ନମସ୍କାର ବନ୍ଧୁଗଣ ତେବେ ଦୀର୍ଘ ୫ ଦିନ ଧରି ନିରବଚ୍ଛିନ୍ନ ଭାବେ ଚାଲିଥିବା ଅପରେସନ ‘ଜିନ୍ଦେଗୀ’ ଶେଷରେ ଗତକାଲି ମଧ୍ୟ ରାତିରେ ସଫଳ ହେଲା । ଜୀବନ-ମରଣ ମଧ୍ୟରେ ଚାଲିଥିବା ସଂଘର୍ଷରେ ଜିତିଗଲା ରାହୁଲ । ୮୦ ଫୁଟ ବୋରୱେଲରେ ଫସି ରହିଥିବା ବାଳକଟି ଶେଷରେ ମରଣ ମୁହଁରୁ ଫେରି ଆସିଲା । ଆଶ୍ୱସ୍ତ ହେଲେ ସମଗ୍ର ଦେଶବାସୀ । ରାହୁଲଙ୍କୁ ଉଦ୍ଧାର କରିବାକୁ ଏନ୍ଡିଆରଫଏ, ଏସଡିଆରଏଫ, ଛତିଶଗଡ଼ ପୁଲିସ, ଭାରତୀୟ ସେନା ଏବଂ ଜାଞ୍ଜଗିର ଜିଲ୍ଲା ପ୍ରଶାସନ ଫୁଲ୍ ଦମ୍ରେ ଲାଗି ପଡ଼ିଥିଲେ ।
ଏଥିପାଇଁ ରାହୁଲ ରେସକ୍ୟୁ ଅପରେସନରେ ସାମିଲ ହୋଇଥିବା ସମସ୍ତ ଟିମ୍ ସଦସ୍ୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏଥିସହ ରାହୁଲଙ୍କ ଉଦ୍ଧାର ବେଳର ସ୍ମୃତି ବଖାଣିଛନ୍ତି ଏନଡ଼ିଆରଏଫ ଇନ୍ସପେକ୍ଟର ମହାବୀର ମହାନ୍ତି । ତେବେ ଛତିଶଗଡ଼ର ଭିଲାଇରେ କାର୍ଯ୍ୟରତ ଥିବା ଏନଡ଼ିଆରଏଫ ଇନ୍ସପେକ୍ଟର ମହାବୀର ମହାନ୍ତି କହିଛନ୍ତି, ଏନଡିଆରଏଫ ପାଇଁ ପ୍ରତି ଘଟଣା ଏକ ନୂଆ ଚ୍ୟାଲେଞ୍ଜ ।
ମୁଁ ମୋ କ୍ୟାରିଅରରେ ଏପରି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ନ ଥିଲି । ମୋ ଉପରିସ୍ଥ ଅଧିକାରୀ ତଥା ଡିସିପି ୧୦ ତାରିଖ ସନ୍ଧ୍ୟାରେ ମୋତେ ଫୋନ୍ କରି ଏକ ନାବାଳକ ବୋରୱେଲରେ ଖସି ପଡ଼ିଥିବା କହିଥିଲେ । ତେବେ ମୋତେ ଟିମ୍ କମାଣ୍ଡର ହିସାବରେ ଦାୟିତ୍ୱ ମିଳିଥିବାରୁ ତୁରନ୍ତ ନିଜ ଟିମ୍ ଧରି ବାହାରି ପଡ଼ିଥିଲି । ବାଟରେ ପ୍ରଶାସନ ସହ ଯୋଗାଯୋଗ କରି ପିଲାଟି ନିକଟକୁ ତୁରନ୍ତ ଲାଇଫ ସପୋର୍ଟ ସିଷ୍ଟମ ମାଧ୍ୟମରେ ଅକ୍ସିଜେନ ଯୋଗାଣ କରିବାକୁ କହିଥିଲୁ ।
ପିଲାଟି ଫସିଥିବା ସ୍ଥାନର ଚତୁଃପାର୍ଶ୍ୱରେ କୌଣସି ଭାରି ଚାପ ନ ପକାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ କହିଥିଲୁ । ଭାରି ଚାପ ଥିଲେ ମାଟି ଧସି ହେବାର ଆଶଙ୍କା ଥିଲା । ଏଥିସହ କିପରି ରହିବ ଉଦ୍ଧାର ପ୍ରକ୍ରିୟା ତାହାର ବ୍ଲୁ ପ୍ରିଣ୍ଟ ଆମେ ରାସ୍ତାରେ ହିଁ ପ୍ରସ୍ତୁତ କରିଥିଲୁ । ତେବେ ପିଲାଟି ଖେଳୁ ଖେଳୁ ୮୦ ଫୁଟ ତଳ ବୋରୱେଲକୁ ଖସି ଯାଇଥିବା ବେଳେ ତାକୁ ଉଦ୍ଧାର କରିବା ଏତେ ସହଜ ନ ଥିଲା ।
କାରଣ ଉକ୍ତ ବୋରୱେଲ ତେଢ଼ା ଥିବାରୁ ସଙ୍ଗେ ସଙ୍ଗେ ପାରାଲାଲ ଟନେଲ ଖୋଳିବା କାମ ଆରମ୍ଭ କଲୁ । ବୋରୱେଲର ତଳେ ପାଣିରେ ସାପବେଙ୍ଗ ଥିବା ବେଳେ ପିଲାଟି ଆବନର୍ମାଲ ଥିଲା । ପିଲାଟି ଆମକୁ ସହଯୋଗ କରିବାକୁ ଅସମର୍ଥ ଥିବାରୁ ଆମେ ତତ୍କ୍ଷଣାତ ନୂଆ ନୂଆ ଟେକନୋଲଜି ବ୍ୟବହାର କରିଥିଲୁ । ରାହୁଲ ପାଇଁ ଗୋଟିଏ ଗୋଟିଏ ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ରାହୁଲର ଜୀବନ ଥିଲେ ହିଁ ଆମେ ଆମ ଲକ୍ଷ୍ୟ ପଥରେ ଆଗେଇପାରିବୁ ବୋଲି ଭାବିଥିଲୁ ।
ଭିତରେ ଗରମ ହେଉଥିବ, ତାପମାତ୍ରା ଅତ୍ୟଧିକ ଥିବ ଭାବି ତା’ ପାଖକୁ ନିରବଚ୍ଛିନ ଅକ୍ସିଜେନ ସପ୍ଲାଏ କଲୁ । ଖାଦ୍ୟ, ପାନୀୟ ଯୋଗାଇଥିଲୁ । ଲାଇଟ, କ୍ୟାମେରା ପକାଇ ୨୪ ଘଣ୍ଟା ତା’ ଉପରେ ନଜର ରଖିଥିଲୁ । ବୋରୱେଲ କିପରି ନ ଧସିବ, ପାଣିର ମାତ୍ରା କିପରି କମ୍ କରିବୁ ସେଥି ନିମନ୍ତେ ପଦକ୍ଷେପ ନେଇଥିଲୁ । ତେବେ ଆମେ ଯେତେ ତଳକୁ ତଳ ଗଲୁ, ସେତେ ଅଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଲୁ ।
୬୦ ଫୁଟ ତଳେ ଥିବା ପଥର କାଟି, ଖୋଳି ଆଗକୁ ଯିବା ଅତ୍ୟନ୍ତ କାଠିକର ପାଠ ହୋଇଗଲା । ମେସିନ ସାହାଯ୍ୟରେ କିମ୍ବା ମାନୁଆଲି ଖୋଳିବା ବି ଅସମ୍ଭବ ଥିଲା । ଏହାଦ୍ୱାରା ଆମେ ବି ମରଣ ମୁହଁକୁ ଠେଲି ହୋଇଯାଇଥିଲୁ କିନ୍ତୁ ତାହାକୁ ଖାତିର କରି ନ ଥିଲୁ । ତେବେ ଅପରେସନ ଅନ୍ତିମ କ୍ଷଣରେ ପହଞ୍ଚିବା ପରେ ଆମେ ରାହୁଲକୁ ଦେଖିବାକୁ ସମର୍ଥ ହେଲୁ । ପିଲାଟିକୁ ଅତି ପାଖରୁ ଦେଖିବା ପରେ ଆମ କଠିନ ପରିଶ୍ରମ ସାର୍ଥକ ହେଲା ପରି ଲାଗିଲା । ଆମ ଆଖିରେ ଲୁହ ଆସିଗଲା ।
ରାହୁଲ ବି ଜୁଳୁଜୁଳୁ ଆଖିରେ ଆମକୁ ଦେଖୁଥିଲା । ଆମ ମଝିରେ ପଥର ଚଟାଣ ଥିବାରୁ ଆମେ ତାକୁ ବାହାର କରିପାରୁ ନ ଥିଲୁ । ଶେଷ ଘଣ୍ଟାକ ସମୟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ଆମେ ଟିମ୍ ସଦସ୍ୟ ନିଜ ଜୀବନକୁ ବାଜି ଲଗାଇ ଭିତରକୁ ଗୁରୁଣ୍ଡି ଗୁରୁଣ୍ଡି ଯାଇ ତାକୁ ବାହାରକୁ ଆଣିଥିଲେ । ଏହା ପରେ ସଫଳ ହୋଇଥିଲା ‘ଅପରେସନ ଜିନ୍ଦେଗୀ’ । ରାହୁଲ ଉଦ୍ଧାର ହେବା ପରେ ସମସ୍ତେ ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ ।
ଉଦ୍ଧାର ପରେ ରାହୁଲକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍ କରିଡର ଭିତରେ ବିଳାସପୁର ଆପୋଲୋ ହସ୍ପିଟାଲରେ ଗତ ରାତିରେ ଭର୍ତ୍ତି କରାଯାଇଛି । ସ୍ୱତନ୍ତ୍ର ମେଡିକାଲ ଟିମ୍ ରାହୁଲର ଚିକିତ୍ସା କରୁଛନ୍ତି । ପ୍ରାଥମିକ ଚିକିତ୍ସା ପରେ ରାହୁଲ ସୁସ୍ଥ ଥିବା ସୂଚନା ମିଳିଛି । ତଥାପି ରାହୁଲର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ଆଇସିୟୁରେ ଭର୍ତ୍ତି ହୋଇଥିବା ରାହୁଲକୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି ।