ଶେଷ ଯାଏଁ ହାତ ଧରିବାକୁ କଥା ଦେଇଥିଲେ ହେଲେ ଅଧାବାଟରେ ହାତ ଛାଡି ଚାଲିଗଲେ । ଅସମୟରେ କେକେଙ୍କ ଜୀବନ ଚାଲିଯିବା ସାଙ୍ଗକୁ ଅନେକ କଥା ବାକି ରହିଗଲା । କ୍ରୀଷ୍ଣକୁମାର କୁନାଥ ଓରଫ କେକେ ବଲିଉଡର ଜଣେ ଆଗଧାଡିର ସିଙ୍ଗର । ନିଜ କ୍ଯାରିୟର କାଳ ମଧ୍ୟରେ ବିଭିନ୍ନ ଭାଷାରେ ୭୦୦ରୁ ଅଧିକ ଗୀତ ଗାଇଛନ୍ତି ଓ ପ୍ରତ୍ଯେକ ଗୀତ ଶ୍ରୋତାଙ୍କ ମନକୁ ସ୍ପର୍ଶ କରିପାରିଛି । ଏତେ ପ୍ରସିଦ୍ଧି ଓ ଲୋକପ୍ରିୟତା ହାସଲ କରିବା ପରେ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନକୁ କିନ୍ତୁ ଲାଇମ ଲାଇଟରୁ ଦୂରେଇ ରଖିଥିଲେ କେକେ ।
ତାଙ୍କର ବ୍ୟକ୍ତିଗତ ତଥା ବୈବାହିକ ଜୀବନ ବିଷୟରେ ବହୁତ କମ୍ ଲୋକ ହିଁ ଜାଣନ୍ତି । କେକେ ନିଜ ପିଲାଦିନର ବନ୍ଧୁ ଜ୍ଯୋତିଙ୍କୁ ବିବାହ କରିଥିଲେ । ଖୁବ ବୟସରୁ ତଥା ମାଟିର ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ସହପାଠୀ ଜ୍ଯୋତିଙ୍କୁ କେକେ ଭଲପାଇ ବସିଥିଲେ । ସେତେବେଳେ ପ୍ରେମର ମାନେ ଠିକଭାବେ ଜାଣି ନଥିଲେ ବି ଜ୍ୟୋତିଙ୍କ ପ୍ରତି ତାଙ୍କର ଅହେତୁକ ସ୍ନେହ ଥିଲା । ପିଲାଟି ଦିନରୁ ଜ୍ୟୋତିଙ୍କ ବ୍ଯତୀତ ଆଉ କାହାରି କଥା କେବେ ଚିନ୍ତା ବି କରି ନଥିବା କଥା କେକେ ଥରେ କପିଲ ଶର୍ମାଙ୍କ ଶୋ’ରେ କହିଥିଲେ ।
୧୯୯୧ରେ ତାଙ୍କ ପିଲାଦିନର ପ୍ରେମ ବିବାହର ରୂପ ନେଇଥିଲା । କିନ୍ତୁ ବିବାହ ପୂର୍ବରୁ ଚାକିରି ନ ପାଇବାରୁ କେକେ ବାଧ୍ୟ ହୋଇ ସେଲ୍ସମ୍ୟାନ ଚାକିରିକୁ ଆପଣେଇ ନେଇଥିଲେ । ହେଲେ ବିବାହର ମାତ୍ର ୬ ମାସ ପରେ ଏହି ଚାକିରିରୁ ତାଙ୍କର ମନ ଛାଡି ଯାଇଥିଲା । ଏହାପରେ ସବୁବେଳେ କ୍ଯାରିୟରକୁ ନେଇ ଚିନ୍ତାରେ ରହୁଥିବା କେକେଙ୍କୁ ପତ୍ନୀ ଜ୍ୟୋତିଙ୍କ ପୂର୍ଣ୍ଣ ସମର୍ଥନ ମିଳିଥିଲା । ଏହାପରେ କେକେ ସଙ୍ଗୀତର ବାଟ ବାଛି ନେଇଥିଲେ, ଯାହା ହୁଏତ ତାଙ୍କ ପାଇଁ ବିଧି ଆଗରୁ ହିଁ ଧାର୍ଯ୍ୟ କରି ରଖିଥିଲା ।
କେକେ ଏକ କି-ବୋର୍ଡ କିଣିଥିଲେ ଓ ସାଙ୍ଗ ଶିବାନୀ କଶ୍ୟପ ଏବଂ ସାଇବର ବସୁଙ୍କ ସହ ମିଶି ଜିଙ୍ଗଲସ୍ ପ୍ରସ୍ତୁତ କରିଥିଲେ । ତିନିଜଣ ଜିଙ୍ଗଲସ୍ ରୁ ଯଥେଷ୍ଟ ଅର୍ଥ ରୋଜଗାର କରିଥିଲେ ମଧ୍ୟ ସେତିକିରେ ସନ୍ତୁଷ୍ଟ ହୋଇ ନଥିଲେ କେକେ । କେକେ ଦିଲ୍ଲୀରୁ ମୁମ୍ବାଇ ଚାଲି ଆସିଥିଲେ ଓ ୧୯୯୬ରେ ତାଙ୍କୁ ପ୍ରଥମେ “ହମ୍ ୱୋ ଗଲିୟାଁ” ଗୀତ ଗାଇବାକୁ ସୁଯୋଗ ମିଳିଥିଲା । ଏହାପରେ ‘ପଲ୍’ ନାମକ ଆଲବମରେ ସେ ସବୁ ଗୀତ ଗାଇଥିଲେ ଯାହା ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା ।
ସେବେଠାରୁ ଆଉ କେବେ ପଛକୁ ଚାହିଁ ନଥିଲେ କେକେ । ହେଲେ କାଳର କରାଳ ଗତିରେ ତାଙ୍କ ସ୍ଵର ଆଜି ନୀରବି ଯାଇଛି । ତାଙ୍କ ମୃତ୍ୟୁରେ ପୁରା ଭାରତ ସ୍ତବ୍ଧ ହୋଇଯାଇଛି । ରୋମାଣ୍ଟିକ ଗୀତ ଗାଈ ସମସ୍ତଙ୍କ ମୁହଁରେ ହସ ଫୁଟାଉଥିବା କେକେ ଆଜି ସମସ୍ତଙ୍କୁ କନ୍ଦାଇ ଆରପାରିକୁ ବିଦାୟ ନେଇ ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।