ସ୍ଵର୍ଗ ର ହକଦାର କିଏ ? ଆମେ କରୁଥିବା ଭଲ କାମ ଆମକୁ ସ୍ଵର୍ଗ ନେଇଯିବ କି ? ସ୍ଵର୍ଗ ଯିବାକୁ ହେଲେ ପୃଥିବୀରେ କିଭଳି ଜୀବନ କାଟିବାକୁ ହେବ ?

ମୃତ୍ୟୁ ପରେ ଜଣେ ରାଜା, ଜଣେ ବ୍ୟବସାୟୀ, ଜଣେ ପଣ୍ଡିତ ଓ ଜଣେ ସାଧାରଣ ଶ୍ରମିକ ସ୍ଵର୍ଗଦ୍ଵାରରେ ଯାଇ ପହଞ୍ଚିଲେ । କାହା ପାଇଆନ ସ୍ଵର୍ଗଦ୍ଵାର ଖୋଲିବ ଏବଂ କିଏ ପଛକୁ ଫେରିବ ଏହା କେହି ଜାଣି ନଥିଲେ । ସେମାନେ କେବଳ ସ୍ଵର୍ଗଦ୍ଵାର ଖୋଲିବାକୁ ଅପେକ୍ଷା କରିଥିଲେ ଓ ନିଜ ଭିତରେ କଥା ହେଉଥିଲେ । ପ୍ରଥମେ ରାଜା କହିଲେ, ମୁଁ ଜଣେ ପ୍ରସିଦ୍ଧ ରାଜା ଓ ପୃଥିବୀରେ ବହୁତ ନାମ ଅର୍ଜନ କରିଛି । ତେଣୁ ମୋର ସ୍ଵର୍ଗକୁ ଯିବାର ପୁରା ସମ୍ଭାବନା ରହିଛି ।

 

ରାଜାଙ୍କ କଥା ଶୁଣି ବ୍ୟବସାୟୀ କହିଲା, ମୁଁ ପୃଥିବୀରେ ବହୁତ ଟଙ୍କା ରୋଜଗାର କରିଛି ଓ ସେଥିରେ ଶହ ଶହ ଲୋକଙ୍କୁ ସାହାଜ୍ଯ କରିଛି । ତେଣୁ ମୁଁ ହିଁ ସ୍ଵର୍ଗକୁ ଯିବାର ଯୋଗ୍ୟ । ତା’ କଥା ଶୁଣି ପଣ୍ଡିତ କହିଲା, ତୁମେମାନେ ଯାହା ଭାବୁଛ ଭାବ । କିନ୍ତୁ ଦେଖିବ ଯେତେବେଳେ ସ୍ଵର୍ଗର କବାଟ ଖୋଲିବ ତାହା କେବଳ ମୋ ପାଇଁ ହେବ । କାରଣ ପଣ୍ଡିତ ମାନେ ଦିନରାତି ଈଶ୍ଵରଙ୍କୁ ସ୍ମରଣ କରନ୍ତି । ଜଣେ ପଣ୍ଡିତ ହିସାବରେ ମୋର ସ୍ଵର୍ଗରେ ସ୍ଵାଗତ କରାଯିବ ସ୍ଵାଭାବିକ ।

ସମସ୍ତେ ନିଜ ପକ୍ଷ ରଖିବା ପରେ ଏବେ ସମସ୍ତଙ୍କ ନଜର ଚୁପଚାପ ଠିଆ ହୋଇଥିବା ଶ୍ରମିକ ଉପରେ ପଡିଲା । ସେ କାହାକୁ କିଛି ନକହି ଆଖି ତଳକୁ କରି ସେମିତି ଠିଆ ହୋଇ ରହିଲା । ଏହାର କିଛି ସମୟ ପରେ ସ୍ଵର୍ଗର ଦ୍ଵାର ଖୋଲିଲା ଏବଂ ଜଣେ ଦେବଦୂତ ଆସି ସେଠାରେ ଏକ ପୁସ୍ତକ ଖୋଲି ଠିଆ ହେଲେ । ସେଥିରେ ସମସ୍ତଙ୍କ କାର୍ଯ୍ୟକଳାପ ଲେଖାଥିଲା । ଦେବଦୂତ ପ୍ରଥମେ ରାଜାଙ୍କୁ ଡାକି ପଚାରିଲେ, ତୁମେ କୁହ ଜୀବନରେ ତୁମେ କଣ ଭଲ କାମ କରିଛ ? ମୁଁ ଏ ପୁସ୍ତକ ଦେଖି ସ୍ଥିର କରିବି ତୁମେ ସ୍ଵର୍ଗ ଯିବ କି ନାହିଁ ।

 

 

ରାଜା କହିଲେ, ମୋର ରାଜ୍ୟ ଏତେ ବଡ ଓ ସମୃଦ୍ଧ । ମୋ ଶାସନକାଳରେ ସମସ୍ତେ ଖୁସିରେ ଜୀବନ ବିତାଉଥିଲେ । ମୁଁ କେବେବି କିଛି ଅଭାବ ରଖିନି । ଦେବଦୂତ ତାଙ୍କ ପୁସ୍ତକ ଦେଖିଲା ପରେ କହିଲେ, ତୁମେ ସତ କହୁଛ ଯେ ତୁମର ପ୍ରଜାମାନେ ଅତ୍ୟନ୍ତ ଖୁସିରେ ଥିଲେ । କିନ୍ତୁ ତୁମେ ନିଜ ରାଜ୍ୟର ସୀମା ବୃଦ୍ଧି ପାଇଁ ଯେଉଁ ଯୁଦ୍ଧ କରିଥିଲ ସେହିରେ ହଜାର ହଜାର ସୈନିକ ପ୍ରାଣ ହରାଇଥିଲେ । ସେମାନଙ୍କ ପରିବାର ପାଇଁ ତୁମେ ଦୁଃଖର କାରଣ ହୋଇଥିବାରୁ ତୁମେ ସ୍ଵର୍ଗ ଆସିପାରିବ ନାହିଁ ।

ଏହାପରେ ବ୍ୟବସାୟୀର ପାଳିଥିଲା । ସେ କହିଲା ମୁଁ ଶହ ଶହ ଲୋକଙ୍କୁ ଖାଇବାକୁ ଦେଇଛି, ଆଶ୍ରମରେ ଦାନ କରିଛି ଓ ଗରିବ ଲୋକଙ୍କ ଘର ମଧ୍ୟ ନିର୍ମାଣ କରିଛି । ଏହାସହ ସ୍ଵର୍ଗଦୂର ଯତ୍ନର ପୁସ୍ତକ ଦେଖିଲେ ଆଉ କହିଲେ, ହଁ ତୁମେ ଠିକ କହିଛ କିନ୍ତୁ ଯେଉଁ ଟଙ୍କାରେ ତୁମେ ଦାନ ଧର୍ମ କରିଛ ସେହି ଟଙ୍କା ରୋଜଗାର ପାଇଁ ତୁମେ କେତେ ହେରାଫେରି କରିଛ ଓ ମିଛ କହିଛ । ସେଥିପାଇଁ ମଧ୍ୟ ସ୍ଵର୍ଗକୁ ଆସିପାରିବ ନାହିଁ । ତାପରେ ପଣ୍ଡିତଙ୍କୁ ତାଙ୍କ ଭଲ କାମ ବିଷୟରେ ପଚରାଗଲା ।

ପଣ୍ଡିତ ଆତ୍ମବିଶ୍ଵାସର ସହ କହିଲେ, ମୁଁ ଅଗଣିତ ଲୋକଙ୍କୁ ଜ୍ଞାନ ଦେଇଛି । ଅନେକ ଯଜ୍ଞ, ପୂଜାପାଠ କରିବା ସହ ଦିନରାତି ଭଗବାନଙ୍କ ନାମ ଜପ କରିଛି । ଏହାଠୁ ଅଧିକ ଭଲ କାମ ଆଉ କଣ ହୋଇପାରେ । ଏକଥା ଶୁଣି ଦେବଦୂତ ନିଜ ପୁସ୍ତକ ଚାହିଁଲେ ଆଉ କହିଲେ, ତୁମେ ସମସ୍ତଙ୍କୁ ଯେଉଁ ଜ୍ଞାନ ଦେଇଛ ସେସବୁକୁ ନିଜେ କେବେ କାର୍ଯ୍ୟକାରୀ କରିନାହଁ । ତୁମେ କେବେବି ନିଃସ୍ଵାର୍ଥପର ଭାବରେ ଈଶ୍ବରଙ୍କ ନାମ ନେଇନ ତେଣୁ ତୁମେ ବି ସ୍ଵର୍ଗ ଆସିପାରିବନି । ଏସବୁ ଦେଖି ଶ୍ରମିକ ଆଶ୍ଚର୍ଯ୍ୟ ହୋଇଗଲା ।

କାରଣ ସେ ଯେଉଁମାନଙ୍କୁ ମହାନ ବୋଲି ଭାବୁଥିଲା ସ୍ଵର୍ଗଦ୍ଵାରକୁ ଆସି ସେମାନଙ୍କର ବ୍ୟାଖ୍ୟା ବଦଳିଗଲା । ଯେଉଁ କାର୍ଯ୍ୟକୁ ପୃଥିବୀରେ ଭଲ ବୋଲି ବିବେଚନା କରାଯାଉଥିଲା ସ୍ଵର୍ଗରେ ସେସବୁର ମୂଲ୍ୟ କିଛି ନାହିଁ । ତେଣୁ ଶ୍ରମିକକୁ ତା’ ଭଲ କାମ ବିଷୟରେ ପଚରା ଯିବାରୁ ସେ ବିନମ୍ରତାର ସହ କହିଲା, ପ୍ରଭୁ ମୁଁ ମଧ୍ୟ ସ୍ଵର୍ଗଦ୍ଵାରରେ ପ୍ରବେଶ କରିବାକୁ ଯୋଗ୍ୟ ନୁହେଁ । ତଥାପି ମୁଁ ବାହାରୁ ଥରେ ସ୍ଵର୍ଗକୁ ଦେଖିବାକୁ ଚାହେଁ । କାରଣ ମୁଁ ଜୀବନରେ କିଛି କରିନାହିଁ ।

ମୁଁ ଦିନସାରା କାମ କରୁଥିଲି ଓ ଯାହା ରୋଜଗାର ହେଉଥିଲା ତାକୁ ମୋ ପରିବାର ରକ୍ଷଣାବେକ୍ଷଣାରେ ଖର୍ଚ୍ଚ କରୁଥିଲି । ଦାନ ଧର୍ମ ପାଇଁ ତ କିଛି ବଞ୍ଚେନି । ସମୟ ମିଳିଲେ ମୋର ବୃଦ୍ଧ ପିତାମାତାଙ୍କ ସେବା କରେ ଓ ଏସବୁରୁ ସମୟ ପାଇଲେ ମୁଁ ମନ୍ଦିର ଯାଏ । ମୋ ଜୀବନ ପାଇଁ ମୁଁ କେବଳ ଭଗବାନଙ୍କୁ ଧନ୍ୟବାଦ ଜଣାଏ । ଏହା ଶୁଣି ସ୍ଵର୍ଗଦୂତ ଯତ୍ନର ସହ ପୁସ୍ତକକୁ ଚାହିଁ କିଛି ଖୋଜିବାକୁ ଲାଗିଲେ ଓ ଶ୍ରମିକକୁ ପଚାରିଲେ ଭଲରେ ମନେପକାଅ ତୁମେ କିଛି ତ ଭଲ କମ କରିଛ ।

ଶ୍ରମିକ ବହୁତ ଭାବିବା ପରେ କହିଲା, ହଁ ଦିନେ ମୁଁ ବହୁତ ଭୋକିଲା ଥିବାବେଳେ ଗୋଟିଏ ଦୁର୍ବଳ କୁକୁର ଆସି ମୋ ଖାଦ୍ଯକୁ ଦେଖୁଥିଲା । ତେଣୁ ମୁଁ ତାକୁ ମୋ ରୁଟି ଖାଇବାକୁ ଦେଇ ନିଜେ ଭୋକିଲାରେ ଶୋଇଥିଲି । ଶ୍ରମିକ କଥା ଶୁଣି ଦୁତ ତାଙ୍କୁ ଅଭିବାଦନ ଜଣାଇଲେ ଓ ହସି ହସି ସ୍ଵର୍ଗଦ୍ଵାର ଭିତରକୁ ନେଇଗଲେ ।

ଏଥିରୁ ଆପଣ ବୁଝି ପାରୁଥିବେ କି ଲୋଭ, ମୋହାମାୟାରେ ହଜାରେ ଭଲ କାମ ଅପେକ୍ଷା ନିଃସ୍ଵାର୍ଥପର ଭାବେ ଗୋଟିଏ ଭଲ କାର୍ଯ୍ୟର ଶକ୍ତି ଯଥେଷ୍ଟ ଅଧିକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।