ପରସ୍ପରକୁ ବରଣମାଳା ପିନ୍ଧାଇବା ସହ ଯୁବତୀଙ୍କ ମୁଣ୍ଡରେ ସିନ୍ଦୂର ଦେଉଛନ୍ତି ଯୁବକ । ଏହି ପ୍ରେମିକ ଓ ପ୍ରେମିକା ଉଭୟଙ୍କୁ ଜୀବନସାଥୀ କରୁଛନ୍ତି ହେଲେ ଏଠି ହୋମକୁଣ୍ଡ ନାହିଁ କି ବାହା ବେଦି ବି ନାହିଁ । ଥାନା ଦୁଆର ମୁହଁରେ ପୋଲିସ ସାମ୍ନାରେ ବାହା ହେଉଛନ୍ତି ଏହି ପ୍ରେମିକ ଯୋଡି । ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜାପୁର ଥାନା ପରିସରରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ଦୃଶ୍ୟ । ଥାନା ସାମ୍ନାରେ ବାହାଘର ଚାଲିବା ସହ ଉପଖଣ୍ଡ ପୋଲିସ ଅଧିକାରୀ ଏହାର ସାକ୍ଷୀ ରହିଛନ୍ତି ।
ପରିବାର ଲୋକେ ଯେତେବେଳେ ପ୍ରେମୀ ଯୋଡାଙ୍କୁ ବିବାହ ପାଇଁ ଆକଟ କରନ୍ତି ଓ ସେଥିପାଇଁ ଅନେକ ନିର୍ଯ୍ୟାତନା ଦିଅନ୍ତି ସେତେବେଳେ ଏମିତି କିଛି ନିଷ୍ପତ୍ତି ନେବାକୁ ବାଧ୍ୟ ହୁଅନ୍ତି ପ୍ରେମୀଯୁଗଳ । ଥାନା ଭିତରେ ପ୍ରେମୀଯୁଗଳ ହାତକୁ ଦି’ ହାତ ହେବା ବେଳର ଏହି ଭିଡିଓ ଏବେ ସାମ୍ନାକୁ ଆସିଛି । ଏଠି ବ୍ରାହ୍ମଣ ନାହାନ୍ତି କି ବେଦି ନାହିଁ କି ହୋମକୁଣ୍ଡ ନାହିଁ କି ମନ୍ତ୍ର ପଢା ହେଉନି । ହେଲେ ପୋଲିସ ଦୁଆର ମୁହଁରେ ଦୁଇ ଆତ୍ମାର ମିଳନ ହୋଇଛି ।
ପୋଲିସ ସାମ୍ନାରେ ପ୍ରେମିକାକୁ ସ୍ତ୍ରୀ’ର ସ୍ବୀକୃତି ଦେଇଛନ୍ତି ପ୍ରେମିକ । ଏହି ବାହାଘରରେ ଉପଖଣ୍ଡ ପୋଲିସ ଅଧିକାରୀ ଡ଼ୋଲାମଣୀ ଭୋଇ ଓ ଥାନା ଅଧିକାରୀ ପଦ୍ମାସିନୀ ବେହେରା ସାକ୍ଷୀ ଅଛନ୍ତି । ଗଉଡଗାଡ ଗାଁର ଶିଶୁଳ ସାହୁ ଏବଂ ମୁଷୁଣ୍ଡି ଗାଁର ଲିପ୍ସା ସାହୁଙ୍କ ମଧ୍ୟରେ ଦୀର୍ଘ 5 ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ସେମାନଙ୍କ ପ୍ରେମ ବହୁତ ଗଭୀର ହୋଇ ସାରିଥିବା ବେଳେ ପରସ୍ପରକୁ ଛାଡି ବଞ୍ଚିବା ଅସମ୍ଭବ ଲାଗୁଥିଲା । ହେଲେ ଝିଅକୁ ଅନ୍ୟତ୍ର ବାହା ଦେବା ପାଇଁ ନିର୍ବନ୍ଧ କରି ସାରିଥିଲେ ଝିଅଘର ଲୋକେ ।
ପ୍ରେମିକ ଏକଥା ଜାଣିବା ପରେ ଉଭୟ ଘରଛାଡି ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ । ଘରୁ ଲୁଚିକି ଗଲେ ଜୀବନ ପ୍ରତି ବିପଦ ଥିବାରୁ ସେମାନେ ସିଧା ଯାଇ ଥାନାରେ ପହଞ୍ଚି ପୋଲିସ ଆଗରେ ସବୁ ସତ କଥା କହି ଗୁହାରି କଲେ । ଉଭୟ ବିବାହ ବୟସ ହୋଇଥିବାରୁ ସେଠାରେ ଥାନା ବାବୁଙ୍କ ଉପସ୍ଥିତିରେ ସେମାନଙ୍କର ବାହାଘର ହେଲା । ଥାନାରେ ଥିବା ଠାକୁରଙ୍କ ଫଟୋକୁ ଉଭୟ ମୁଣ୍ଡିଆ ମାରି ଆଶୀର୍ବାଦ ନେବା ସହ ଉପସ୍ଥିତ ପୋଲିସ ଅଧିକାରୀଙ୍କ ଆଶୀର୍ବାଦ ମଧ୍ୟ ନେଲେ ।
ଯଦି ପୁଅ କିମ୍ବା ଝିଅ କାହାକୁ ମନ ଦେଇ ବସିଛି ତେବେ ପରିବାର ଲୋକେ ସେମାନଙ୍କ ଭଲପାଇବାକୁ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ଲୋକେ କଥା ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।