ଦେଶର ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ଆଇଏଏସ ପରୀକ୍ଷା ଅନ୍ଯତମ । ଆଇଏଏସ ଭଳି ପଦବୀ ହାସଲ କରିବା ପାଇଁ ପିଲାମାନେ ଅନେକ କଷ୍ଟ କରିଥାନ୍ତି । ଆଇଏଏସ କୋଚିଂ ନେବା ପାଇଁ ସମସ୍ତେ ବଡ ବଡ ଇନଷ୍ଟିଚ୍ୟୁଟକୁ ମଧ୍ୟ ପଢିବା ପାଇଁ ଯାଇଥାନ୍ତି । ଆଉ ଏଥିସହ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ଅନେକ ସମୟରେ ଯେଉଁମାନଙ୍କ ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନଥାଏ, ସେମାନଙ୍କୁ ବାଧ୍ୟ ହୋଇ ନିଜର ସ୍ଵପ୍ନକୁ ମନ ମଧ୍ୟରେ ମାରିଦେବାକୁ ପଡିଥାଏ ।

ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଆଇଏଏସ ଅଫିସରଙ୍କ ବିଷୟରେ କହିବୁ ଯିଏ ବିନା କୋଚିଂରେ ଆଇଏଏସ ଅଫିସର ହୋଇଛନ୍ତି । ଏହା ହେଉଛି ଉତ୍ତରପ୍ରଦେଶର ବରେଲିରେ ରହୁଥିବା ହିମାଂଶୁ ଗୁପ୍ତାଙ୍କ ମନଛୁଆଁ କାହାଣୀ । ଯାହା ସମସ୍ତଙ୍କ ଠାରୁ ଏକଦମ ଭିନ୍ନ । ତାଙ୍କ ପାଠ ପଢିବା ପାଇଁ ଅର୍ଥ ବାଧକ ସାଜିଥିଲେ ମଧ୍ୟ ସେ କେବେ ବି ହାର୍ ମାନି ନଥିଲେ । ଆଇଏଏସ ଅଫିସର ହେବା ପାଇଁ କୋଚିଂର ଆବଶ୍ୟକତା ଥିବା ବେଳେ ହିମାଂଶୁଙ୍କ ଘରର ଆର୍ଥିକ ଅବସ୍ଥା ସେତେବେ ଭଲ ନଥିବାରୁ ସେ କୋଚିଂ ନେଇ ପାରି ନଥିଲେ ।
ଏମିତିକି ତାଙ୍କୁ ଚାହା ମଧ୍ୟ ବିକ୍ରି କରିବାକୁ ପଡିଥିଲା । ହେଲେ ଜୀବନର ସବୁ ସଂଘର୍ଷ ମଧ୍ୟରେ ବି ତାଙ୍କର ଆଇଏଏସ ଅଫିସର ହେବାର ସ୍ଵପ୍ନ ମରି ନଥିଲା । ଯାହା ପାଇଁ ଆଜି ସେ ଜଣେ ଆଇଏଏସ ଅଫିସର ବନି ପାରିଛନ୍ତି । ଆଇଏଏସ ହିମାଂଶୁ ଗୁପ୍ତାଙ୍କ କହିବା ମୁତାବକ, ସେ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟର ହିନ୍ଦୁ କଲେଜରୁ ସ୍ନାତକ ହାସଲ କରିବା ପରେ ଆଇଏଏସ ଅଫିସର ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ତେବେ ଘର ଚଳାଇବା ପାଇଁ ତାଙ୍କୁ ଚାହା ବିକିବାକୁ ପଡିଥିଲା ।

ସେ ଚାହା ବିକିବା ସହ ସବୁଦିନ ଖବରକାଗଜ ପଢୁଥିଲେ । ଏହାପରେ ପରିବାର ଚଳାଇବା ପାଇଁ ସେ ଏକ ସରକାରୀ କଲେଜରେ ରିସର୍ଚ୍ଚ ସ୍କୋଲାର ଭାବେ ମଧ୍ୟ ଯୋଗ ଦେଇଥିଲେ । ଏହି କାମରେ ତାଙ୍କୁ ଷ୍ଟାଇପେଣ୍ଡ ମିଳିବା ସହ ଆଇଏଏସ ପରୀକ୍ଷା ପାଇଁ ସେ ନିଜକୁ ପ୍ରସ୍ତୁତ କରି ପାରିଥିଲେ । ତେବେ କୋଚିଂ ନ ନେଉଥିବାରୁ ସେ ଦୁଇଥର ପରୀକ୍ଷାରେ ବିଫଳ ହୋଇଥିଲେ । ହେଲେ ମଧ୍ୟ ସେ ଚେଷ୍ଟା ଜାରି ରଖିଥିଲେ ଏବଂ ତୃତୀୟ ଚେଷ୍ଟାରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ଏହି ସଫଳତା ମିଳିବା ପରେ ସେ କହିଛନ୍ତି କି, ଆପଣ ଯେକୌଣସି ସ୍ଥାନରୁ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ । ୟୁପିଏସସି କିମ୍ବା ଅନ୍ୟ କୌଣସି ବଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଆପଣଙ୍କୁ ବଡ ସହରକୁ ଯିବାର କୌଣସି ଆବଶ୍ୟକତା ନାହିଁ । କେବଳ ଦୃଢ ମନୋବଳ ଏବଂ ପରିଶ୍ରମ ଆପଣଙ୍କୁ ସଫଳତା ରାସ୍ତାରେ କଢାଇ ନେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।