ଆଜିକାଲି ଦେଖିବାକୁ ମିଳୁଛି ପିଲାମାନେ ସ୍ବଭାବରେ ଖୁବ ଜିଦିଆ ହୋଇ ଯାଉଛନ୍ତି । ବିଶେଷ କରି କରୋନା ମହାମାରୀ ପରେ ପିଲାମାନଙ୍କ ଠାରେ ଏହା ଅଧିକ ଦେଖିବାକୁ ମିଳୁଛି । ଗୋଟିଏ ମାତ୍ର ସନ୍ତାନ ଥିବା ଘରେ ଏହି ସମସ୍ଯା ଆହୁରି ଅଧିକ ଦେଖିବାକୁ ମିଳୁଛି । କାରଣ ପିଲାଙ୍କ ବାହାରେ ଖେଳିବା, କଥାବାର୍ତ୍ତା ହେବା ଆଦି ଦିନକୁ ଦିନ ବନ୍ଦ ହୋଇଗଲାଣି । ତେବେ ଜିଦିଆ ପିଲାଙ୍କୁ କିଭଳି ସମ୍ଭାଳିବେ ? ଏନେଇ ମନସ୍ତତ୍ଵବିତ୍ ସମ୍ବିତ ନନ୍ଦ କଣ କହୁଛନ୍ତି ଆସନ୍ତୁ ଜାଣିବା ।

ପିଲାଙ୍କ ବୃଦ୍ଧି ପାଉଥିବା ବୟସରେ ତାଙ୍କ ସହ କଥାବାର୍ତ୍ତା ହେବା ଭାବ ଆଦାନ ପ୍ରଦାନ କରିବା ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଆଜିକାଲି ପ୍ରାୟତଃ ପିତାମାତା ବ୍ୟସ୍ତ ରହୁଥିବାରୁ ପିଲାଙ୍କ ସହ ପାରସ୍ପରିକ କ୍ରିୟା (interaction) କମି ଯାଉଛି । କରୋନା ଯୋଗୁଁ ସାଙ୍ଗସାଥିଙ୍କ ସହ ମଧ୍ୟ ସେମାନଙ୍କୁ ମିଶିବାକୁ ସେତେ ସୁଯୋଗ ମିଳୁନାହିଁ । ପିତାମାତାଙ୍କ ଅନୁପସ୍ଥିତିରେ ଜେଜେବାପା, ଜେଜେମା ମିଳବା କେୟାର ଟେକରଙ୍କ ସହ ହିଁ ସେମାନଙ୍କୁ ଅଧିକ ସମୟ ବିତାଇବାକୁ ପଡୁଛି । ଏହି ସବୁ କାରଣରୁ ପିଲାମାନେ ଅଧିକ ଜିଦିଆ ହୋଇ ଯାଉଛନ୍ତି ।

ପିଲା ବୋର୍ ହେବାରୁ ଏବଂ ଏକୁଟିଆ ହୋଇଯିବାରୁ ସେମାନଙ୍କ ଜିଦି ବଢୁଛି । ପିଲା ଜିଦି କରୁଥିଲେ କିମ୍ବା ଦୁଷ୍ଟ ହେଉଥିଲେ ପିତାମାତା ପିଲାକୁ ମୋବାଇଲ ଧରେଇ ଦେଉଛନ୍ତି । ଫଳରେ ପିଲା ଚୁପ ହୋଇ ବସି ମୋବାଇଲ ତ ଦେଖେ, କିନ୍ତୁ ଏହାଦ୍ବାରା ତା’ର ବୁଦ୍ଧିର ବିକାଶରେ ବାଧକ ସାଜୁଛି । ସେଥିପାଇଁ ପିଲାଙ୍କୁ ଉପଯୁକ୍ତ ସମୟ ଦେବା ଅତ୍ୟନ୍ତ ଆବଶ୍ୟକ ଅଟେ । ପିଲାଙ୍କ ସହ ଇନଡୋର ଓ ଆଉଟଡୋର ଗେମ୍ ସବୁ ମଧ୍ୟ ଖେଳିବା ଦରକାର ।

ଯଦି ପିଲାକୁ ଅଧିକ ସମୟ ଘରେ ରହିବାକୁ ପଡୁଛି ତେବେ ପିଲା ଲୁଡୁ, ଚେସ୍, ଚାଇନିଜ ଚେକର୍ସ, କ୍ୟାରମ ଆଦି ଖେଳିବା ପାଇଁ ପ୍ରୋତ୍ସାହିତ କରନ୍ତୁ । ଅନେକ ଇନଡୋର ଗେମ୍ ସବୁ ମାର୍କେଟରେ ଉପଲବ୍ଧ ହେଉଛି । ପିଲାର ରୁଚି ଅନୁସାରେ ଯେକୌଣସି ଗେମ୍ ମଧ୍ୟ ତାକୁ ଖେଳିବାକୁ ଦିଅନ୍ତୁ ବା ତା ସହ ଖେଳନ୍ତୁ । ଖେଳିବା ସହ ପିଲାର ଉଭୟ ଶାରୀରିକ ଏବଂ ମାନସିକ ବ୍ୟାୟାମ ହେବ ଓ ବିକାଶ ମଧ୍ୟ ହେବ । ଖାଲି ମୋବାଇଲ ଧରିବା ଦ୍ଵାରା ପିଲାମାନେ ଏକଜିଦିଆ ହୋଇ ଯାଉଛନ୍ତି ।
ଘରେ ରହିଲେ ମଧ୍ୟ ପିଲାକୁ ଏକେ ରୁଟିନ ମାଧ୍ୟମରେ ରଖିବାକୁ ଚେଷ୍ଟା କରନ୍ତୁ । ପିଲା ଯାହା ମାଗୁଛି ସବୁ ଜିନିଷ ସାଙ୍ଗେ ସାଙ୍ଗେ ଦେବା ଅଭ୍ଯାସ ମଧ୍ୟ କରନ୍ତୁ ନାହିଁ । ବଜାର ଗଲେ ମଧ୍ୟ ସବୁବେଳେ ପିଲା ପାଇଁ କିଛି ନା କିଛି ଆଣନ୍ତୁ ନାହିଁ । ପିଲାକୁ ଉଚିତ ସମୟରେ ଶୃଙ୍ଖଳା ଶିକ୍ଷା ଦେଲେ ପରବର୍ତ୍ତୀ ପର୍ଯ୍ୟାୟରେ ତାହା ତା’ର କାମରେ ଆସିବ । କାରଣ ପିଲାକୁ ଭଲ ଭାବେ ବୃଦ୍ଧି ପାଇବାକୁ ଶୃଙ୍ଖଳିତ ଜୀବନଶୈଳୀ ନିହାତି ଆବଶ୍ୟକ ଅଟେ ।
କିନ୍ତୁ ପିଲାକୁ ଅଧିକ ମାଡ ମାରନ୍ତୁ ନାହିଁ, ଅଧିକ ଭୟଭୀତ କରନ୍ତୁ ନାହିଁ । ସବୁବେଳେ ପିଲା ସହ ଖେଳି ମିଳିମିଶି ତାକୁ ଶୃଙ୍ଖଳା ଶିଖାଇଲେ ପିଲା କଥା ଆପଣଙ୍କ କଥା ମାନିବାରେ ସହଜ ହୁଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।