ଏହି କୁନି ପିଲାମାନେ ବି ଜାଣନ୍ତି ସ୍ଵାଧୀନତା ଦିବସର ଅର୍ଥ କଣ । ଏମାନେ ବି ଦେଶ ମାତୃକାର ଭାଷା ବୁଝିପାରନ୍ତି । ଏମାନେ ସିନା କୌଣସି ବଡ ନେତା କିମ୍ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଭଳି ବଡ ବଡ ଭାଷଣ ଦେଇପାରିବେ ନାହିଁ ହେଲେ ଜାତୀୟତାବାଦକୁ ଠିକ ଭାବେ ହୃଦୟଙ୍ଗମ କରିଛନ୍ତି । ସେମିତି ନ ହୋଇଥିଲେ ଯେତେବେଳେ ବିଦ୍ୟାଳୟର କର୍ତ୍ତା ଅନୁପସ୍ଥିତ ରହିବେ ସେତେବେଳେ କେଉଁ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ପତାକା ଉତ୍ତୋଳନ କରିବା ପାଇଁ ଆଗଭର ହେବେ ?

ଯେଉଁ ଦିନ ଦେଶର ସବୁ ସ୍କୁଲ ଏବଂ ଅଫିସରେ ଜାତୀୟ ପତାକା ଉଡିବ ଏଥିରୁ ଆମ ସ୍କୁଲ ବା କେମିତି ବାଦ୍ ପଡିବ ? ଏହା ବୋଧ ହୁଏ ଏହି କୁନି ପିଲା ଓ ସେମାନଙ୍କ ଅଭିଭାବକ ମାନଙ୍କର ଚିନ୍ତାଧାରା । ନହେଲେ ବାଡି ଖଣ୍ଡେ ପୋତି ପତାକା ଉଡାଇ ଏମିତି ଜୟ ଜୟର ନାରା ଦେଇ ନଥାନ୍ତେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହିକିମପୂତ ପଞ୍ଚାୟତରେ ଥିବା ସରବାପୂତ ପ୍ରକଳ୍ପ ବିଦ୍ୟାଳୟରେ ।
ସେହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଓ ଅଭିଭାବକ ସ୍ଵାଧୀନତା ଦିବସ ପାଳନ କରିଛନ୍ତି । ହେଲେ ଏଠାରେ ଯେଉଁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତାହା ନିହାତି ଏହି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପାଇଁ ଲଜ୍ଜାର ବିଷୟ । କାରଣ ବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳନ କରାଗଲା ହେଲେ ବିନା ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ।

ଆପଣ ଭାବୁଥିବେ ବୋଧ ହୁଏ ଏହି ବିଦ୍ୟାଳୟରେ ଶିକ୍ଷା କିମ୍ବା ଶିକ୍ଷୟତ୍ରୀ ନାହାନ୍ତି । ହେଲେ ଏହି ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି ଏବଂ ଏଠି ପାଠପଢା ବି ଚାଲିଛି । ହେଲେ ସେମାନେ ସ୍ଵାଧୀନତା ଦିବସକୁ ଭୁଲି ଯାଇଛନ୍ତି । ଏହି ଭିଡିଓରେ ଛୋଟ ଛୋଟ ପିଲାଙ୍କ ସହ ଅଭିଭାବକ ମାନେ ପତାକା ଉତ୍ତୋଳନ କରି ସ୍ଵାଧୀନତା ଦିବସ ପାଳନ କରିଛନ୍ତି । ଏହା କଣ ଆମ ଶିକ୍ଷାଦାନ ପ୍ରଣାଳୀ ଏବଂ ଆମ ଜାତୀୟତାକୁ ସମ୍ମାନ ?
ଯେଉଁ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ନିଜେ ସ୍ଵାଧୀନତା ଦିବସକୁ ଭୁଲି ଯାଉଛନ୍ତି ସେଠାରେ ପିଲାଙ୍କୁ ଜାତୀୟତାବାଦର କଣ ଶିକ୍ଷା ମିଳୁଥିବ ଏହି ଚିତ୍ରରୁ ତାହା ସ୍ପଷ୍ଟ ବାରି ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।