗଲାଣି । ଏହି ବନ୍ୟା ଯୋଗୁଁ ପ୍ରାୟ ୩ କୋଟି ୩୦ ଲକ୍ଷ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ମାତ୍ର ୫୧, ୨୭୫ ବନ୍ୟା ବିପନ୍ନଙ୍କୁ ଏ ଯାଏଁ ଉଦ୍ଧାର କରା ଯାଇଥିବା ବେଳେ ୪ ଲକ୍ଷ ୯୮ ହଜାର ୪୪୨ ଲୋକ ରିଲିଫ କ୍ୟାମ୍ପରେ ରହିଛନ୍ତି ।
ଏହାସହ ୧୦,୫୧,୫୭୦ ଟି ଘର ଭାଙ୍ଗିଯାଇଛି । ସମୁଦାୟ କ୍ଷୟକ୍ଷତି ପ୍ରାୟ ୮୦ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରିଛନ୍ତି ପାକିସ୍ତାନର ଯୋଜନା ମନ୍ତ୍ରୀ ଏହାସାନ ଇକବାଲ । ଏବେବି ୩୩ ପ୍ରତିଶତ ଆଞ୍ଚଲ ପାଣି ଘେରରେ ରହିଛି । ଦେଶର ଜନସଂଖ୍ୟାର ୧୫ ପ୍ରତିଶତ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ଓ ସବୁ ଅଧିକ ପ୍ରଭାବିତ ହୋଇଛି ସିନ୍ ପ୍ରଦେଶ । ଅଗଷ୍ଟ ମାସରେ ୯ ଗୁଣା ଅଧିକ ବର୍ଷା ହେବା ପରେ ପରିସ୍ଥିତି ଏପରି ହୋଇଛି ଯେ ଆକାଶମାର୍ଗରୁ ରିଲିଫ ସମଗାରି ପକାଇବା ପାଇଁ ଶୁଖିଲା ସ୍ଥାନ ବି ମିଳୁନି ।
ଅନ୍ୟପଟେ ପ୍ରାକୃତିକ ବିପର୍ଯ୍ୟୟ ଆଣିଛି ଖାଦ୍ୟ ସଙ୍କଟ । ପରିବା ଦର ଆକାଶଛୁଆଁ ଥିବାବେଳେ ଟମାଟୋ କେଜି ୫୦୦ ଟଙ୍କା ଓ ପିଆଜ କେଜି ୪୦୦ ଟଙ୍କାରେ ବିକ୍ରି ହେଉଛି । ବେଲୁଚିସ୍ଥାନ ଓ ସିନରେ ବନ୍ୟା ଯୋଗୁଁ ହଜାର ହଜାର ଏକର ଜମିର ଫସଲ ନଷ୍ଟ ହୋଇଯାଇଛି ।
ଏଥିପାଇଁ ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବିଶ୍ଵକୁ ସାହାଯ୍ୟ ମାଗିଛନ୍ତି ଓ ପାକିସ୍ତାନର ସେନା ମୁଖ୍ୟ ମଧ୍ୟ ପଡୋଶୀ ଦେଶମାନଙ୍କୁ ସାହାଯ୍ୟ କରିବା ପାଇଁ ଅପିଲ କରିଛନ୍ତି । ପାକିସ୍ତାନରେ ଏଭଳି ଭୀଷଣ ବନ୍ୟା ସଙ୍କଟକୁ ନେଇ ଜାତିସଂଘ ମୁଖ୍ୟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ପାକିସ୍ତାନର ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ସଙ୍କଟରେ ଅଛନ୍ତି ।
ତେଣୁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରାସ ବିଶ୍ଵ ସମୂହ ଅପିଲ କରି ପାକିସ୍ତାନର ଏଭଳି ସଙ୍କଟ ସମୟରେ ସାହାଯ୍ୟର ହାତ ବଢାଇବା ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।