ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ଯାଚରେ ବିସ୍ଫୋରକ ଇନିଂସ ଖେଳି ଭାରତକୁ ସିରିଜ ବିଜୟ ଭେଟି ଦେଇଛନ୍ତି ସୂର୍ଯ୍ୟ କୁମାର ଯାଦବ । ହାଇଦ୍ରାବାଦରେ ଖେଳା ଯାଇଥିବା ଏହି ମ୍ଯାଚରେ ସୂର୍ଯ୍ୟଙ୍କ କମାଲରେ କଙ୍ଗାରୁ ଟିମ୍ କୁ ପରାଜୟର ସାମ୍ନା କରିବାକୁ ପଡିଛି । ପଡିଆର ବିଭିନ୍ନ ଦିଗକୁ ଚିତ୍ତାକର୍ଷକ ସଟ୍ ଖେଳି ମ୍ଯାଚର ରୋମାଞ୍ଚ ବୃଦ୍ଧି କରିବା ସହ ମାତ୍ର ୩୬ ବଲରୁ ୬୯ ରନ୍ କରିଥିଲେ ସୂର୍ଯ୍ୟ । ଏଥିରେ ୫ଟି ଛକା ଓ ୫ଟି ଚଉକା ମଧ୍ୟ ସାମିଲ ଥିଲା ।

ତେବେ ଶୁଣିବାକୁ ମିଳୁଛି କି ଏହି ବିସ୍ଫୋରକ ଇନିଂସ ଖେଳିବା ସୂର୍ଯ୍ୟ କୁମାରଙ୍କ ପାଇଁ ସେତେ ସହଜ ନଥିଲା । କାରଣ ମ୍ଯାଚ ପୂର୍ବରୁ ସେ ଜ୍ଵରରେ କମ୍ପୁଥିଲେ । ଏହା ସତ୍ତ୍ୱେ ପଡିଆକୁ ଓହ୍ଲାଇ ମଇଦାନରେ ନିଜ କମାଲ ଦେଖାଇଥିଲେ । ମ୍ଯାଚ ପରେ ନିଜ ଟ୍ବିଟର ପେଜରେ ଏକ ଇଣ୍ଟରଭ୍ୟୁ ଶେୟାର କରିଛି ବିସିସିଆଇ । ଯେଉଁଥିରେ ସୂର୍ଯ୍ୟ କୁମାରଙ୍କ ସହ ଅକ୍ସର ପଟେଲ ବାର୍ତ୍ତାଳାପ କରୁଥିଲେ ।
ଏହି ସମୟରେ ହିନ ସୂର୍ଯ୍ୟ କୁମାର ଖୁଲାସା କରିଥିଲେ କିଭଳି ମ୍ଯାଚ ପୂର୍ବରୁ ତାଙ୍କର ଦେହ ଖରାପ ଥିବା ସତ୍ତ୍ୱେ ସେ ମନୋବଳ ଦୃଢ କରି ମଇଦାନକୁ ଓହ୍ଲାଇଥିଲେ । ଏହି ଇଣ୍ଟରଭ୍ୟୁରେ ଅକ୍ସର ପଟେଲ କହିଥିଲେ, ସେଦିନ ସକାଳେ ଫିଜିଓ ବେଶ ବ୍ୟସ୍ତ ଥିଲେ ଓ ସମସ୍ତେ ସୂର୍ଯ୍ୟ କୁମାରଙ୍କ ବିଷୟରେ କଥା ହେଉଥିଲେ ।

ସୂର୍ଯ୍ୟ କହିଥିଲେ, ପାଣିପାଗ ବଦଳିବା ସହ ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଲଗାତାର ଯାତ୍ରା କରିବା ହେତୁ ମ୍ଯାଚ ଦିନ ସକାଳେ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କର ପେଟରେ ଯନ୍ତ୍ରଣା ହେବାସହ ଜ୍ଵର ଆସିଥିଲା । କିନ୍ତୁ ଡାକ୍ତରଙ୍କ ସହ ଆଲୋଚନା ବେଳେ ନିର୍ଣ୍ଣାୟକ ମ୍ଯାଚ ଥିବାରୁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ସୂର୍ଯ୍ୟ କୁମାର । ଆଉ ଏଥିପାଇଁ ସେ ଡାକ୍ତରଙ୍କୁ କହିଥିଲେ, ମୋତେ ଯାହାବି ଔଷଧ ଦିଅନ୍ତୁ କି ଇଞ୍ଜେକସନ ଦିଅନ୍ତୁ ହେଲେ ସନ୍ଧ୍ୟା ସୁଦ୍ଧା ଖେଳିବା ପାଇଁ ଫିଟ୍ କରିଦିଅନ୍ତୁ ।
ଆଉ ଯେତେବେଳେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ମଇଦାନକୁ ଏଣ୍ଟ୍ରି କଲେ ସେତେବେଳେ ତାଙ୍କ ପାଇଁ ସବୁକିଛି ସାମାନ୍ଯ ହୋଇଗଲା ବୋଲି କହିଛନ୍ତି ସୂର୍ଯ୍ୟ କୁମାର । ଜ୍ଵରରେ କମ୍ପୁଥିଲେ ମଧ୍ୟ ମଇଦାନକୁ ଓହ୍ଲାଇ ବିସ୍ଫୋରକ ଇନିଂସ ଖେଳି ନିଜ କ୍ରୀଡାପ୍ରେମ ସହ ଦେଶପ୍ରେମ ଦେଖାଇଛନ୍ତି ସୂର୍ଯ୍ୟ କୁମାର ଯାଦବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।